-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
29-Feb-2024
ବଲାଙ୍ଗିର(ଚିତ୍ରସେନ ବେହେରା ): ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ବଲାଙ୍ଗିରଙ୍କ ଦ୍ଵାରା ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ସତର୍କତା ମୂଳକ ପଦକ୍ଷେପ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରା(ରାଜସ୍ୱ), ଅତିରିକ୍ତ ଜିଲ୍ଲାପାଳ ଡାଃ ବିଜୟ।
ନନ୍ଦ ସେଠୀ (ସାଧାରଣ), ଉପ-ଜିଲ୍ଲାପାଳ ଟିଟିଲାଗଡ ଶ୍ରୀ ରେହାନ ଖତ୍ରୀ, ଉପ-ଜିଲ୍ଲାପାଳ ପାଟଣାଗଡ଼ ଶ୍ରୀ ଅମିତ କୁମାର ନାୟକ, ପ୍ରକଳ୍ପ ନିର୍ଦେଶକ ସହର ଉନ୍ନୟନ ସଂସ୍ଥା ଶ୍ରୀ ପ୍ରଫୁଲ୍ଲ କୁଜୁର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ହେମନ୍ତ କୁମାର ପାଢୀ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ଶ୍ରୀମତୀ ସସ୍ମିତା ପ୍ରଧାନ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର ମାନେ ଉପସ୍ଥିତ ଥିଲେ । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀମାନେ ସଜାଗ ଓ ତତ୍ପର ରହିବା ସହିତ କ୍ଷେତ୍ର କର୍ମଚାରୀ ଓ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ସୁଚିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପାନୀୟ ଜଳର ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ୟାର ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତର ମୁକାବିଲା ନିମନ୍ତେ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ତଥା ଆନୁସାଙ୍ଗିକ ବ୍ୟବସ୍ଥା ଓ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା କାର୍ଯ୍ୟାଳୟ ସମେତ ଜିଲ୍ଲାର ପ୍ରତ୍ୟେକ ବ୍ଲକ, ତହସିଲ ଓ ସମ୍ପୃକ୍ତ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡିକରେ ମାର୍ଚ୍ଚ ୫ ତାରିଖ ଠାରୁ କଣ୍ଟ୍ରୋଲ ରୁମ ଖୋଲିବା ସହ ଅଭିଯୋଗ ରେଜିଷ୍ଟରରେ ଅଭିଯୋଗ ଗୁଡିକ ଲିପିବଦ୍ଧ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଚଳ ହୋଇଥିବା ନଳକୂପ ତଥା ଅନ୍ୟାନ୍ୟ ଜଳ ଉତ୍ସ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ପାନୀୟ ଜଳ ଯୋଗାଣ ସଙ୍କ୍ରାନ୍ତୀୟ ସମସ୍ୟା ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବା, ଜଳକ୍ଳିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦେବା , ଅଂଶୁଘାତ ଜନିତ ମୃତ୍ୟୁର ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା, ଜିଲ୍ଲାର ପ୍ରତ୍ୟେକ ପୌରାଞ୍ଚଳ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ଲକ, ପଞ୍ଚାୟତ ଗୁଡିକର ଗୁରୁତ୍ଵପୂର୍ଣ ଜନଗହଳି ସ୍ଥାନ, ବସଷ୍ଟାଣ୍ଡ ମାନଙ୍କରେ ଜଳଛତ୍ର ଖୋଲିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ଏହାକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରମିକମାନେ କାର୍ଯ୍ୟ କରୁଥିବା କାର୍ଯ୍ୟସ୍ଥଳୀମାନଙ୍କରେ ବିଶ୍ରାମସ୍ଥଳୀ ଓ ଯାତ୍ରୀବାହି ବସ ତଥା ଅନ୍ୟାନ୍ୟ ଯାନବାହାନ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ସହିତ ଓଆରଏସ ପ୍ୟାକେଟ ରଖିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ସମୟରେ ଗୋରୁ, ଗାଈ ଇତ୍ୟାଦି ପ୍ରାଣୀ ସମ୍ପଦଙ୍କ ପିଇବା ପାଣିର ବ୍ୟବସ୍ଥା ତଥା ଔଷଧର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ସମୟରେ ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବିଶେଷ କରି ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲ ଗୁଡିକ ପାଇଁ ସୁନିଶ୍ଚିତ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବ୍ଲକ ଓ ପଞ୍ଚାୟତ ସ୍ତରରେ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧିଙ୍କ ଉପସ୍ଥିତିରେ ଅନୁରୂପ ବୈଠକ ଯଥାଶୀଘ୍ର ଆୟୋଜନକରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ଜନିତ
ପରିସ୍ଥିତିର ମୁକାବିଲା ଓ ଅଂଶୁଘାତ ସତର୍କତା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦିଗରେ ବୈଠକରେ ଆଲୋଚନା କରାଯାଇଥିଲା । ଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ଶ୍ରୀମତୀ ସସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।