-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
01-Aug-2026
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ବଲାଙ୍ଗୀର ଜିଲ୍ଲା ସଦର ମହକୁମାରୁ ମାତ୍ର ୧୮ କିମି ଦୂରସ୍ଥ ଦେଓଗାଁ' ବ୍ଲକ୍ ର ସାଗରପାଲି ସ୍ଥିତ ବଲାଙ୍ଗୀର ସମଗ୍ର ଶିକ୍ଷା ଅଭିଯାନ ଅନ୍ତର୍ଗତ କସ୍ତୁରବା' ଗାନ୍ଧୀ ବାଳିକା ବିଦ୍ୟାଳୟର ଦୁରବସ୍ଥା ପ୍ରତି କେହି ଦୃଷ୍ଟି ଦେଉ ନାହାଁନ୍ତି। ବଲାଙ୍ଗୀର-ଟିଟିଲାଗଡ ମୁଖ୍ୟରାସ୍ତା କଡରେ ଅବସ୍ଥିତ ଏହି ସ୍ବତନ୍ତ୍ର ବାଳିକା ବିଦ୍ୟାଳୟଟି ସମ୍ମୁଖ ଦେଇ ଯାଇଥିବା ରାସ୍ତାରେ ଜିଲ୍ଲାପାଳଙ୍କ ଠାରୁ ବିଧାୟକ, ମନ୍ତ୍ରୀ, ସାଂସଦ ସମସ୍ତେ ଯାତାୟାତ କରୁଥିଲେ ହେଁ, ଏହି ଶିକ୍ଷାନୁଷ୍ଠାନର ଅବ୍ୟବସ୍ଥା ବା ଅନିୟମିତତା ଆଡକୁ ଆଖି ପକାଉନାହାଁନ୍ତି। ଏକଦା ପୋନ୍ନି ସୁଗାର୍ସ ପରିସର ଏବର ଅଗ୍ନିଶମ ସେବା କେନ୍ଦ୍ର ପାଖର ଆରମ୍ଭରୁ ଅଦ୍ୟାବଧି ଏହି ଶତାଧିକ ଅନ୍ତେବାସିନୀ ଛାତ୍ରୀଙ୍କ ଆବାସିକ ବିଦ୍ୟାଳୟର କୋଠା, ପୁରୁଣା ଶ୍ରେଣୀଗୃହ, ଖାଇବା ବାରଣ୍ଡା ଓ ରନ୍ଧାଶାଳ ଇତ୍ୟାଦିର ଛାତରୁ ପାଣି ଗଳୁଛି।
ପାନୀୟଜଳର ଅଭାବ ରହିଛି । ପାଣିଟାଙ୍କି ଅଛି , କିନ୍ତୁ ପାଇପ୍ ପାଣି ଦିଆଯାଉଥିଲେ ହେଁ ଥରକରେ ପୁରୁନାହିଁ । ଗୋଟିଏ ନଳକୂପରୁ ବାହାରୁନୁ ଓ ଅଳ୍ପ ପାଣି ବାହାରିଲେ ବି ଅଣ୍ଟୁନି। ସବୁଥିରୁ ମୁଖ୍ୟ ସମସ୍ୟା ରହିଛି ବିଦ୍ୟୁତ୍ ଯୋଗାଣରେ । ଏବେ ଅସ୍ଥାୟୀ ଭାବରେ ପାର୍ଶ୍ୱସ୍ଥ ଅଗ୍ନିଶମ କେନ୍ଦ୍ରରୁ ଲାଇନ୍ ମାଗିକରି ଅଣାଯାଇ କାମ ଚଳାଯାଉଛି। ଏଠାରେ ଏକ ଟ୍ରାନ୍ସଫର୍ମର ନିତାନ୍ତ ଆବଶ୍ୟକ ରହିଥିଲେ ହେଁ କେହି କର୍ଣ୍ଣପାତ କରୁନାହାଁନ୍ତି ।
ଏହି କେଜିବିଭିଟି ରହିଥିବା ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବଦଳି ହୋଇଯାଇଛି। କେଜିବିଭିର ଇନ୍ ଚାର୍ଜ ଅଛନ୍ତି ବଲାଙ୍ଗୀରରେ ରହି ଯାଆଆସ କରୁଥିବା ମିତାମୟୀ ନାୟକ। ୧୪୦ ସଂଖ୍ୟାବିଶିଷ୍ଟ ଛାତ୍ରୀନିବାସ ଓ ୧୪୦ ଛାତ୍ରୀଙ୍କ ସମେତ ଆଉ ୭ ଜଣ ଅଧିକା ଛାତ୍ରୀ ରହିଥିବା ଇନଚାର୍ଜ ଠାରୁ ପ୍ରକାଶ । ତାଙ୍କ ସମେତ ୨ ଜଣ ଏଲିମେଣ୍ଟାରୀ ଶିକ୍ଷୟିତ୍ରୀ , ପାର୍ଟଟାଇମ୍ ଟିଚର ଓ ୨ ଜଣ ମହିଳା କର୍ମଚାରୀ ଓ ରାନ୍ଧୁଣୀ ଅଛନ୍ତି।
