-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
09-Aug-2026
ବଲାଙ୍ଗୀର(ପ୍ରେରଣା ଖବର)): ମା' ଓ ଶିଶୁଙ୍କ ସୁସ୍ଥ ଭବିଷ୍ୟତ ପାଇଁ ସ୍ତନ୍ୟପାନ ସମ୍ପର୍କରେ ସଠିକ୍ ଜ୍ଞାନ, ସକାରାତ୍ମକ ଅଭ୍ୟାସ ଏବଂ ପରିବାର ଓ ସମୁଦାୟର ସହଯୋଗ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପଲ୍ଲୀ ଆଲୋକ ପାଠାଗାର (PAP) ପକ୍ଷରୁ ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ (CRY), କୋଲକାତାର ସହଯୋଗରେ ବିଭିନ୍ନ ଅଞ୍ଚଳରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳନ କରାଯାଇଛି।
ଏହି ଅବସରରେ ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକର ପଲସଡ଼ା ଓ କେର୍ମେଲାବାହାଲ, ଗାଇସିଲେଟ ବ୍ଲକର କଟାବାହାଲ, ଏବଂ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକର ଫଟାମୁଣ୍ଡା ଓ ଭରତବାହାଲ ଗ୍ରାମପଞ୍ଚାୟତରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମଗୁଡ଼ିକରେ ସଚେତନତା କର୍ମଶାଳା, କୁଇଜ୍ ପ୍ରତିଯୋଗିତା, ଶପଥ ଗ୍ରହଣ, ଜନସଚେତନତା ରାଲି ଏବଂ ‘ଆୟ ଓ ବ୍ୟୟ’ ଭଳି ଶିକ୍ଷଣୀୟ ଖେଳ ଆୟୋଜନ କରାଯାଇଥିଲା। ଖେଳ ଓ ପ୍ରତିଯୋଗିତା ମାଧ୍ୟମରେ ମା' ଓ ଶିଶୁଙ୍କ ପୋଷଣ, ସ୍ତନ୍ୟପାନ ଏବଂ ପରିବାରର ଭୂମିକା ସମ୍ପର୍କରେ ସହଜ ଓ ଆକର୍ଷଣୀୟ ଭାବରେ ସନ୍ଦେଶ ପହଞ୍ଚାଯାଇଥିଲା।
ସଚେତନତା କାର୍ଯ୍ୟକ୍ରମରେ ଶିଶୁ ଜନ୍ମ ପରେ ଯଥାଶୀଘ୍ର କୋଲଷ୍ଟ୍ରମ୍ ବା ପ୍ରଥମ କ୍ଷୀର ପିଆଇବା ଏବଂ ଶିଶୁର ଜୀବନର ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ମା' କ୍ଷୀର ଦେବାର ଗୁରୁତ୍ୱ ଉପରେ ବିଶେଷ ଆଲୋଚନା କରାଯାଇଥିଲା। କୋଲଷ୍ଟ୍ରମ୍ ଶିଶୁର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବା ସହିତ ସ୍ତନ୍ୟପାନ ଶିଶୁର ସଠିକ୍ ବୃଦ୍ଧି ଓ ବିକାଶ ପାଇଁ ଆବଶ୍ୟକ ପୋଷଣ ଯୋଗାଇଥାଏ ବୋଲି ବୁଝାଯାଇଥିଲା।
ଏହା ସହିତ ସ୍ତନ୍ୟପାନର ମା'ଙ୍କ ପାଇଁ ଥିବା ବିଭିନ୍ନ ଉପକାରିତା ଏବଂ ମା'ଙ୍କୁ ପରିବାର ପକ୍ଷରୁ ଆବଶ୍ୟକ ସହଯୋଗ ଦେବାର ଗୁରୁତ୍ୱ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସଠିକ୍ ସ୍ତନ୍ୟପାନ ପଦ୍ଧତି, ଶିଶୁକୁ ଠିକ୍ ଭାବରେ ଧରିବା, ସଠିକ୍ ଲାଚିଂ ଏବଂ ମା' ଓ ଶିଶୁର ଶାରୀରିକ ସମ୍ପର୍କର ଗୁରୁତ୍ୱ ବିଷୟରେ ମଧ୍ୟ ଅଂଶଗ୍ରହଣକାରୀମାନଙ୍କୁ ଜଣାଇ ଦିଆଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସମୁଦାୟ ନେତୃବୃନ୍ଦ, ମା' ଗୋଷ୍ଠୀ, ଗର୍ଭବତୀ ମହିଳା, ସ୍ତନ୍ୟଦାନକାରୀ ମା' ଏବଂ କିଶୋରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀମାନେ କୋଲଷ୍ଟ୍ରମ୍ ଓ ଏକ୍ସକ୍ଲୁସିଭ୍ ବ୍ରେଷ୍ଟଫିଡିଂର ଗୁରୁତ୍ୱ ଜାଣିବା ସହିତ ନିଜ
ପରିବାର ଓ ସମୁଦାୟରେ ସଠିକ୍ ସ୍ତନ୍ୟପାନ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ପାଇଁ ସଂକଳ୍ପ ନେଇଥିଲେ।
ପରିବାରର ସହଯୋଗ ଓ ସମୁଦାୟର ସକାରାତ୍ମକ ପରିବେଶ ଥିଲେ ଜଣେ ମା' ସହଜରେ ଶିଶୁକୁ ସଠିକ୍ ଭାବରେ ସ୍ତନ୍ୟପାନ କରାଇପାରିବେ। ତେଣୁ ମା'ଙ୍କୁ ଏକାକୀ ଦାୟିତ୍ୱ ନଦେଇ ପରିବାରର ସମସ୍ତ ସଦସ୍ୟ, ଅଙ୍ଗନୱାଡ଼ି କର୍ମୀ, ଆଶା ଓ ସମୁଦାୟ ନେତାମାନେ ମିଳିତ ଭାବରେ ସହଯୋଗ କରିବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ପ୍ରକଳ୍ପ ସଂଯୋଜକ ଶ୍ରୀ ହୀରାଲାଲ ମିଶ୍ର, ଶ୍ରୀ ପ୍ରଶାନ୍ତ ଥାପା, ଶ୍ରୀମତୀ ଲିଲିମା ପଧାନ, ଶ୍ରୀମତୀ ରଶ୍ମିତା ବାରିକ, ଶ୍ରୀମତୀ ଶଶମିତା ମିଶ୍ର ଏବଂ ଶ୍ରୀ ପ୍ରଶାନ୍ତ କୁଅଁରଙ୍କ ସମନ୍ୱୟରେ ସଫଳତାର ସହ ଆୟୋଜନ କରାଯାଇଥିଲା।
ଏହି ଅଭିଯାନ ମାଧ୍ୟମରେ “ସଠିକ୍ ଜ୍ଞାନ, ସଠିକ୍ ଅଭ୍ୟାସ ଓ ସମସ୍ତଙ୍କ ସହଯୋଗ—ସୁସ୍ଥ ମା' ଓ ସୁସ୍ଥ ଶିଶୁର ଆଧାର” ବାର୍ତ୍ତାକୁ ଗ୍ରାମ ସ୍ତରରେ ପହଞ୍ଚାଇବା ସହିତ ସ୍ତନ୍ୟପାନକୁ ନେଇ ଥିବା ଭୁଲ ଧାରଣା ଦୂର କରିବା ଏବଂ ସକାରାତ୍ମକ ପରିବାରିକ ଓ ସାମାଜିକ ପରିବେଶ ଗଠନ ପାଇଁ ପ୍ରୟାସ କରାଯାଇଥିଲା।