-+91-9937148622 |
prerana_bgr@rediffmail.com |
Sunday 13th September 2026 |
R.N.I. Regd No. ODIODI/2010/46693
Breaking News
13-Sep-2026
ଭୁବନେଶ୍ୱ(ମୁରଲୀଧର ମିଶ୍ର): ରାଜ୍ୟ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ପରେ ବଜାରରେ ଭେଜାଲ ପନିର ବିକ୍ରି ହେଉଥିବା ରାଜ୍ୟବାସୀଙ୍କ ନଜରକୁ ଆସିଛି । ଲୋକେ ସଚେତନ ହୋଇଛନ୍ତି । ବଜାରରେ ମିଳୁଥିବା ଶସ୍ତା ପନିର ଯେ ଭେଜାଲ ଏବଂ ସ୍ୱାସ୍ଥ୍ୟ ପ୍ରତି ଘାତକ ସାଜୁଛି, ତାହା ଲୋକେ ପ୍ରତ୍ୟେକ୍ଷ ଭାବେ ବିଭିନ୍ନ ଗଣମାଧ୍ୟରେ ଦେଖିଲେ ଏବଂ ଜାଣିଲେ । ଏଣିକି ଖୋଲା ପନିର ଲୋକେ ନେବାକୁ ଭୟ କରୁଛନ୍ତି । ଫଳରେ ଓମ୍ଫେଡ୍ ପନିର ଓ ଘିଅର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଜୁନ୍ ମାସରେ ଓମ୍ଫେଡ୍ ସମଗ୍ର ରାଜ୍ୟରେ ମୋଟ 218 ମେଟ୍ରିକ୍ ଟନ୍ ପନିର ବିକ୍ରି କରିଥିବା ବେଳେ ଜୁଲାଇ ମାସରେ 235 ମେଟ୍ରିକ୍ ଟନ୍ ଏବଂ ଅଗଷ୍ଟ ମାସରେ 275 ମେଟ୍ରିକ୍ ଟନ୍ ପନିର ବିକ୍ରି କରିଛି । ଚଳିତ ମାସରେ ଏହା 300 ମେଟ୍ରିକ୍ ଟନ୍ ଛୁଇଁବ ବୋଲି ଆଶା କରାଯାଉଛି ।
କେବଳ ପନିର ନୁହେଁ, ରାଜ୍ୟରେ ଓମ୍ଫେଡର ଅନ୍ୟାନ୍ୟ ଉତ୍ପାଦର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ଜୁନ୍ ମାସରେ ଓମ୍ଫେଡର ମୋଟ କାରବାର 90 କୋଟି ଟଙ୍କା ହୋଇଥିବା ବେଳେ କେବଳ ପନିର 7.65 କୋଟି ଟଙ୍କାର ବିକ୍ରି ହୋଇଥିଲା । ସେହିପରି ଜୁଲାଇ ମାସରେ ମୋଟ କାରବାର 94 କୋଟି ଟଙ୍କା ହୋଇଥିବା ବେଳେ କେବଳ ପନିର 8.15 କୋଟି ଟଙ୍କା ଏବଂ ଅଗଷ୍ଟ ମାସରେ ମୋଟ କାରବାର 110 କୋଟି ଟଙ୍କା ହୋଇଥିବା ବେଳେ କେବଳ ପନିର 9.94 କୋଟି ଟଙ୍କାର ବିକ୍ରି ହୋଇଛି ।
ଓମ୍ଫଡ୍ ହେଉଛି ଚାଷୀମାନଙ୍କର ଏକ ସମବାୟ ସଂସ୍ଥା । ସରକାରଙ୍କ ଦ୍ୱାରା ପରିଚାଳିତ ଓମ୍ଫେଡ୍ ଦୁଗ୍ଧ ଓ ଦୁଗ୍ଧ ଜାତ ଉତ୍ପାଦର ଗୁଣବତ୍ତା ଉପରେ କୌଣସି ପ୍ରକାର ସାଲିସ କରେ ନାହିଁ । ଓମ୍ଫେଡର ନିଜସ୍ୱ ଅତ୍ୟାଧୁନିକ ପରୀକ୍ଷାଗାର ରହିଛି । ଦୁଗ୍ଧ କ୍ରୟଠାରୁ ଉତ୍ପାଦ ବଜାରକୁ ଛାଡିବା ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦର ବାରମ୍ବାର ପରୀକ୍ଷା ନିରୀକ୍ଷା କରାଯାଇଥାଏ । ଅନ୍ୟପକ୍ଷରେ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତି ପାଇଁ ଓମ୍ଫେଡର ରହିଛି ସ୍ୱୟଂ ଚାଳିତ ଅତ୍ୟାଧୁନିକ ମେସିନ । ତେଣୁ ଏଠାରେ କୌଣସି ପ୍ରକାର ଅପମିଶ୍ରଣ ହେବାର ସୁଯୋଗ ମଧ୍ୟ ନାହିଁ ବୋଲି କହିଛନ୍ତି ଓମ୍ଫେଡର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ।
ଏବେ ଓମ୍ଫେଡ୍ ଘିଅ ନକଲ ହେବା ଆମ ଦୃଷ୍ଟିକୁ ଆସିବା ପରେ ନୂଆ ପ୍ୟାକ୍ ବଜାରକୁ ଛାଡିଛି । ଏଥିରେ କ୍ୟୁଆର କୋଡ୍ ରହିଛି। ଯଦି କୌଣସି ଗ୍ରାହକଙ୍କର ସଂଦେହ ହୁଏ, ତେବେ ସେମାନେ କ୍ୟୁଆର କୋଡ ସ୍କାନ କରିଦେଲେ, ତାହା କେବେ, କେଉଁଠାରେ ପ୍ରସ୍ତୁତ ହୋଇଛି, ଏହା ଅସଲି କି ନକଲି ଆଦି ସମସ୍ତ ତଥ୍ୟ ଉପଲବ୍ଧ ହୋଇଯିବ । ସେହିପରି ପନିର ଓ ଅନ୍ୟାନ୍ୟ ଉତ୍ପାଦରେ ମଧ୍ୟ କ୍ୟୁଆର କୋଡ୍ ଖୁବ୍ ଶୀଘ୍ର ଲାଗିବାକୁ ଯାଉଛି ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ । ସେ ଆହୁରି କହିଛନ୍ତି ଯେ, ଓମ୍ଫେଡ୍ ହେଉଛି ଓଡିଶାର ଅସ୍ମିତା ଏବଂ ଲକ୍ଷ ଲକ୍ଷ ଚାଷୀଙ୍କ ଆର୍ଥିକ ବିକାଶର ମାର୍ଗ । ଅନ୍ୟପକ୍ଷରେ ଓମ୍ଫେଡ୍ କ୍ଷୀର ଓଡିଶାର । ଲକ୍ଷ ଲକ୍ଷ ଗ୍ରାହକଙ୍କର ଓମ୍ଫେଡ୍ ଉତ୍ପାଦ ଉପରେ ଦୃଢ ବିଶ୍ୱାସ ଓ ଭରସା ରହିଛି । ଆଜିକୁ ଦୀର୍ଘ 46 ବର୍ଷ ହେଲା ଲୋକଙ୍କର ଭରସା ଜିତି ଆସିଛି ଓମ୍ଫେଡ୍ । ଆଜି ମଧ୍ୟ ଲୋକମାନଙ୍କର ସେହି ଭରସା ରହିଛି ଓ ଆଗାମୀ ଦିନରେ ରହିବ । କାରଣ ଓମ୍ଫେଡ୍ ଉତ୍ପାଦର ଗୁଣାତ୍ମକ ମାନ ରକ୍ଷାକରିବାରେ ବଦ୍ଧପରିକର । ଓମ୍ଫେଡ୍ ତାର ଅଗଣିତ ଗ୍ରାହକଙ୍କୁ ଉତ୍ତମ ଗୁଣମାନର, ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ଉତ୍ପାଦ ଯୋଗାଇ ଆସୁଛି ଏବଂ ଯୋଗାଇବ । ଛୁଆଙ୍କଠାରୁ ଆରମ୍ଭ କରି ବୃଦ୍ଧ ଓ ରୋଗୀଙ୍କ ପାଇଁ କେଉଁ ପରିମାଣର ଫ୍ୟାଟ୍ ରହିବା ଦରକାର, ତାହା ମାପିଚୁପି ଏବଂ ପରୀକ୍ଷା ନିରୀକ୍ଷା କରି ବଜାରକୁ ଛାଡୁଛି ।
ତେବେ ରାଜ୍ୟର ଅଗଣିତ ଗ୍ରାହକ ବଜାରରୁ ଖୋଲା ଏବଂ ଶସ୍ତା ପନିର ନ କିଣିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଦୁନିଆରେ ସବୁଠାରୁ ସୁଖି ଏବଂ ଧନି ଲୋକ ହେଉଛି ସେହି ଯିଏ ସୁସ୍ଥ ଓ ନିରୋଗ । ତେଣୁ ଖାଣ୍ଟି ଜିନିଷ ଖାଆନ୍ତୁ, ସୁସ୍ଥ ରୁହନ୍ତୁ ।