-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
22-Apr-2024
ତରଭା(ପ୍ରେରଣା ଖବର ): କାହିଁ କେଉଁ କାଳରୁ ତରଭା ଥାନା ରାଜପାଲି ଗ୍ରାମ ବାରପାହାଡ ପୀଠରେ ଦେବୀ ବାରପାହାଡ ପୂଜାପାଇ ଆସୁଛନ୍ତି । ଚୈତ୍ର ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀରେ ଧୂମାଧାମରେ ଏଠାରେ ପୂଜା କରାଯାଇଥାଏ । ଚଳିତବର୍ଷ ମଧ୍ୟ ଚୁତୁର୍ଦ୍ଦଶୀ ରାତିରେ ବାରପାହାଡ ଜଙ୍ଗଲରର ମୁଖ୍ୟପୀଠରୁ ରାଜପାଲି ଗ୍ରାମନିକଟସ୍ଥ ପୀଠକୁ ଛତରଯାତ୍ରା ସମ୍ପନ୍ନ ହୋଇଯାଇଛି । ମଖନାମୁଣ୍ଡାର ଗଣ୍ଡଜାତିର ପୂଜକମାନେ ଚତୁର୍ଦ୍ଦଶୀ ତିଥିରେ ମଖନାମୁଣ୍ଡା ପୀଠରୁ ପାହାଡ ଉପରେ ଥିବା ଗୁମ୍ଫାକୁ ଛତର, ବୈରଖ ନେଇଥାନ୍ତି । ସେଠାରେ ପୂଜାର୍ଚ୍ଚନା ପରେ ବାଜାବଜାଇ ଛତରଯାତ୍ରା କରାକରାଯାଇ ଥାଏ । ଅର୍ଦ୍ଧରାତ୍ରୀରେ ପ୍ରାୟ ୨କିମି ପର୍ଯ୍ୟନ୍ତ ଛତରଯାତ୍ରା କରାଯାଇ ରାଜପାଲି ଗ୍ରାମରେ ଏହାକୁ ପୂଜାକରାଯାଇ ଆବାହନ କରାଯାଏ । ଗାଁର ଶହଶହ ସଂଖ୍ୟାରେ ପୁରୁଷ/ମହିଳା ଏହି ଛତରକୁ ସ୍ୱାଗତ କରିଥାନ୍ତି । ଗାଁରେ ଆମ୍ବତଲଣ କରାଯାଇ ଗାଁକୁ ସୁସଜ୍ଜିତ କରାଯାଇଥାଏ । ଗାଁର ଆବାଳ ବୃଦ୍ଧବନୀତା ଦେବୀଙ୍କ ଛତରକୁ ମୁଣ୍ଡିଆମାରି ଆଗାମୀ ବର୍ଷରେ ସମସ୍ତଙ୍କ ମଙ୍ଗଳକାମନା କରାଯାଇଥାଏ । ପରେ ପଦରପାଖରେ ଥିବା ଦେବୀପୀଠକୁ ଛତର ନିଆଯାଇ ସେଠାରେ ପୁଣି ପୂଜା କରାଯାଇଥାଏ । ପୂର୍ଣ୍ଣମୀଦିନ ମେଣ୍ଡାର ଦକ୍ଷିଣଦିଗରେ ଥିବା ସୁକତେଲନଦୀର ଶାଖା(ମଙ୍ଗଳାଶର)ରେ ମାନସିକ ପୋଢବୋଦା ଓ ପାଟବୁକାକୁ ଗାଧୋଇ ମେଣ୍ଡାର ଇଷ୍ଟଦେବୀ ମେଣ୍ଡାଶୁଣୀ ପୀଠରେ ପୂଜାକରାଯାଇ ଥାଏ । ମେଣ୍ଡାର ଗାଁରେ ଘରସାମନାରେ ଜାଗରଜାଳି, ଲିଆଜୁଗାର ଦେଇ ପୂଜା କରାଯାଇ ଥାଏ । ସେଠାରୁ ରାଜପାଲିର ଗାଁପାଖର ପୀଠରେ ପୂଜାର୍ଚ୍ଚନା କରାଯାଇ ରାତି ୮ଟା ବେଳେ ମାନସିକ ବୋଦା ତଥା ଛତର ବୈରଖକୁ ନିଆଯାଇଥାଏ । ଚଳିତବର୍ଷ ୨ଟି ପୋଢକୁ ନେଇ ମାନସିକଧାରୀ ଦେଇଥିବା ସୂଚନା ମିଳିଛି । ଏଠାରେ ଛେଳି,ମେଣ୍ଢା,କୁକୁଡା ଓ ପୋଢ ବଳି ଦିଆଯାଇଛି । ହଜାର ହଜାର ସଂଖ୍ୟାରେ ମାନସିକ ଧାରୀ ତାଙ୍କ ଇପ୍ସିତ ଫଳପ୍ରାପ୍ତି ହେଲାପରେ ଦେବୀ ବାରପାହାଡଙ୍କ ପୀଠରେ ବଳି ଦେଇଥାନ୍ତି । ପ୍ରକାଶ ଯେ,ବାରପାହାଡ ହେଉଛନ୍ତି ଆଦିବାସୀ ଗଣ୍ଡସମ୍ପ୍ରଦାୟର ଇଷ୍ଟ ଲିଙ୍ଗୋ ଦେବତା । ଗଣ୍ଡମାନେ ଯେଉଁଆଡେ ଯାଉଥିଲେ ପାହଡତଳେ ବସତି ସ୍ଥାପନ କରି ପାହାଡଉପରେ ତାଙ୍କର ଦେବତାଙ୍କ ସ୍ଥାପନା କରୁଥିଲେ । ସେହିକ୍ରମରେ କାହିଁ କେଉଁ କାଳରୁ ବାରପାହାଡଙ୍କୁ ଏଠାରେ ବାରପାହାଡ ପର୍ବତର ଗୁମ୍ଫାରେ ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଇ ଆସୁଛି । ଏବେ ସବୁଜାତି ଓ ସବୁବର୍ଗର ଲୋକଙ୍କ ଆରାଧ୍ୟ ଦେବତା ରୂପରେ ଦେବୀ ବାରପାହାଡ ପୂଜା ପାଇ ଆସୁଛନ୍ତି । ଲୋକଙ୍କ ବିଶ୍ୱାସ ଅଛି ଦେବୀ ପାରପାହାଡଙ୍କୁ ଯାହା ମନାସିକ କରାଯାଏ ତାହା ପ୍ରାପ୍ତି ହୋଇଥାଏ । ପ୍ରତିବର୍ଷ ଚାଷକାମ ବେଳେ କାଦୋଯାତ୍ରା, ଧାନ ଅମଳ ବେଳେ ଯାତ୍ରା ହୋଇଥାଏ । କିନ୍ତୁ ଚୈତ୍ର ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀ ତିଥିରେ ମୁଖ୍ୟଛତରଯାତ୍ରା ଓ ଡଙ୍ଗରଯାତ୍ରା ହୋଇଥାଏ । ମେଣ୍ଡାପ୍ରଗଣା ଓ ଆଖପାଖ ଅଞ୍ଚଳ ତରଭା ବ୍ଲକ, ଲୋସିଂହା ବ୍ଲକ, ସୋନପୁର ବ୍ଲକ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ଆଞ୍ଚଳିକ ବାରପାହାଡସେନା ପକ୍ଷରୁ କିଛିବର୍ଷ ହେଲା ପୂର୍ଣ୍ଣମୀଦିନ ଲୋକଙ୍କ ମନୋରଂଜନ ପାଇଁ ଦଣ୍ଡନୃତ୍ୟ ମଧ୍ୟ କରାଯାଇ ଆସୁଛି ।