-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ଭୁବନେଶ୍ୱର,(ଶୁଭାଶିଶଷ ନାୟକ)- ପୁରୀର ଚର୍ଚ୍ଚିତ ନାଗାସାଧୁ ହେଉଛନ୍ତି ବ୍ରହ୍ମପୁର ବଡ଼ ବଜାର ବସିନ୍ଦା।ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ଦିନ ବାବା ସୁରକ୍ଷା ବଳୟ ଡେଇଁ ଶ୍ରୀମନ୍ଦିରକୁ ଦୌଡ଼ି ପଳାଇ ଥିଲେ ଆଉ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ ।
ନିକଟରେ ଶ୍ରୀମନ୍ଦିର ଭିତରକୁ ଧସେଇ ପଶି ଚର୍ଚ୍ଚାକୁ ଆସିଥିଲେ ପୁରୀସ୍ଥିତ ଲଙ୍ଗୁଳି ମଠରେ ରହୁଥିବା ଜଣେ ନାଗାସାଧୁ । ତେବେ ଏହି ନାଗାସାଧୁ ଜଣକ ହେଉଛନ୍ତି ଗଞ୍ଜାମ ବାସିନ୍ଦା । ଆଉ ତାଙ୍କ ନାଁ ହେଉଛି ଟି. ତୁମ୍ବନାଥ ସୁବୁଦ୍ଧି । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ନିବାସୀ ହେଉଛନ୍ତି ତୁମ୍ବନାଥ । ଆଉ ଏବେ ସେ ସାମାଜିକ ମୋହ, ମାୟା ଛାଡ଼ି ସାଜିଛନ୍ତି ନାଗାସାଧୁ । ପ୍ରାୟ ୬/୭ ବର୍ଷ ପୁରୀସ୍ଥିତ ଲଙ୍ଗୁଳି ମଠରେ ଦୀକ୍ଷା ଗ୍ରହଣ କରିବା ପରେ ବାବା ବୈଷ୍ଣବ ପୁରୀ ଭାବରେ ପୁରୀରେ ରହୁଛନ୍ତି । ରଥଯାତ୍ରା ବେଳେ ସେ ଇଂରାଜୀରେ ଭାଷଣ ଦେଇ ପ୍ରଥମେ ଲୋକଲୋଚନକୁ ଆସିଥିଲେ ।
ଗତ ୨୩ ତାରିଖରେ ଅର୍ଥାତ୍ ଯେଉଁଦିନ ପୁରୀ ଶ୍ରୀମନ୍ଦିର ଖୋଲିଲା ସେହି ଦିନ ବାବା ବୈଷ୍ଣବ ପୁରୀ ସୁରକ୍ଷା ବଳୟ ଡେଇଁ ଶ୍ରୀମନ୍ଦିରକୁ ଦୌଡ଼ି ଯାଇଥିଲେ ଆଉ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ବ୍ରହ୍ମପୁରରେ ବାବା ବୈଷ୍ଣବଙ୍କ ପୁରୀ କାଣ୍ଡକୁ ନେଇ ବହୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତୁମ୍ବନାଥ (ବାବା ବୈଷ୍ଣବ ପୁରୀ) ବ୍ରହ୍ମପୁର ସହରର ଏକ ଚର୍ଚ୍ଚିତ ନାମ । କାରଣ ତୁମ୍ବନାଥ ବିଗତ ବର୍ଷ ମାନଙ୍କରେ ଆଇନ ହାତକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଏପରିକି ତାଙ୍କୁ ଜେଲ୍ ଯିବାକୁ ମଧ୍ୟ ପଡ଼ିଥିଲା । ଏବେ ପୁରୀ ଘଟଣା ପରେ ପୁଣି ଚର୍ଚ୍ଚାରେ ଅଛନ୍ତି ତୁମ୍ବନାଥ ।
ସୂଚନାଯୋଗ୍ୟ, ସିଟି ହାଇସ୍କୁଲରେ ସ୍କୁଲ ଶିକ୍ଷା ସରିବା ପରେ ତୁମ୍ବନାଥ ବିନାୟକ ଆଚାର୍ଯ୍ୟ କଲେଜରେ ପାଠ ପଢ଼ିଥିଲେ । ସେତେବେଳେ ସେ ଜଣେ ଜଣାଶୁଣା ଛାତ୍ର ନେତା ଭାବେ ପରିଚିତ ଥିଲେ । କିନ୍ତୁ ୨୦୦୭-୦୮ରେ ସେ କଲେଜ ପଢ଼ା ଅଧାରୁ ଛାଡି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଗୋ-ସୁରକ୍ଷା ଦିଗରେ ଆଗେଇ ଆସିଥିଲେ । ତୁମ୍ବନାଥ ରାଜଗାଙ୍ଗପୁରରେ ବାବା ତେଜେଶ୍ବରମୟୀଙ୍କ ନାମରେ ରହି ଗୋ ସୁରକ୍ଷା ପାଇଁ କାମ କରୁଥିଲେ । ଏହାର କିଛି ବର୍ଷ ପରେ ଅପରାଧିକ କାର୍ଯ୍ୟକଳାପ ସହ ଜଡ଼ିତ ହୋଇ ଯାଇଥିଲେ ।