ଗତକାଲି ଓ ତା' ପୂର୍ବଦିନ ଦୁଇଦିନ ଧରି ହଷ୍ଟେଲର ମେଟ୍ରନ୍ ନିରୁପମା ମେହେର ଓ ଆକଉଣ୍ଟାଣ୍ଟ ନିହାରୀକା ମେହେର ଶତାଧିକ ଛାତ୍ରୀଙ୍କୁ ଛାଡି ଅନୁପସ୍ଥିତ ରହିଥିବା ଓ ସେମାନେ କୁଆଡେ ପୁଇଁତଳା ରାଜ୍ୟ ଯୋଗାଣ ନିଗମର ଗୋଦାମକୁ ହଷ୍ଟେଲର ଛାତ୍ରୀଙ୍କ ପାଇଁ ଚାଉଳ ଆଣିବାକୁ ଯାଇଥିବା ଇନ୍ ଚାର୍ଯ ଶିକ୍ଷୟିତ୍ରୀ କହିଥିଲେ । ହଷ୍ଟେଲର ମେଟ୍ରନ୍ ଓ ଆକଉଣ୍ଟାଣ୍ଟ ଥିବା ମହିଳା କର୍ମଚାରୀମାନେ ଏତେବାଟ ଯାଇ ଚାଉଳ ଆଣିବା ନିୟମ ଅଛି କି ବୋଲି ଫୋନ୍ ଯୋଗେ ବଲାଙ୍ଗୀର ଏସ୍ ଏସ୍ ଏ ର ଜେଣ୍ଡର କୋ- ଅର୍ଡିନେଟର ସନ୍ତୋଷ କୁମାର ମହାରଣାଙ୍କୁ ପଚାରିବାରୁ ସେ ତାଙ୍କର ପ୍ରାୟ ଏକବର୍ଷ ଦାୟିତ୍ବ ନେବା ଭିତରେ ଏ ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାଣି ନ ଥିବା କୈଫିୟତ୍ ଦେବା ସହିତ ଉପରିସ୍ଥ ଅଧିକାରୀ ଡିପିସିଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ । ତେବେ ଏ ସମ୍ପର୍କରେ ଉପରୋକ୍ତ ଦୁଇଜଣ ମହିଳା କର୍ମଚାରୀ ତାଙ୍କଠାରୁ ଲିଖିତ ନିର୍ଦ୍ଦେଶ ନେଇଥିବା ଓ ଆଖପାଖର ଆହୁରି ଅନେକ କେଜିବିଭି ଯାଇ ଚାଉଳ ଆଣୁଥିବା ପ୍ରକାଶ କରିଥିଲେ । ତାଙ୍କ କହିବାମତେ ହଷ୍ଟେଲର ଶତାଧିକ ପିଲାମାନଙ୍କ ପାଇଁ ତିନିମାସରେ ଥରେ ଏହି ଚାଉଳ ଅଣାଯାଇଥାଏ । ସେହି ସମୟରେ ଏକ ହାଫଟନ୍ ରେ ୩୦ କ୍ବିଣ୍ଟାଲ ବା ୬୦ ପ୍ୟାକେଟ୍ ଚାଉଳ ଆସି ପହଞ୍ଚିଥିଲା ଓ ବିନା ଓଜନରେ ବା ବିନା ତଦାରଖରେ ଇନ୍ ଚାର୍ଯ ତାହାକୁ ଗ୍ରହଣ କରିଥିବା ଦେଖାଯାଇଥିଲା । ଏହି ବାବଦ ପରିବହନ ଖର୍ଚ୍ଚ ଡିଜିକଫ୍ ପାଣ୍ଠିରୁ ବହନ କରାଯାଉଥିବା ତାଙ୍କ ସୂତ୍ରରୁ ପ୍ରକାଶ ।
ଉଲ୍ଲେଖଯୋଗ୍ୟ ଯେ ଗତ ସୋମବାର ଦିନ ଏହିଜିଲ୍ଲାର ପାଟଣାଗଡ ବ୍ଲକ୍ ର ସୋଲବନ୍ଧ କେଜିବିଭିର ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସହ ଜଣେ ସେହି ଶ୍ରେଣୀର ଛାତ୍ରୀ କନ୍ଧେଇଟାଲର ମାନସୀ ମଲ୍ଲିକ ନାମ୍ନୀ ଛାତ୍ରୀର ଅଚାନକ ଅସୁସ୍ଥତାରୁ ମୃତ୍ୟୁ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କିନ୍ତୁ ଏହା ସମେତ ଜିଲ୍ଲାର ଅନ୍ୟାନ୍ୟ ୧୩ ଟି କେଜିବିଭିରେ ବିଭାଗୀୟ , ପ୍ରାଶାସନିକ ବା