-+91-9937148622 |
prerana_bgr@rediffmail.com |
Friday 31st July 2026 |
R.N.I. Regd No. ODIODI/2010/46693
Breaking News
31-Jul-2026
ସୁନ୍ଦରଗଡ଼: ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଏବଂ ପରିମଳ ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜ ତିନି ଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହି ଅବସରରେ କ୍ଷେତ୍ର ପରିଦର୍ଶନ କରିବା ସହିତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ବୈଠକ କରିଥିଲେ।
ଆଜି ପ୍ରଥମେ ସଦର ବ୍ଲକ୍ ଅର୍ନ୍ତଗତ ଭସ୍ମା ଅଞ୍ଚଳ ଗସ୍ତ କରି ସେଠାକାର ନିର୍ମାଣଧୀନ ଜଳ ବିଶୋଧନ ପ୍ଲାଣ୍ଟ ପ୍ରକଳ୍ପର କାର୍ଯ୍ୟକାରିତା ତଥା ଅଗ୍ରଗତି ସମୀକ୍ଷା କରିବା ସହିତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ପରେ ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ଉପସ୍ଥିତିରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ମଧ୍ୟ କରିଥିଲେ। ଏହି ଅବସରରେ ଶ୍ରୀ ଭରଦ୍ୱାଜ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ପ୍ରକଳ୍ପ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଅଗ୍ରଗତି, କାର୍ଯ୍ୟାନ୍ୱୟନ ଏବଂ ଫଳପ୍ରଦତା ଉପରେ ବିସ୍ତୃତ ସମୀକ୍ଷା କରିଥିଲେ। ବିଶେଷ କରି ପ୍ରତ୍ୟେକ ବିଭାଗ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ।
ବୈଠକରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ ବିଭାଗର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରାଯିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରିବା ସମୟରେ ଆନୁଷଙ୍ଗିକ ବିଭାଗ ଗୁଡିକ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ବିଶେଷକରି ଗ୍ରାମିଣ ହିତାଧିକାରୀଙ୍କ ଘରେ କିପରି ଟ୍ୟାପ ଜଳ ପହଞ୍ଚି ପାରିବ ସେ ନେଇ ଆଲୋଚନା କରଯାଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ ଓ ୱାଟକୋର ବିଭିନ୍ନ କାର୍ଯ୍ୟକ୍ରମ
ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ଏବଂ ବିଶେଷ କରି ପରିମଳ ବ୍ୟବସ୍ଥା ଏବଂ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ସେହିଭଳି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଭିତ୍ତିଭୂମି, ସ୍ମାର୍ଟ କ୍ଲାସ ରୁମ୍, ପି ଏମ ଶ୍ରୀ ବିଦ୍ୟାଳୟ ଆଦି ଉପରେ ଆଲୋଚନା କରାଯାଇଥିଲା। ସେହିଭଳି ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ ବିକାଶ, ଜିଲ୍ଲା ଯୋଗାଣ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ଟି ପି ଡବ୍ଲୁ ଓ ଡି ଏଲ, ଜିଲ୍ଲା ମଙ୍ଗଳ ବିଭାଗ, ସମସ୍ତ ଆଇ. ଟି.ଡି. ଏ., ସମବାୟ ଆଦି ଅନ୍ୟାନ୍ୟ ବିଭାଗ ଗୁଡ଼ିକର ବିଭିନ୍ନ ପ୍ରକଳ୍ପ ଯୋଜନା ଆଦି ଉପରେ ଆଲୋଚନା କରାଯାଇଥିଲା ଏବଂ ବିଭାଗୀୟ ଅଧିକାରୀ ମାନେ ନିଜ ବିଭାଗ ଅର୍ନ୍ତଗତ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହିତ ମତାମତ ମଧ୍ୟ ପ୍ରଦାନ କରିଥିଲେ।
ଶେଷରେ ଶ୍ରୀ ଭାରଦ୍ୱାଜ ପ୍ରତ୍ୟେକ ଯୋଜନାର ସୁଫଳ ଯେପରି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସମୟୋପଯୋଗୀ ଓ ସୁନିଶ୍ଚିତ ଭାବେ ପହଞ୍ଚିପାରିବ, ସେଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।