-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
14-Jun-2026
କଟକ (ପ୍ରେରଣା): ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ଆଳରେ ବ୍ୟାପକ ଦୁର୍ନୀତି ଏବେ ସାମନାକୁ ଆସିଛି। କେନାଲ୍ର ଦୁଇ ପାର୍ଶ୍ଵରେ ସୌନ୍ଦର୍ଯ୍ୟକରଣ ପାଇଁ ଜିଓ ସିନ୍ଥେଟିକ୍ ବିଛାଇବା ନାଁରେ ଟଙ୍କା ହଡ଼ପ ଚାଲିଛି। ଯୋବ୍ରାଠାରୁ ନୂଆବଜାର ପୋଲ ୪ କିଲୋମିଟର ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ଜିଓ ସିନ୍ଥେଟିକ୍ ୱାଲ ନିର୍ମାଣ ଓ କେନାଲର ଜଳ ପ୍ରବାହ ଅଞ୍ଚଳକୁ ମାଟି ବଦଳରେ କଙ୍କ୍ରିଟ କରିବା ପାଇଁ ୭୦ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ ହୋଇଥିଲା | କିନ୍ତୁ ୩ ବର୍ଷ ପରେ ବି ଏ ପର୍ଯ୍ୟନ୍ତ କାମ ସରିନି। ସେହିପରି ପୂର୍ତ୍ତବିଭାଗ-୧ ପକ୍ଷରୁ ନୂଆବଜାର ପୋଲଠାରୁ ବିଦ୍ୟାଧରପୁର ସାଇ ମନ୍ଦିର ପର୍ଯ୍ୟନ୍ତ ବାମ ପାର୍ଶ୍ଵରେ ପାଚେରି ନିର୍ମାଣ କରାଯାଇଛି। ପୂର୍ତ୍ତବିଭାଗ-୧ ସହକାରୀ ନିର୍ବାହୀ ଯନ୍ତ୍ରୀ ବେହେରା କହିଛନ୍ତି ଯେ, ନୂଆବଜାର ପୋଲ ପାଖରୁ ବିଦ୍ୟାଧରପୁର ସାଇ ମନ୍ଦିର ପର୍ଯ୍ୟନ୍ତ ୫୫ ନଂ ଜାତୀୟ ରାଜପଥକୁ ସ୍ପର୍ଶ କରୁଥିବାରୁ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପାଚେରି ନିର୍ମାଣ ହେଇଛି| ବାହାର ବର୍ଜ୍ୟ ବସ୍ତୁ ଯେପରି ତାଳଦଣ୍ଡା କେନାଲକୁ ନ ପଶିବ ସେଥିପାଇଁ ପାଚେରି ନିର୍ମାଣ ହୋଇଛି କିନ୍ତୁ ଯୋବ୍ରାଠାରୁ ନୂଆବଜାର ମଧ୍ୟରେ ୬ଟି ସ୍ଥାନରେ କଟକ ସହରର ଆବର୍ଜନା ପାଣି ତାଳଦଣ୍ଡା କେନାଲରେ ମିଶୁଛି। ବିଦ୍ୟାଧରପୁର ତାଳଦଣ୍ଡା କେନାଲ ପାର୍ଶ୍ଵରେ ଆବର୍ଜନା ପାଣି ନିଷ୍କାସନ ହେବାକୁ ପମ୍ପ ବସିଛି। ତେବେ ଏହି ପାଚେରି କେଉଁ ପାଣି ଅଟକାଇବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୂଆବଜାର ପୋଲଠାରୁ କିଛି ଦୂରରେ ହନୁମାନ ମନ୍ଦିର ପଛପଟ ଠାରୁ ପାଚେରି ନିର୍ମାଣ ଆରମ୍ଭ ହୋଇଛି। ମଝିରେ ଦୁଇଟି ସ୍ଥାନରେ ଖୋଲାରହିଛି। ହନୁମାନ ମନ୍ଦିରଠାରୁ ବିଦ୍ୟାଧରପୁର ସାଇ ମନ୍ଦିର ଦୂରତା ପ୍ରାୟ ୩ଶହ ମିଟର ହେବ ୧୦ ଇଞ୍ଚର ପାଚେରିରେ ବ୍ୟବହାର ହୋଇଥିବା ରଡରେ କଳଙ୍କି ଲାଗି ଗଲାଣି। କିନ୍ତୁ ଏଯାଏ ପାଚେରି ନିର୍ମାଣ ସଂପୂର୍ଣ୍ଣ ହୋଇନି କିନ୍ତୁ ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ, ସବୁ କାମ ସରିଛି| କିନ୍ତୁ ଏହି ପାଚେରି ନିର୍ମାଣରେ ଦୁଇ କୋଟି ଟଙ୍କା କିପରି ଖର୍ଚ୍ଚ ହେଲା ତାହାକୁ ନେଇ ପ୍ରଶ୍ନ ଉଠୁଛି।