-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ବୌଦ୍ଧ (ପ୍ରେରଣା ଖବର ବ୍ୟୁରୋ) : ଗତ ରବିବାର ରାତିରେ ବାଉଁଶୁଣୀ ଥାନା ଅନ୍ତର୍ଗତ ଗୋଛାପଡା ଗ୍ରାମପଞ୍ଚାୟତର ମଲ୍ଲିକପଡା ଗ୍ରାମରେ ନିଜ ସାନ ଭାଇକୁ ହତ୍ୟାକରି ନିଆଁରେ ପୋଡି ଦେଇଥିବା ମାମଲାର ଅନ୍ୟତମ ଫେରାର ଅଭିଯୁକ୍ତ ମଝିଆ ଭାଇ ପ୍ରଶାନ୍ତ ଜାନୀ ପୋଲିସ ହାତରେ ଧରା ପଡିଥିବା ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ ସୁଚନା ଦେଇଛନ୍ତି । ଆଜି ସକାଳେ ବ୍ରାହ୍ମଣୀପାଲି ଗ୍ରାମ ପଞ୍ଚାୟତ ରେଙ୍ଗାଲି ରାସ୍ତାରେ ପ୍ରଶାନ୍ତ ଚାଲିଚାଲି ଯାଉଥିବା କୌଣସି ସୂତ୍ରରୁ ବାଉଁଶୁଣି ପୋଲିସ ଖବରପାଇ ତାକୁ ଧରିଥିବା ଜଣାପଡ଼ିଛି । ଅନ୍ୟତମ ଅଭିଯୁକ୍ତ ବଡ଼ ଭାଇ ସାର୍ତ୍ତିକ ଜାନୀ ଏବେ ମଧ୍ୟ ଫେରାର୍ ଅଛି ଓ ପୋଲିସ୍ ତାର ଟେର୍ସୁଦ୍ଧା ପାଇପାରିନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାଉଁଶୁଣୀ ଥାନା ଗୋଛାପଡା ଗ୍ରାମପଞ୍ଚାୟତ ମଲ୍ଲିକପଡା ଗ୍ରାମର ସନ୍ତୋଷ ଜାନୀ (୩୨) ଙ୍କ ସହ ବଡ଼ ଭାଇ ସାର୍ତ୍ତିକ ଜାନୀ (୪୦ ) ଓ ମଝିଆ ଭାଇ ପ୍ରଶାନ୍ତ ଜାନୀ (୩୬) ଙ୍କ ମଧ୍ୟରେ ରବିବାର ସନ୍ଧ୍ୟାରେ ପାରିବାରିକ କଳହକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ବଚସା ହୋଇଥିଲା । ଉଭୟ ବଡ଼ ଭାଇ ଓ ମଝିଆ ଭାଇ ମିଶି ସାନଭାଇ ସନ୍ତୋଷକୁ ହତ୍ୟା କରିଥିଲେ । ତାପରେ ସନ୍ତୋଷର ଶବକୁ ନେଇ ଘର ସାମ୍ନାରେ ଥିବା ଏକ ବିଲରେ କିରୋସିନ ଢାଳି ପୋଡି ଫେରାର ହୋଇଯାଇଥିଲେ । ବାଉଁଶୁଣୀ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦରପୋଡା ଶବ ଓ ପାଉଁଶ ଜବତ କରି ଘଟଣାର ତଦନ୍ତ ଜାରିରଖିଛି । ମୃତ ସନ୍ତୋଷ ଆଦିବାସୀ ଯୁବକ ହିସାବରେ ପୋଲିସ୍ ବିଭାଗରେ ପ୍ରଥମେ ଏସ.ପି.ଓ. ଭାବେ ଭର୍ତ୍ତି ହୋଇଥିଲେ ଓ ପରେ କନେଷ୍ଟବଳ ପଦବୀକୁ ପଦୋନ୍ନତି ପାଇ ବୌଦ୍ଧ ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ । ଆଜି ଧରାପଡିଥିବା ମଝିଆ ଭାଇ ପ୍ରଶାନ୍ତ ଜାନୀ ପୁର୍ବରୁ ଅନ୍ୟ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲରେ ଥିଲେ ଓ କିଛି ଦିନ ତଳେ ଖଲାସ୍ ହୋଇ ଘରକୁ ଆସିଥିଲେ ।