ସ୍ବାସ୍ଥ୍ୟବିଭାଗର ତତ୍ପରତା ଲକ୍ଷ୍ୟ କରାଯାଇନାହିଁ ! ଅଧିକନ୍ତୁ ଏହି ଘଟଣା ପରେ ଗତ ୩୧ ତାରିଖରେ ଦେଓଗାଁ' କେଜିବିଭିର ୬ଷ୍ଠ ଶ୍ରେଣୀର ରାମଚନ୍ଦ୍ରପୁର ଗ୍ରାମର ଜଣେ ଛାତ୍ରୀ ଅନୁରୂପ ଭାବେ ପେଟବ୍ୟଥା ଜନିତ ଅସୁସ୍ଥ ହୋଇପଡ଼ିଥିବାରୁ ସ୍କୁଲ୍ ତରଫରୁ ତାଙ୍କ ଘରଲୋକଙ୍କୁ ଖବର ଦେଇ ଡକାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଉକ୍ତ ପୀଡିତା ଛାତ୍ରୀ କିମ୍ବା ତାଙ୍କ ଅଭିଭାବକଙ୍କୁ ପଛଦ୍ୱାର ଦେଇ ଘରକୁ ପଠାଇ ଦିଆଯାଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। ସବୁଠାରୁ କ୍ଷୋଭର ବିଷୟ ଏହା ଯେ , ଏଭଳି ଦୁଃସମୟରେ ହଷ୍ଟେଲର ମେଟ୍ରନ୍ ଓ ଆକଉଣ୍ଟାଣ୍ଟ ଅନୁପସ୍ଥିତ ରହିବା ଏବଂ ଏ ସମ୍ପର୍କିତ ସୂଚନା ପାଇ ମଧ୍ଯ ଜେଣ୍ଡର କୋ-ଅର୍ଡିନେଟର ନୀରବ ରହିଯିବା ।
ପ୍ରକାଶଯୋଗ୍ୟ ଯେ , ଆରମ୍ଭରୁ ଅଦ୍ୟାବଧି ଏହି ଦେଓଗାଁ' କେଜିବିଭିରେ ଦୁଇଜଣ ପୂର୍ବତନ ଅଧିକାରିଣୀଙ୍କ ବିରୁଦ୍ଧରେ ପିଲାମାନଙ୍କ ମେସ୍ ଆଦି ଖର୍ଚ୍ଚରୁ ନିୟମିତ ଲକ୍ଷାଧିକ ଟଙ୍କାର ବାଟମାରଣାର ଅଭିଯୋଗ ହୋଇଆସୁଥିଲା ହେଁ ଆରମ୍ଭରୁ କୋଟି କୋଟି ଟଙ୍କାର ଦୁର୍ନୀତି କରି ଧରାପଡି ଜେଲ୍ ଯାଇଥିବା ଦୁଇଜଣ ପୂର୍ବତନ କ୍ୟାସିୟର୍ ଓ ଆକାଉଣ୍ଟାଣ୍ଟ ଜେଠୁ ସାହୁ ଓ ଡାକ୍ତର ସାହୁ ପରି ବହିଷ୍କୃତ ଅସ୍ଥାୟୀ କର୍ମଚାରୀ ଏବଂ ଅନ୍ୟାନ୍ୟ ଅନେକ ଅସାଧୁ କର୍ମଚାରୀଙ୍କର ଆଡ୍ଡା ପାଲଟିଥିବା ବଲାଙ୍ଗୀର ଏସ୍ ଏସ୍ ଏ ଏସବୁ ଅଭିଯୋଗକୁ ଚପାଇ ଅଭିଯୁକ୍ତ କର୍ମଚାରୀଙ୍କର ବଦଳି କରି ଆସୁଥିବା ଚର୍ଚ୍ଚିତ ହୋଇ ଆସୁଛି । ଏବେ ବାର୍ଷିକ ପ୍ରାୟ ଶହେକୋଟି ବ୍ୟୟ କରୁଥିବା ଏହି ସମଗ୍ର ଶିକ୍ଷା କାର୍ଯ୍ୟକ୍ରମଟି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନସ୍ଥ ରହିଛି ଓ ପ୍ରତ୍ୟେକ କ୍ଷେତ୍ରରେ ଏଭଳି ଚରମ ଅନିୟମିତତା ଜାରୀ ରହିଛି । ମୁଖ୍ୟତଃ ମେସ୍ ରୁ ପିଲାମାନଙ୍କ ଖାଦ୍ୟପେୟରେ ବାଟମାରଣା ଚାଲିଛି । ତଳୁ ଉପର ସ୍ତର ପର୍ଯ୍ୟନ୍ତ ପିସି ଚାଲିଥିବାରୁ ଓ ଆରମ୍ଭରୁ ଜିଲ୍ଲା କାର୍ଯ୍ୟାଳୟରେ ବହୁ ପୁରୁଣାମୂଷା ଆସ୍ଥାନ ଜମାଇ ବସିରହି ଥିବାରୁ ଏସବୁ ଅନିୟମିତତା ବା ଅଘଟଣର ଉଚିତ୍ ତଦନ୍ତ ସୁଦ୍ଧା ହେଉନାହିଁ।