-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ଭୁବନେଶ୍ୱର,(ଶୁଭାଶିଶଷ ନାୟକ) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ଅବସରରେ ଓଡ଼ିଶା ସମେତ ୬ଟି ରାଜ୍ୟର ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି । ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି ।
ଏହା ସହିତ ନୂଆପଡ଼ା ଜିଲ୍ଲାର ସଦର ବ୍ଲକ ବୁଢିପାଳି ପଞ୍ଚାୟତ ଜେଞ୍ଜରା ଗ୍ରାମର ଚାଷୀ ନବୀନ ଠାକୁରଙ୍କ ସହ କଥା ହୋଇଛନ୍ତି ମୋଦୀ । ପିଏମ କିଷାନ ଯୋଜନା ସହ କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା ନବୀନ କିପରି ଉପକୃତ ହୋଇଛନ୍ତି ସେ ନେଇ ଆଲୋଚନା କରିଥିଲେ । ଏବଂ ଜିଲ୍ଲାର ଅନ୍ୟ ଚାଷୀଙ୍କୁ ବୁଝାଇବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।
'ଜୟ ଜଗନ୍ନାଥ' କହି ପ୍ରଧାନମନ୍ତ୍ରୀ ନବୀନଙ୍କ ସହ କଥା ହେବା ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୫ଟି କିସ୍ତିରେ ୧୦ ହଜାର ଟଙ୍କା ପଠାଇଥିବା ନବୀନ କହିଲେ । ପୂର୍ବରୁ ସାହୁକାରଙ୍କ ଠାରୁ ଋଣ ଆଣି ଚାଷୀ କରଜରେ ବୁଡ଼ି ରହୁଥିଲେ । ତେବେ କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା କମ୍ ସୁଦ୍ଧରେ ଚାଷୀ ଋଣ ଆଣି ଉପକୃତ ହେଉଥିବା ନବୀନ କହିଥିଲେ । ଆଗକୁ ଏପରି ଋଣ ଆଣିବା ଲାଗି ଅନ୍ୟ ଚାଷୀମାନଙ୍କୁ ପ୍ରେରଣା ଦେବାକୁ ପ୍ରଧାନମନ୍ତ୍ରୀ ନବୀନଙ୍କୁ କହିଥିଲେ ।
ଏହି ଆଲୋଚନାରେ ନୂଆପଡାର ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ମୁଖ୍ୟ ଜିଲ୍ଲାକୃଷି ଅଧିକାରୀ ବାବାଜୀ ଚରଣ ବେହେରା ,ବ୍ଲକ କୃଷି ଅଧିକାରୀ ହିମାଂଶୁ ମହାପାତ୍ର ଉପସ୍ଥିତ ଥିଲେ । ଅନ୍ୟପଟେ ଚାଷୀ ଆଇନକୁ ନେଇ ଆନ୍ଦୋଳନ ଜାରିରହିଛି । ଚାଷୀ ସଂଗଠନଗୁଡ଼ିକ କହିଛନ୍ତି, ସରକାର ଆମ ଦାବିକୁ ଗୁରୁତ୍ୱ ଦେଉ ନାହାନ୍ତି କି ଏଥି ପ୍ରତି ଗମ୍ଭୀର ନୁହନ୍ତି । ଯଦି ସରକାର ଆଇନ ପ୍ରତ୍ୟାହାର ପାଇଁ ରାଜି ନ ହୁଅନ୍ତି, ଆଲୋଚନାର କିଛି ମୂଲ୍ୟ ନାହିଁ ।