-+91-9937148622 |
prerana_bgr@rediffmail.com |
Thursday 9th April 2026 |
R.N.I. Regd No. ODIODI/2010/46693
Breaking News
08-Apr-2026
ନୂଆଦିଲ୍ଲୀ(ପ୍ରେରଣା ଖବର): ଲଣ୍ଡନରେ ଅବସ୍ଥାପିତ ହାର୍ଭାର୍ଡ ଓ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ ମ୍ୟାନେଜମେଣ୍ଟ ବିଶେଷଜ୍ଞ ଡ଼ଃ. ସ୍ମୃତି ରଞ୍ଜନ ନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକ 'କସ୍ମିକ ସିମ୍ଫୋନୀ'ର ଲୋକାର୍ପଣ ଉତ୍ସବ ଏଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ହାଉଜ ଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ନୂଆଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିବା ଦେଖାଯାଇଥିଲା । ଏହି ଅବସରରେ ଆମନ୍ତ୍ରିତ ଅତିଥିମାନେ ଡ଼ଃ. ସ୍ମୃତି ରଞ୍ଜନ ନାୟକଙ୍କୁ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ରତ୍ନଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।
ୱାର୍ଲଡ ଓଡ଼ିଶା ସୋସାଇଟିର ୟୁକେ ଅଧ୍ୟାୟର ସାଧାରଣ ସମ୍ପାଦକ ତଥା ଅଗ୍ରଣୀ ଲେଖକ ଡ଼ଃ. ସ୍ମୃତି ରଞ୍ଜନ ନାୟକ ଏହା ପୂର୍ବରୁ'ବ୍ୟାଟଲଫିଲଡ ଟୁ ବୋର୍ଡ ରୁମ' ଏବଂ 'ସିଆରଏମ:କ୍ରିଏଟିଭ ରେଭିନ୍ୟୁ ମେକାନିଜମ' ଆଦି ବହୁ ଆଦୃତ ପୁସ୍ତକମାନ ରଚନା କରିଛନ୍ତି । ଡ଼ଃ. ନାୟକ କଟକ ଜିଲ୍ଲା ଅନ୍ତର୍ଗତ ଫତେପୁର ଖଣ୍ଡସାହି ନିବାସୀ ଶାନ୍ତିଲତା ନାୟକ ଏବଂ ବୀରବର ନାୟକଙ୍କର ସୁପୁତ୍ର ଅଟନ୍ତି।
ଉତ୍ସବରେ ସ୍ୱାଗତ ଭାଷଣ ପ୍ରଦାନ କରି ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ପିଲାମାନଙ୍କର ସାମଗ୍ରିକ ଓ ସନ୍ତୁଳିତ ବିକାଶ ଉଦ୍ଦେଶ୍ୟରେ ସମର୍ପିତ ଲେଖକ ଡ଼ଃ. ନାୟକଙ୍କର ଏହି ପୁସ୍ତକକୁ ଭୁୟସୀ ପ୍ରଶଂଶା କରିଥିଲେ । ସାରା ବିଶ୍ୱର ପିଲାମାନେ ମୋବାଇଲ ଦୁନିଆ ଛାଡ଼ି ନିଜ ମଧ୍ୟରେ ଥିବା ଦୁନିଆକୁ ଅନାବରଣ କରିବା ପାଇଁ ଏହି ପୁସ୍ତକ ନିଶ୍ଚିତ ଭାବରେ ଅନୁପ୍ରାଣିତ କରିବ ବୋଲି ଶ୍ରୀ ଦ୍ବିବେଦୀ ଦମ୍ଭ ପ୍ରକାଶ କରିଥିଲେ। ସଭାକୁ ସମ୍ବୋଧନ କରି ଲେଖକ ଡ଼ଃ. ସ୍ମୃତି ରଞ୍ଜନ ନାୟକ “କସ୍ମିକ ସିମ୍ଫୋନୀ” କେବଳ ଏକ ପୁସ୍ତକ ନୁହେଁ, ଏହା ଜୀବନ ମଧ୍ୟରେ ଓ ଏହାର ଚତୁର୍ପ୍ବାଶ୍ୱରେ ଥିବା ରହସ୍ୟ ମଧ୍ୟକୁ ଯାତ୍ରା କରିବାର ଏକ ମାଧ୍ୟମ ବୋଲି ସୂଚାଇ ଥିଲେ। ଯେତେବେଳେ ପିଲାମାନେ ନିଜକୁ ଭଲ ଭାବରେ ଜାଣି ପାରିବେ ସେତେବେଳେ ସାରା ପୃଥିବୀ ତାଙ୍କ ପାଇଁ ଉନ୍ମୁକ୍ତ ହୋଇଯିବ ବୋଲି ଡ଼ଃ. ନାୟକ ମତ ପ୍ରକାଶ କରିଥିଲେ।
