-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Oct-2024
ଅତାବିରା(ଆକାଶ ମିଶ୍ର): ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବା ପାଇଁ ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି ହେଲେ ପ୍ରକୃତପକ୍ଷେ ତୃଣମୂଳସ୍ତରରେ ତାହା କେତେ କାର୍ଯ୍ୟକ୍ଷମ ହେଉଛି କି ନାହିଁ ତାହାର ହିସାବ ପ୍ରାୟ କାହାରି ପାଖରେ ନାହିଁ । ତେବେ ଏମିତି ଗାଁ ମାନ ରହିଛି ଯେଉଁଠି ସରକାରଙ୍କ ଯୋଜନା ପହଁଚିବା ବୋଧେ ସାତ ସପନ । ଯେଉଁଠାରେ ଜଣେ ପରେ ଜଣେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ସହିତ ଆଉ କିଛି କିଡନୀ ଆକ୍ରାନ୍ତ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଅଧିକାଂଶ ଲୋକ ଗରିବ ଶ୍ରେଣୀର। କୁଳୀ ମଜୁରୀ କରି ନିଜ ପେଟ ପୋଷୁଥିବା ତଥା ପରିବାର ଚଳାଉଥିବା ବେଳେ ଏବେ କିଡନୀ ରୋଗ ରେ ଅମୂଲ୍ୟ ଜୀବନ ନଷ୍ଟ ହୋଇ ଲୋକମାନଙ୍କ ଜୀବନ ଯାପନ ପ୍ରଣାଳୀ କୁ ଆହୁରି ଅସ୍ତବ୍ୟସ୍ତ କରିଦେଇଛି।ଦାରିଦ୍ର୍ୟତା ସାଙ୍ଗକୁ ରୋଗର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସୂକ୍ଷ୍ମ ଭାବରେ ଅନୁଧ୍ୟାନ କଲେ ଜଣା ପଡ଼ିବ ଯେ,ଏହି ଅଞ୍ଚଳରେ କର୍କଟ ରୋଗ ପରେ ଏବେ କିଡନୀ ରୋଗରେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି।ଯାହାର ଏକ ସ୍ପଷ୍ଟ ଉଦାହରଣ ପାଲଟିଛି ଏହି ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ର ବନହର ଗ୍ରାମରେ। ଏହି ଗ୍ରାମର ହରିଜନ ପଡ଼ା ରେ ୩୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି କିଡନୀ ରେ ଆକ୍ରାନ୍ତ । ଏହି ପଡ଼ାର ମାହେନ୍ଦ୍ରି ଲୁହା(୪୫), ସ୍ବାମୀ କୀର୍ତ୍ତନ ଲୁହା(୫୦),ତ୍ରିନାଥ ବାଦି (୪୫),ଗୋବିନ୍ଦ ରଣବିଡା (୫୦),ବିଜୟ ତାଣ୍ଡି(୩୮) ୨୦୨୩ ମସିହାରେ ଓ ଗଉର ରପଡ଼ାର ଯୁବକ ଶ୍ରଦ୍ଧାକର ଥାପା ଗତ ଜୁନ ୨୦୨୪ ରେ ମୃତ୍ୟୁ ବରଣ କରିଛନ୍ତି।