-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
03-Nov-2020
ଭାରତୀୟ ସ୍ବାଧୀନତା ସ˚ଗ୍ରାମରେ ଅନେକ ଓଡ଼ିଆଙ୍କ ପାରିବାରିକ ଅବଦାନ ଥିଲା। ଗୋପବନ୍ଧୁ ଚୌଧୁରୀ-ରମାଦେବୀ, ନବକୃଷ୍ଣ ଚୌଧୁରୀ-ମାଳତୀ ଚୌଧୁରୀ ଆଦିଙ୍କ ଦୃଷ୍ଟାନ୍ତ ଦିଆଯାଇପାରେ। ଏହି ଦୁଇ ପରିବାର ସ୍ବାଧୀନତା ସ˚ଗ୍ରାମକୁ ନିଜର ସର୍ବସ୍ବ ଦେଇଥିଲେ। ଗୋପବନ୍ଧୁ ଓ ରମାଦେବୀଙ୍କ ଏକମାତ୍ର କନ୍ୟା ଥିଲେ ଅନ୍ନପୂର୍ଣ୍ଣା ମହାରଣା(ଜନ୍ମ: ୩ ନଭେମ୍ବର୍ ୧୯୧୭; ମୃତ୍ୟୁ: ୩୧ ଡିସେମ୍ବର୍ ୨୦୧୨); ଶ୍ରଦ୍ଧା ନାମ ‘ଚୁନି’। ସମସାମୟିକ ସମାଜରେ ‘ଚୁନିଅପା’ ଭାବେ ସେ ଜଣାଶୁଣା ଥିଲେ। ଗୋପବନ୍ଧୁ ସପରିବାର ଗାନ୍ଧୀ-ନୀତି ଗ୍ରହଣ କରିଥିବାରୁ, ଶୈଶବରେ ହିଁ ଏହାର ପ୍ରଭାବ ଚୁନିଙ୍କ ଉପରେ ପଡ଼ିଥିଲା। ମହାତ୍ମାଙ୍କ ଆଦର୍ଶରେ ସେ ଆଜୀବନ ବଞ୍ଚିଥିଲେ। ଗୋପବନ୍ଧୁ, ସରକାରୀ ବିଦ୍ୟାଳୟରେ ନିଜର ସନ୍ତାନଙ୍କୁ ପଢ଼ାଇବାକୁ ଚାହୁଁ ନ ଥିଲେ। ତେଣୁ, ଚୁନିଙ୍କର ଶିକ୍ଷା ଘରେ ହୋଇଥିଲା। ଘରେ ସେ ପଢ଼ିଥିଲେ; ଜ୍ଞାନାର୍ଜନ କରିଥିଲେ। ପିତା-ମାତାଙ୍କର ଶ୍ରେଷ୍ଠ ଗୁଣଗୁଡ଼ିକ ତାଙ୍କଠାରେ ବିକଶିତ ହୋଇଥିଲା ଏବ˚ ସେ ଅତ୍ୟନ୍ତ ଶୃଙ୍ଖଳିତ ଓ ପାରଙ୍ଗମ ହୋଇପାରିଥିଲେ। ତେର ବର୍ଷ ବୟସରେ ସେ ସ୍ବାଧୀନତା ସ˚ଗ୍ରାମରେ ଯୋଗଦେଇଥିଲେ ଏବ˚ ୧୯୩୨ରେ ମାତ୍ର ପନ୍ଦର ବର୍ଷ ବୟସରେ ଜେଲ୍ ଯାଇଥିଲେ। ୧୯୩୪ରେ ସେ ମହାତ୍ମାଙ୍କ ସହ ପୁରୀରୁ-ଭଦ୍ରକ ହରିଜନ ପଦଯାତ୍ରାରେ ଯୋଗଦେଇଥିଲେ। ହରିଜନ ସେବାକୁ ସେ ଜୀବନର ଏକ ବ୍ରତ ଭାବେ ଗ୍ରହଣ କରିଥିଲେ। ୧୯୪୨ରେ ପିତାଙ୍କ ଇଚ୍ଛା ଅନୁଯାୟୀ ଚୁନି ଅସବର୍ଣ୍ଣ ବିବାହ କରିଥିଲେ। ପତି ଶରତ ଚନ୍ଦ୍ର ମହାରଣା ଥିଲେ ବୈଶ୍ୟ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ତାଙ୍କୁ ପ୍ରାୟ ଅଢ଼େଇ ବର୍ଷ କାରାଗାରରେ ଅଟକ ରହିବାକୁ ପଡ଼ିଥିଲା। ୧୯୫୮ରେ ସନ୍ଥ ବିନୋବାଙ୍କ ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ। ଜୟପ୍ରକାଶ ନାରାୟଣଙ୍କ ସ˚ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଜୟପ୍ରକାଶଙ୍କ ନେତୃତ୍ବରେ ଚମ୍ବଲର ଦୁର୍ଦ୍ଧର୍ଷ ଡକାଏତମାନଙ୍କ ଆତ୍ମ-ସମର୍ପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଥିଲେ। ଉକ୍ତ ଅଭିଜ୍ଞତାକୁ ନେଇ ଲେଖିଥିଲେ- ‘ଦସ୍ୟୁ ହୃଦୟର ଦେବତା’।*