-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
06-Oct-2026
କଟକ, ୬।୧୦:(ତପନ ମହାନ୍ତି) କଟକ ପୂର୍ତ୍ତ ବିଭାଗରେ ବିଲ୍ ପାସ୍ ଏବଂ ଠିକା କାମକୁ ନେଇ ଏକ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ବଦଳି ଆଦେଶ ପରେ ନୂତନ କାର୍ଯ୍ୟସ୍ଥଳରେ ଯୋଗଦେଇଥିବା ଜଣେ ଇଂଜିନିୟର ପୁଣି ନିଜ ପୂର୍ବ କାର୍ଯ୍ୟସ୍ଥଳକୁ ଆସି ପୁରୁଣା ତାରିଖରେ ବିଭିନ୍ନ ବିଲ୍ରେ ଦସ୍ତଖତ କରୁଥିବା ନେଇ ଅଭିଯୋଗ ହେଉଛି। ଏହା ପଛରେ ଠିକାଦାରଙ୍କଠାରୁ କଥିତ ‘ପିସି’ ଆଦାୟ ଉଦ୍ଦେଶ୍ୟ ରହିଥିବା ନେଇ ମଧ୍ୟ ବିଭାଗୀୟ ମହଲରେ ଚର୍ଚ୍ଚା ଜୋର ଧରିଛି।ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଇଂଜିନିୟରଙ୍କ ବଦଳି ହେବା ପରେ ସେ ନିର୍ଦ୍ଧାରିତ ସ୍ଥାନରେ ଯୋଗଦାନ କରିଥିଲେ। ତେବେ ଯୋଗଦାନ ପରେ ତାଙ୍କ ପୂର୍ବ କାର୍ଯ୍ୟସ୍ଥଳରେ ଥିବା କେତେକ ଠିକା କାମର ବିଲ୍ ଏବଂ ଅନ୍ୟାନ୍ୟ ଆର୍ଥିକ ନଥିପତ୍ରରେ ପୁରୁଣା ତାରିଖ ଦର୍ଶାଇ ଦସ୍ତଖତ କରାଯାଉଥିବା ନେଇ ପ୍ରଶ୍ନ ଉଠିଛି। ଯଦି ଏହି ଅଭିଯୋଗ ସତ୍ୟ ହୁଏ, ତେବେ ବଦଳି ଏବଂ ଯୋଗଦାନ ତାରିଖ ପରେ ପୂର୍ବ କାର୍ଯ୍ୟସ୍ଥଳର ବିଲ୍ରେ କେଉଁ ଅଧିକାର ବଳରେ ଦସ୍ତଖତ କରାଗଲା, ତାହା ତଦନ୍ତ ସାପେକ୍ଷ।ବିଶେଷକରି ବିଲ୍ ପ୍ରସ୍ତୁତି ତାରିଖ, ମେଜରମେଣ୍ଟ ବୁକ୍ (ଏମ୍ବି), ବିଲ୍ ଯାଞ୍ଚ ଓ ଅନୁମୋଦନ ତାରିଖ, ଅଧିକାରୀଙ୍କ ରିଲିଭ୍ ଓ ନୂତନ ସ୍ଥାନରେ ଯୋଗଦାନ ତାରିଖକୁ ମେଳ କରାଗଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ମତ ପ୍ରକାଶ ପାଉଛି।ଅନ୍ୟପଟେ, ବିଲ୍ ପାସ୍ କରାଇବା ଆଳରେ ଠିକାଦାରମାନଙ୍କଠାରୁ କଥିତ ଭାବେ ‘ପିସି’ ଦାବି କରାଯାଉଥିବା ଅଭିଯୋଗ ମଧ୍ୟ ଉଠିଛି। କିନ୍ତୁ ଏହି ଅଭିଯୋଗର ସ୍ୱତନ୍ତ୍ର ପୁଷ୍ଟି ଏପର୍ଯ୍ୟନ୍ତ ହୋଇପାରିନାହିଁ।
ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୂର୍ତ୍ତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ରିଲିଭିଂ ଅର୍ଡର, ଜଏନିଂ ରିପୋର୍ଟ, ଏମ୍ବି, ବିଲ୍ ରେଜିଷ୍ଟର ଓ ଅନଲାଇନ୍ ରେକର୍ଡ ଯାଞ୍ଚ କରିବାକୁ ଦାବି ହେଉଛି। ଅଭିଯୋଗ ପ୍ରମାଣିତ ହେଲେ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ହେଲେ ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି ଉଠିଛି।