ଏପରିକି ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନା ବି ମିଳି ନାହିଁ। ସେହିପରି ହିର୍ଲିପାଲି ପଞ୍ଚାୟତ ର ବାଗବାହାଲ ଗ୍ରାମରେ ଗତ ତିନି ବର୍ଷ ମଧ୍ୟରେ ୯ ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ଏହି ଗାଆଁ ରେ।ସେମାନେ ହେଲେ ବୃନ୍ଦାବନ ମଲ୍ଲିକ(୩୨),ପାର୍ବତୀ ସୁନା(୩୫),ସୁରେନ୍ଦ୍ର ବିଶ୍ବାଳ (୪୫),କାର୍ତ୍ତିକ ମୁଣ୍ଡା (୫୦), , ମନବୋଧ ମୁଣ୍ଡା (୨୫) ,ସୁରେଶ ସୁନା (୪୫), ନିମାଇଁ କଟୁଆଳ (୩୦), ଗିରିଧାରୀ ବିଶି (୫୦) । ୬୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବା ଏହି ଗାଆଁ ରେ ପୂର୍ବରୁ ମଧ୍ୟ ଜଗନ୍ନାଥ ମୁଣ୍ଡା ଏହି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରିଛନ୍ତି।ବର୍ତ୍ତମାନ ଏହି ଗ୍ରାମର ହୃଷିକେଶ କଠାର (୫୫),ସତ୍ୟବାନ୍ ବିଶ୍ଵାଳ (୪୫), ଯାମିନି ମୁଣ୍ଡା(୬୩) ଓ ଡାକ୍ତର ସୁନା (୫୧), ଏବେବି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସେହିପରି ହିର୍ଲିପାଲି ନିକଟରେ ଥିବା ତୂରୀ ପଡ଼ା ରେ ମଧ୍ୟ ୨୦୧୪/୧୫ମସିହାରେ ନିରୁପମା ମଲ୍ଲିକ(୩୫),ମୁକୁନ୍ଦ ପଧାନ(୬୫),ସହଦେବ ମଲ୍ଲିକ (୬୦), ଓ ମଞ୍ଜରୀ ବାଗ (୩୫) ଏହି କିଡନୀ ରୋଗରେ ପ୍ରାଣ ହରାଇଥିବା ବେଳେ ପଡ଼ାର ଅନେକ ଲୋକ ଆଜି ବି ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି।
ଏହି ରୋଗ ଏବେ ଅଣାୟତ୍ତ ହୋଇ ଅମୂଲ୍ୟ ଜୀବନ ନଷ୍ଟ ହୋଇ ଚାଲିଛି। ରୋଗର କାରଣ ଦୂଷିତ ପାନୀୟ ଜଳ ବୋଲି କିଡନୀ ଆକ୍ରାନ୍ତ ମାନେ କହନ୍ତି।
ବIଗବାହଲ ଗ୍ରାମରେ ମାତ୍ର ଦୁଇଟି ନଳକୁପ ରହିଛି ଯେଉଁଥିରେ ବାହାରୁଥିବା ପାଣିରେ ଲୁହା ଗୁଣ୍ଡ ସହ ଦୂଷିତ ପଦାର୍ଥ ମିଶିରହୁଛି।ଏମିତି ତୁରିପଡ଼ାରେ ମଧ୍ୟ ଥିବା ନଳକୂପ ରେ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଛି । କିନ୍ତୁ ଅନ୍ୟ କିଛି ସୁବିଧା ନ ଥିବାରୁ ଲୋକେ ବାଧ୍ୟ ହୋଇ ସେଇ ପାଣିକୁ ପାନୀୟ ରୂପେ ବ୍ୟବହାର କରୁଛନ୍ତି।ସରକାର ଙ୍କ ବିଭାଗୀୟ କର୍ତ୍ତୃପକ୍ଷ ନଳକୂପ ଖନନ କରୁଛନ୍ତି,ହେଲେ ସେଥି ରେ ବାହାରୁଥିବା ପାଣି ପାନୀୟ ଯୋଗ୍ୟ କି ନୁହେଁ ତାହା ପରୀକ୍ଷା ନିରୀକ୍ଷା ନ କରି ନିଜ କର୍ତ୍ତବ୍ୟରୁ ଓହରି ଯାଉଛନ୍ତି।ଯାହା ଫଳରେ ଆଜି ଏହିଭଳି ରୋଗର ପର୍ଦୂର୍ଭାବ ବଢ଼ି ଚାଲିଛି।
ନାରାୟଣ ମଲ୍ଲିକ(୪୮), ଗ୍ରାମ ବନହର,ହରିଜନ ପଡ଼ା
ସ୍ତ୍ରୀ ବିକଳାଙ୍ଗ( ମୁକ)। ୨୦୨୩ ମସିହାରେ କିଡନୀ ରୋଗରେ ଆକ୍ରାନ୍ତ।ଜଣେ ଲୁଗା ବୁଣାକାର ଭାବେ ଜୀବିକା ନିର୍ବାହ କରୁଥିଲେ ।କିନ୍ତୁ ରୋଗରେ ଆକ୍ରାନ୍ତ ହେବା ପରେ ଶାରୀରିକ ତଥା ମାନସିକ ସ୍ତରରେ ଭାଙ୍ଗି ପଡ଼ି ଏବେ ଶ୍ରମହିନ ହୋଇ ପଡିଛନ୍ତି । ଧାର କରଜ କରି ଚଲୁଛନ୍ତି ।ସରକାରୀ ଔଷଧ ଖାଉଥିଲେ କିନ୍ତୁ ସ୍ବାସ୍ଥ୍ୟ ଗୁରୁତର ହେବାରୁ ବୁର୍ଲା କୁ ଚିକିତ୍ସା ପାଇଁ ଯାଇଥିଲେ ।କିନ୍ତୁ ପୂର୍ବରୁ ଖାଉଥିବା ଔଷଧ ଆଉ କାମ କରିବନି ।ବାହାରୁ ଔଷଧ କିଣି ଖାଇବାକୁ ନିର୍ଦ୍ଦେଶ ଦେଇଥିଲେ ।ଫଳରେ ଦୁଇ ମାସ ହେଲା ବାହାରୁ ଔଷଧ କିଣି ଖାଉଛନ୍ତି ।ମାସକୁ ଔଷଧ ଖର୍ଚ୍ଚ ୭୦୦୦ ଟଙ୍କା ହେଉଛି ।ଏହି ଔଷଧ ଖର୍ଚ୍ଚ ସହ ପରିବାର ପ୍ରତିପୋଷଣ ତାଙ୍କ ପକ୍ଷେ ଦୁଃସହ ହୋଇପଡିଛି।
ବିଦ୍ୟାଧର ଥପା (୬୬), ଗ୍ରାମ ବନହର , ଗଉର ପଡ଼ା
୨୦୨୩ ମାର୍ଚ୍ଚ ରେ ରୋଗର ର ସୂଚନା ମିଳିଥିଲା । ସେ ସରକାରୀ ଔଷଧ ଖାଉଥିଲେ ,କିନ୍ତୁ ପ୍ରତିକ୍ରିୟା ହୋଇ ମୁଁହ ଓ ଗୋଡ ଫୁଲି ଯିବା ଯୋଗୁଁ ସେ ସରକାରୀ ଔଷଧ ବନ୍ଦ କରି ଆୟୁର୍ବେଦିକ ଔଷଧ ବର୍ତ୍ତମାନ ଖାଇ ରୋଗ ସହ ସଂଗ୍ରାମ କରୁଛନ୍ତି ।
ସୁନିତ୍ ମିର୍ଦ୍ଧା(୭୦) , ଗ୍ରାମ ବାଗବାହାଳ ଲରିଆ ପଡ଼ା
୨୦୨୪ ରେ ଆକ୍ରାନ୍ତ ହୋଇଥିଲେ ।କୁଲି ମଜୁରୀ କରି ପରିବାର ପୋଷଣ କରୁଥିଲେ ।ସରକାରୀ ଔଷଧ ରେ ରୋଗ ପ୍ରଶମିତ ନ ହେବା ପରେ ଏବେ ସେ ଔଷଧ କିଣି ଖାଉଛନ୍ତି ।ଯାହାର ମାସିକ ଖର୍ଚ୍ଚ ୩୦୦୦ ଟଙ୍କା ପଡୁଛି ।କେବଳ ସରକାରୀ ଭତ୍ତା ଓ ୫ କିଲୋ ଚାଉଳ ପାଉଛନ୍ତି ।ସରକାରୀ ଜମିରେ ପାଳଟଣା ଘରେ ରହୁଛନ୍ତି। ତେବେ ଏଭଳି ପରିସ୍ଥିତି ରେ ରୋଗ ରେ ଆକ୍ରାନ୍ତ ହେଲେ ସୁଦ୍ଧା କାମ କରିବାକୁ ବାଧ୍ୟ ହେଉଛନ୍ତି ।ରୋଗ ସହ ଅର୍ଥ ବାଧକ ସାଜିଛି ତାଙ୍କ ଜୀବନ ଜୀବିକlରେ।