ସୂଚନା ଅନୁଯାୟୀ, ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ସାହି ଛକରେ ଗତ ୨୦୧୦ ଜୁଲାଇ ୨୨ ତାରିଖରେ ଧୀର ସାମଲ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ସେହି ଘଟଣାରେ ତୁମ୍ବନାଥଙ୍କ ନାମ ସାମନାକୁ ଆସିଥିଲା । କିନ୍ତୁ ପରେ ମାନ୍ୟବର ହାଇକୋର୍ଟ ତୁମ୍ବନାଥଙ୍କ ନାମକୁ ଅଭିଯୁକ୍ତ ତାଲିକାରୁ କାଟି ଦେଇଥିଲେ । ପୁଣି କିଛି ମାସ ପରେ ଏକ ମାମଲାରେ ତୁମ୍ବନାଥ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ ଜେଲରେ ବିଚାରାଧୀନ ବନ୍ଦୀ ଥିଲେ । ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨୦୧୦ ନଭେମ୍ବର ୩ତାରିଖରେ ସେ ଡାକ୍ତରଖାନାରୁ ଖସି ପଳାଇଥିଲେ ।
ସେହିପରି ୨୦୧୧ ମେ ୨୪ ତାରିଖରେ ବାରଖମା ଫାଣ୍ତି ଅଧିକାରୀ ମମତା ପତିଙ୍କୁ ତୁମ୍ବନାଥ ହାଣି ଦେଇଥିଲେ । ଏଥିରେ ମମତା ଆହତ ହୋଇଥିଲେ । ପୋଲିସ ତୁମ୍ବନାଥଙ୍କୁ ଗିରଫ କରିଥିଲା । ପରେ ସେ ଜାମିନ୍ରେ ବାହାରିଥିଲେ । କୋର୍ଟରେ ହାଜର ପାଇଁ ତୁମ୍ବନାଥଙ୍କୁ ବାରମ୍ବାର ସମନ୍ ଯାଇଥିଲା । ହେଲେ ସେ କୋର୍ଟରେ ହାଜର ହୋଇ ନଥିଲେ । ଫଳରେ କୋର୍ଟ ତାଙ୍କ ନାମରେ ଗିରଫ ପରଵାନା ଜାରି କରିଥିଲେ । ତୁମ୍ବନାଥଙ୍କୁ ଗିରଫ କରିବା ପାଇଁ ବ୍ରହ୍ମପୁର ଟାଉନ୍ ଥାନା ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତୁମ୍ବନାଥ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ରହୁଥିବା ନେଇ ସୂଚନା ମିଳିଥିଲା । ବ୍ରହ୍ମପୁର ଟାଉନ୍ ଥାନା ପୋଲିସ ତାଙ୍କୁ ୨୦୧୫ ଜୁନ୍ ୮ତାରିଖରେ ଗିରଫ କରି ବ୍ରହ୍ମପୁର ଆଣିଥିଲା ।
ଏହାପରଠୁ ତୁମ୍ବନାଥ ଆଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇ ଅପରାଧ ଠାରୁ ନିଜକୁ ଦୂରେଇ ରଖି ସେ ଏବେ କିଛି ବର୍ଷ ହେଲା ପୁରୀରେ ରହୁଛନ୍ତି । ଲଙ୍ଗୁଳି ମଠରେ ରହି ଶିକ୍ଷା ଗ୍ରହଣ କରୁଛନ୍ତି । ଭବିଷ୍ୟତରେ ଜଣେ ଦକ୍ଷ ନାଗାସାଧୁ ହୋଇ ତପସ୍ବୀ ଉପାଧି ପାଇବା ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି ।