-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂତନ ଓ ଲୋକଙ୍କ ସରକାର୧୦୦ ଦିନ ପୂରଣ କରିଛି । ଏହି ଉପଲକ୍ଷେ ଆୟୋଜିତ ହେଉଥିବା ଜିଲ୍ଲା ସ୍ତରୀୟ ସୂଚନା- ଶିକ୍ଷା- ସଞ୍ଚାର କାର୍ଯ୍ୟକ୍ରମ “ବିକାଶ ମେଳା” ମାନ୍ୟବର ମନ୍ତ୍ରୀ, ଅବକାରୀ, ଆଇନ ଏବଂ ପୂର୍ତ୍ତ ବିଭାଗ, ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ କରକମଳରେ ଉଦଘାଟିତ ହୋଇଛି । ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ଅବକାରୀ, ଆଇନ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ କହିଥିଲେ, ଏହି ୧୦୦ ଦିନ ମଧ୍ୟରେ ରାଜ୍ୟ ସରକାର ଓଡିଶାବାସୀଙ୍କ ସର୍ବାଙ୍ଗୀନ ଉନ୍ନତିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆପଣମାନେ ମର୍ମେ ମର୍ମେ ଅନୁଭବ କରୁଥିବେ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ମଧ୍ୟରେ ଓଡିଶା ପ୍ରଗତିରେ ନୂତନ ସୂର୍ଯ୍ୟୋଦୟ ହୋଇଛି, ପ୍ରତି ନିଷ୍ପତ୍ତିରେ ରହିଛି ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଏବଂ ନବଜାଗରଣର ସୁବର୍ଣ୍ଣ ସ୍ପର୍ଶ । ପ୍ରତିଶୃତି ଅନୁଯାଇ ନୂଆ ସରକାର ଶ୍ରୀମନ୍ଦିରର ୪ ଦ୍ଵାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିଛନ୍ତି । ସୁଭଦ୍ରା ଯୋଜନା ଆରମ୍ଭ କରି ମହିଳାଙ୍କୁ ସ୍ୱାବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡିଶାରେ ଲାଗୁ ହେବ ।ଯାହାଫଳରେ ରାଜ୍ୟର ପ୍ରାୟ ଏକ କୋଟି ପରିବାର ଦେଶର ୨୭ ହଜାରରୁ ଉର୍ଦ୍ଧ ହସ୍ପିଟାଲରେ ନିଃଶୁକ୍ଳ ଚିକିତ୍ସାସେବା ପାଇବେ । ରାଜ୍ୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଦୂର କରି ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ୩ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ସମସ୍ତ ଜ଼ିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ସହ ନର୍ସିଂ ଶିକ୍ଷାର ସୁଦୃଢ଼ୀକରଣ ପାଇଁ ବଲାଙ୍ଗୀର ସମେତ ୭ଟି ନୂତନ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଚାଷ ଏବଂ ଚାଷୀଙ୍କର ଉନ୍ନତି ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୩୧ଶହ ଟଙ୍କାକୁ ବର୍ଦ୍ଧିତ କରାଯାଇଛି । ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଟଙ୍କା ସିଧା ଚାଷୀଙ୍କ ଖାତାକୁ ଯିବ । ଆଳୁ ମିଶନକୁ ଗତିଶିଳ କରି ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର ଖୋଲାଯିବ । ପିଏମ କିଷାନ ସହ ଏବେ ସିଏମ କିଷାନରେ ଚାଷିଙ୍କୁ ସହାୟତା ଦିଆଯାଉଛି । ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ମଧ୍ୟ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ୫ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ ବୋଲି ମନ୍ତ୍ରୀ ଡ଼ଃ ମହାଲିଙ୍ଗ କହିଛନ୍ତି । ରାଜ୍ୟରେ ତୃଣମୂଳସ୍ତରରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାପାଇଁ ସରକାର ପ୍ରଥମ ପର୍ଯ୍ୟାୟରେ ୧୮ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତୀୟା,ମାନ୍ୟବର