ଉତ୍ସବରେ ଉଦବୋଧନ ଦେଇ ବରେଣ୍ୟ ଅତିଥି ବୃନ୍ଦ ପ୍ରଖ୍ୟାତ ଚିତ୍ରଶିଳ୍ପୀ ପଦ୍ମ ବିଭୂଷଣ ଯତୀନ ଦାସ, ନୂଆଦିଲ୍ଲୀ ଅଞ୍ଚଳର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ଜେନେରାଲ ମ୍ୟାନେଜର ଦେବାଶିଷ ମିଶ୍ର, ସାହିତ୍ୟ ଆଜତକର ସମ୍ପାଦକ ଜୟପ୍ରକାଶ ପାଣ୍ଡେ, ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ତ୍ରିପାଠୀ, ଓଡ଼ିଶା ସୋସାଇଟି ଅଫ ୟୁକେର ସାଧାରଣ ସମ୍ପାଦକ ସୁକାନ୍ତ ସାହୁ ଏବଂ ଉତ୍କଳିନୀର ସମ୍ପାଦିକା ଶୁଭ୍ରଲୀନା ମହାନ୍ତି ପ୍ରମୁଖ ସେମାନଙ୍କର ଭାଷଣରେ ପିଲାମାନଙ୍କୁ ସେଲଫୋନ ଓ ସାମାଜିକ ଗଣମାଧ୍ୟମର କୁପ୍ରଭାବରୁ ନିବୃତ କରାଇବା ନେଇ ସଚେତନ ନାଗରିକମାନେ ଯତ୍ନବାନ ହେବା ପାଇଁ ନିବେଦନ କରିଥିଲେ। ଆଜିର ତରୁଣ ସମ୍ପ୍ରଦାୟ ନିଜକୁ ଜାଣିବା ଏବଂ ସେମାନଙ୍କ ମଧ୍ୟରେ ରହିଥିବା ଅପାର ଶକ୍ତିକୁ ପରଖିବା ପାଇଁ ସେମାନେ ଉପଦେଶ ଦେଇଥିଲେ । ସଭାକୁ ସମ୍ବୋଧନ କରି ବରିଷ୍ଠ ପ୍ରଶାସକ ଦେବାଶିଷ ଶତପଥୀ ଓ ସଂଜୀବ ପାଟ୍ଟଜୋଷୀ, ଡ଼ଃ. ନାୟକଙ୍କର ବହିରେ ରହିଥିବା ବାର୍ତ୍ତା ସମାଜରେ ସକାରାତ୍ମକ ବାତାବରଣ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଥିଲେ।
ୱାଓସୋର ମହିଳା ଶାଖାର ଉପସଭାପତି ରୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ସ୍ବର୍ଣ୍ଣପ୍ରଭା ପତି ସୁଚାରୁ ରୂପେ ସଞ୍ଚାଳନ କରିଥଲେ। ନନ୍ଦନ ଦ୍ବିବେଦୀ ଓ ଅଙ୍କିତ ମୋର୍ଯ୍ୟ ଡିଜିଟାଲ କକ୍ଷକୁ ପରିଚାଳନା କରିଥିଲେ।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଶ୍ରୀ ନୀଳାଚଳ ସେବାସଙ୍ଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, ଓଡ଼ିଶା ଫୋରମର ସଭାପତି ଗୋକୁଳ ପଟ୍ଟନାୟକ ,ଦିଲ୍ଲୀ ଉତ୍କଳ ଅସ୍ମିତା ଫାଉଣ୍ଡେସନର ସଭାନେତ୍ରୀ ଡ଼ଃ ଅନୀତା ପଣ୍ଡା, ରୂପ ନାରାୟଣ ଦାସ, ପ୍ରିୟା ମିଶ୍ର, ଦ୍ୱାରକାନାଥ ଚୋପ୍ରା, ସୁଜାତା ସିବେନ, ବିନାୟକ ଦାସ, ସରିତା ମହାପାତ୍ର, ସୁରଞ୍ଜିତା ରଣା ଦାଶ, ଅର୍ଚ୍ଚନା ପରିଡା, ନିର୍ମଳ ଧଳ, ଦେବାଶିଷ ରାଉତ, ସୁବ୍ରତ ମଲ୍ଲିକ, ପ୍ରଜ୍ଞାଦୀପ୍ତ ସାହୁ, ଅଶୋକ ନାୟକ , ନାରାୟଣ ରାଉତ, ପ୍ରହ୍ଲାଦ ରାଉତ, ହୃଷିକେଶ ପାତ୍ର, ହୃଷିକେଶ ବେହେରା, ଅଶୋକ ପ୍ରଧାନ, ଡ଼ଃ. ପ୍ରକାଶ ଷଡ଼ଙ୍ଗୀ, ବିଷ୍ନୁ ପ୍ରଧାନ ଏବଂ ବାସୁଦେବ ଜେନା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।