ହୃଷିକେଶ କଠାର୍ (୫୫)
୨୦୨୦ ରୁ ସେ ରୋଗରେ ଆକ୍ରାନ୍ତ ।ପୂର୍ବରୁ ତାଙ୍କୁ ଇନ୍ଦିରା ଆବାସ ମିଳିଥିଲା ।କିନ୍ତୁ ରୋଗ ରେ ଆକ୍ରାନ୍ତ ହେବା ପରେ ଆଉ ଘରକୁ ସମ୍ପୂର୍ଣ ରୂପେ ନିର୍ମାଣ କରିପାରି ନାହାନ୍ତି ।ଯାହା ଫଳରେ ପୁଅ ଝିଅର ପାଠପଢା ରେ ଅର୍ଥ ବାଧକ ସାଜିଛି ।କାମ କରିବା ପାଇଁ ଶରୀର ସାଥ ଦେଉନାହିଁ । ହେଲେ ପରିସ୍ଥିତି ତାଙ୍କୁ ଶ୍ରମ କରିବା ପାଇଁ ବାଧ୍ୟ କରୁଛି ।ଘରେ ବିଜୁଳି ଆଲୁଅ ମଧ୍ୟ ନାହିଁ ।କେବଳ ରାସନ୍ କାର୍ଡ ରୁ ୨୦ କେଜି ଚାଉଳ ମାସକୁ ପାଉଛନ୍ତି ।
ଯାମିନି ମୁଣ୍ଡା (୬୩)
ଗ୍ରାମ ବାଗବାହାଲ, ତିନି ବର୍ଷ ହେଲା ରୋଗରେ ଆକ୍ରାନ୍ତ, ଶଯ୍ୟାଶାୟୀ ଅବସ୍ଥାରେ ବର୍ତ୍ତମାନ ଜୀବନ ସହ ସଂଘର୍ଷ କରୁଛନ୍ତି ।ବିବାହିତ ଝିଅ ର ସହାୟତାରେ ବଞ୍ଚିଛନ୍ତି ।କେବଳ ଭତ୍ତା ପାଉଥିବା ଟଙ୍କାରେ ଔଷଧ କିଣି ଖାଉଛନ୍ତି ।ଅନ୍ୟ କିଛି ସହାୟତା ମିଳୁ ନାହିଁ । ଦୁଇଟି ବାଡି ର ସାହାଯ୍ୟରେ ଉଠା ବସା କରି ଜୀବନର ଅନ୍ତିମ ଦିନ ଗଣୁଛନ୍ତି ।
ତେବେ ମୃତକ ମାନଙ୍କ ବୟସକୁ ଆକଳନ କଲେ ଅଧିକାଂଶ ଲୋକ ୪୦ ରୁ ୫୦ ବର୍ଷ ବୟସର ଅଟନ୍ତି। ଦେଶର ଶ୍ରମ ଶକ୍ତି କମ ରହିଥିବା ବେଳେ ଏମିତି ଉପାର୍ଜନ ବ୍ୟକ୍ତିଙ୍କ ଜୀବନ ଅକାରଣେ ଚାଲିଯାଉଛି ।ତଥାପି ପ୍ରଶାସନ,ସ୍ବାସ୍ଥ୍ୟ ବିଭାଗ ସବୁ ଚୁପ୍ ମାରି ବସିରହିଥିବା ସାଧାରଣରେ ପ୍ରଶ୍ନ ଉଠୁଛି। ଏହିପରି ଯଦି ଆଗକୁ ଜାରି ରହେ ତେବେ ସମଗ୍ର ଗ୍ରାମକୁ କିଡନୀ ରୋଗ କବଳିତ କରିନେବ ଏଥିରେ ତିଲେହେଲେ ସନ୍ଦେହ ନାହିଁ।ତେବେ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଆସୁ ପଦକ୍ଷେପ ନ ନେଲେ ପରିସ୍ଥିତି ଯେ କେତେ ଭୟାବହ ହେବ, ତା ନେଇ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି।