-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
06-Jun-2026
କଟକ (ତପନ ମହାନ୍ତି) : ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ଶ୍ରୀ ସାମନ୍ତରାୟ ଶୋଭାଯାତ୍ରାରେ ଆସି ବିଧାନସଭାରେ ନିର୍ବାଚନ ରିଟଣ୍ଡିଂ ଅଧିକାରୀଙ୍କ ନିକଟରେ ୪ ସେଟ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ,
ବିଧାୟକଗଣଙ୍କ ସମେତ ପାର୍ଟିର ବହୁ ନେତା ଉପସ୍ଥିତ ଥିଲେ। ଗୁରୁବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଶ୍ରୀ ସାମନ୍ତରାୟଙ୍କ ପ୍ରାର୍ଥିତ୍ଵ ଘୋଷଣା କରିଥିଲା। ରାଜ୍ୟସଭା ଉପ-ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଚଳିତ ମାସ ୮ ଥିବାବେଳେ ଅଦ୍ୟାବଧୂ ବିଜେପି ପ୍ରାର୍ଥୀ ଦେବାଶିଷଙ୍କୁ ବାଦ୍ ଦେଲେ ଆଉ କେହି ନାମାଙ୍କନ ଦାଖଲ କରିନାହାନ୍ତି। ପୂର୍ବରୁ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ୪ସେଟ୍ ନାମାଙ୍କନ ଫର୍ମ ଆଣିଥିବାବେଳେ ମୁଖ୍ୟ ସଚେତକ ସରୋଜ ପ୍ରଧାନ ୪ସେଟ୍ ନାମାଙ୍କନ ଫର୍ମ ଆଣିଥିଲେ। ବିଜେପି ମୋଟ ୮ ସେଟ୍ ନାମାଙ୍କନ ଫର୍ମ ଆଣିଛି। ତନ୍ମଧ୍ୟରୁ ଦେବାଶିଷ ୪ସେଟ୍ ଦାଖଲ କରିଛନ୍ତି।
ଅଦ୍ୟାବଧୂ ଅନ୍ୟ କୌଣସି ରାଜନୈତିକ ଦଳ ପକ୍ଷରୁ ନାମାଙ୍କନପତ୍ର ଫର୍ମ ଅଣାଯାଇନାହିଁ। ଉପ-ନିର୍ବାଚନ ହେଉଥିବା ଏହି ଆସନର କାର୍ଯ୍ୟକାଳ ଏପ୍ରିଲ ୨୦୩୦ ପର୍ଯ୍ୟନ୍ତ ରହିଛି।
ନାମାଙ୍କନ ଦାଖଲ ପରେ ଶ୍ରୀ ସାମନ୍ତରାୟ କହିଛନ୍ତି, ବିଜେଡିର ଭାଡ଼ି ଖାଲି ହେଉଛି। ଆଗାମୀ ଦିନରେ ଦେଖନ୍ତୁ କ'ଣ ହେଉଛି। ଆହୁରି ଅନେକ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହେବେ। କାରଣ ଡବଲ ଇଞ୍ଜିନ ସରକାର ଥିବାରୁ ଏଠାରେ ମୁଁ ଅଧୂକ କାମ କରିପାରିବି। ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ କହିଛନ୍ତି, ବିଜେପିର ଶକ୍ତି ବୃଦ୍ଧି ପାଉଛି। ଆଗାମୀ ଦିନରେ ଆହୁରି ଶକ୍ତି ବଢ଼ିବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଯେଉଁଭଳି ଭାବେ ତାଙ୍କ ନେତାମାନେ ଦଳ ଛାଡ଼ୁଛନ୍ତି, ତାକୁ ଦେଖିଲେ ଜଣାପଡୁଛି ବିଜେଡି ଏବେ ବିଜେପି ମୁହାଁ। ଗୋଟିଏ ପରେ ଗୋଟିଏ ୱିକେଟ ଖସୁଛି, ଖୁବ୍ ଶୀଘ୍ର ଦଳ ସମ୍ପୂର୍ଣ ଅଲଆଉଟ ହୋଇଯିବ। ବିନା ବିଚାରଧାରାରେ କ୍ଷମତା ସର୍ବସ୍ବ ଦଳ କେବେ ଦୀର୍ଘାୟୁ ହୋଇନାହିଁ ବୋଲି ସେ କହିଛନ୍ତି।
ଏହି ଉପ-ନିର୍ବାଚନ ପ୍ରତିଦ୍ବନ୍ଦିତାମୂଳକ ହେଲେ ଜୁନ ୧୮ ତାରିଖ ପୂର୍ବାହ୍ଣ ୯ ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ହୋଇ ସନ୍ଧ୍ୟା ୫ଟାରେ ଭୋଟ ଗଣନା କରାଯିବ। ସୂଚନାଯୋଗ୍ୟ, ଶ୍ରୀ ସାମନ୍ତରାୟ ମେ ୨୫ରେ ବିଜେଡିର ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ପରଦିନ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପିରେ ମିଶିଥିଲେ।