-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
02-Sep-2026
ସୁନ୍ଦରଗଡ଼(କାଞ୍ଚନପ୍ରଭା ନନ୍ଦ): ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ (GMCH), ସୁନ୍ଦରଗଡ଼ରେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ଆଧୁନିକ ଚିକିତ୍ସାସେବାର ଶୁଭାରମ୍ଭ ହୋଇଛି । ଏହା ଫଳରେ ଜିଲ୍ଲାବାସୀଙ୍କୁ ଉନ୍ନତ ଓ ବିଶେଷଜ୍ଞ ଚିକିତ୍ସାସେବା ନିଜ ଅଞ୍ଚଳରେ ଉପଲବ୍ଧ ହେବ ।
ଏଠାରେ ଶ୍ୱାସକ୍ରିୟା ଚିକିତ୍ସା (Pulmonary Medicine) ବିଭାଗରେ ଫାଇବର ଅପ୍ଟିକ ବ୍ରୋଚୋସ୍କୋପ (Fibre Optic Bronchoscope) ଆଜିଠାରୁ କାର୍ଯ୍ୟକ୍ଷମ କରାଯାଇଛି । ଏହି ଆଧୁନିକ ଯନ୍ତ୍ର ମାଧ୍ୟମରେ ଶ୍ୱାସନଳୀ ଓ ଫୁସଫୁସ ସମ୍ବନ୍ଧୀୟ ବିଭିନ୍ନ ରୋଗର ଉନ୍ନତ ନିଦାନ ଓ ଆବଶ୍ୟକ ଚିକିତ୍ସା ପ୍ରକ୍ରିୟା ସୁବିଧାଜନକ ହେବ ।
ଏଥିସହିତ, ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ଠାରେ ସିଟି ସ୍କାନ ସେବା ମଧ୍ୟ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ୪ ଜଣ ଇନ୍ଡୋର୍ ରୋଗୀ ଏହି ସେବାର ସୁବିଧା ପାଇଛନ୍ତି । ଏହି ସେବା ଆରମ୍ଭ ହେବା ଫଳରେ ଜଟିଳ ରୋଗର ଶୀଘ୍ର ଓ ନିର୍ଭୁଲ ନିଦାନରେ ସହାୟତା ମିଳିବ ।
ଅନ୍ୟପକ୍ଷରେ, ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନେଫ୍ରୋଲୋଜି (Nephrology) ଆଉଟଡୋର୍ ସୁପର୍ ସ୍ପେସିଆଲିଟି ସେବା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି । କିଡନୀ ସମ୍ବନ୍ଧୀୟ ଜଟିଳ ରୋଗରେ ପୀଡ଼ିତ ରୋଗୀମାନେ ଏହି ବିଶେଷଜ୍ଞ ଚିକିତ୍ସାସେବା ଦ୍ୱାରା ଉପକୃତ ହୋଇପାରିବେ ।
ଏହି ନୂତନ ସେବାଗୁଡ଼ିକର ଶୁଭାରମ୍ଭ ସୁନ୍ଦରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହା ଦ୍ୱାରା ଜିଲ୍ଲା ତଥା ଆଖପାଖ ଅଞ୍ଚଳର ରୋଗୀମାନଙ୍କୁ ଉନ୍ନତ ନିଦାନ ଓ ସୁପର୍ ସ୍ପେସିଆଲିଟି ଚିକିତ୍ସା ପାଇଁ ଦୂରସ୍ଥ ସ୍ଥାନକୁ ଯିବାର ଆବଶ୍ୟକତା କମିବ ଏବଂ ସ୍ଥାନୀୟ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟସେବା ମିଳିପାରିବ ।