ବରଗଡ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ, ମାନ୍ୟବର ବିଧାୟକ ଭଟଲି ଶ୍ରୀ ଇରଶିଷ ଆଚାର୍ଯ୍ୟ, ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ ସରକାରଙ୍କ ୧୦୦ ଦିନର ସଫଳତା ଉପରେ ଆଲୋକପାତ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସଭାପତିତ୍ୱ କରି ସ୍ୱାଗତ ଭାଷଣରେ ନୂଆ ସରକାଙ୍କ ୧୦୦ ଦିନ ମଧ୍ୟରେ ବରଗଡ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।
ଏହି ଅବସରରରେ ମୁଖ୍ୟ ଅତିଥି ତଥା ମାନ୍ୟବର ଅବକାରୀ, ଆଇନ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ଵୀରାଜ ହରିଚନ୍ଦନଙ୍କ କରକମଳରେ ସର୍ବମୋଟ ୬୧.୯୫ କୋଟି ଅଟକଳ ମୂଲ୍ୟରେ ବରଗଡ଼ ବିକାଶ ଚିକିତ୍ସାଳୟ ଠାରୁ ହଳଦିପାଲି ଛକ ରାସ୍ତାର ୧/୯୦୦ କି.ମି. ରୁ ୫/୧୮୦ କି.ମି. ପର୍ଯ୍ୟନ୍ତ ଉନ୍ନତି କରଣ ଏବଂ ପାଣିଛତର ସୁକ୍ଟାପାଲି ରାସ୍ତାର ୦/୦୦ କି.ମି. ରୁ ୨୧/୦୦ କି.ମି. ପର୍ଯ୍ୟନ୍ତ ପ୍ରଶସ୍ତିକରଣ ଓ ଉନ୍ନତି କରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।
ଜିଲ୍ଲା ପ୍ରଶାସନ ତରଫରୁ ବିକାଶ ମେଳାରେ ୨୫ଟି ଷ୍ଟଲରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବିକାଶ ଓ ସଫଳତା ପ୍ରଦର୍ଶିତ କରିବା ସହ ବିଭିନ୍ନ ସରକାରୀ ଯୋଜନା ଆଧାରିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାଜ୍ୟ ସରକାରଙ୍କ ପ୍ରଣୀତ ପ୍ରମୁଖ ଯୋଜନା ପର୍ଯ୍ୟବେସିତ ଦୃଶ୍ୟ-ଶ୍ରାବ୍ୟ ଚିତ୍ର ସହ ୧୦୦ ଦିନ ମଧ୍ୟରେ ବରଗଡ ଜିଲ୍ଲାରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଆଧାରିତ ଦୃଶ୍ୟ-ଶ୍ରାବ୍ୟ ଚିତ୍ର ପ୍ରଦର୍ଶିତ ହୋଇଥିଲା ।
କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲାର ଜୈବିକ ଚାଷ ଏବଂ ଗୋପାଳନରେ ସଫଳ କୃଷକ ଭାବେ ଶ୍ରୀ ଶ୍ୟାମଘନ ପ୍ରଧାନଙ୍କ ସମେତ, କେଶବ ନଗର, ବରଗଡ଼ର ସଫଳ ବୁଣାକାର ଶ୍ରୀ ଫକିର ମେହେରଙ୍କ ସମେତ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ହୋଇଥିବା ସୁଭଦ୍ରା ଷ୍ଟୋରି ପ୍ରତିଯୋଗୀତା ବିଜେତା ଶ୍ରୀମତୀ ସୌଦାମିନୀ ବନଚ୍ଛୋର, ସୁଭଦ୍ରା ଆନ୍ଥେମ ପ୍ରତିଯୋଗୀତା ବିଜେତା ଶ୍ରୀମତୀ ସନ୍ତୋସିନୀ ନାଗ , ସୁଭଦ୍ରା କୁଇଜ ପ୍ରତିଯୋଗୀତା ବିଜେତା ଶ୍ରୀମତୀ ଚିଙ୍କି ସାହୁ ଏବଂ ସୁଭଦ୍ରା ଚିତ୍ରାଙ୍କନ ପ୍ରତିଯୋଗୀତା ବିଜେତା କୁମାରୀ ଆକ୍ରିତି କୁମ୍ଭାର,ଡୋଲି ଭୋଇ, ଶକ୍ତିମୟୀ ଦାସଙ୍କୁ ମୁଖ୍ୟ ଅତିଥି ମଞ୍ଚରେ ପୁରସ୍କୃତ କରିଥିଲେ ।
ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସିଂ ଧନ୍ୟବାଦ ଦେଇଥିବା ବେଳେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମିନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ମହେନ୍ଦ୍ର ମହାପାତ୍ରଙ୍କ ସମେତ ସ୍ଥାନୀୟ ରାଜନେତା, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଅଧିକାରୀ, ବୁଦ୍ଧିଜୀବୀ, ଗଣାମାଧ୍ୟମ ପ୍ରତିନିଧି ଓ ହଜାର ହଜାର ସଂଖ୍ୟାରେ ଲୋକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।