-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
29-Aug-2023
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଞ୍ଚାୟତ ର ସିନ୍ଧେକେଲା ଓ ନିକଟସ୍ଥ ତେଲସରାଇ ଗ୍ରାମରେ ବିଗତ ସପ୍ତାହରୁ ଝାଡାବାନ୍ତି ରୋଗରେ ଦୁଇ ଜଣଙ୍କ ମୃତ୍ୟୁ ଓ ଅନେକ ଆକ୍ରାନ୍ତ ଘଟଣା କୁ ନେଇ ଏଠାରେ ପ୍ରଶାସନିକ ଅଧିକାରୀ ଓ ଦଳୀୟ ନେତାଙ୍କ ପରିଦର୍ଶନ ର ସୁଅ ଛୁଟିଥିବା ବେଳେ ଆଜି କଣ୍ଟାବାଞ୍ଜି ବିଧାୟକ ତଥା ବିଧାନସଭା ରେ ତହଲକା ମଚଉଥିବା ପଶ୍ଚିମ ଓଡିଶାର ଟାଣୁଆ ନେତା ଭାବେ ପରିଚିତ ସଂନ୍ତୋଷ ସିଂ ସାଲୁଜା ଆଜି ସୋମବାର ତାଙ୍କ ତୁଫାନି ଗସ୍ତ କରିଛନ୍ତି । ଆଜି ଶ୍ରାବଣ ମାସର ଶେଷ ସୋମବାର ଥିବାରୁ ସର୍ବ ପ୍ରଥମେ ବିଧାୟକ ଶ୍ରୀ ସାଲୁଜା ସିନ୍ଧେକେଲା ନିକଟବର୍ତ୍ତୀ ଅର୍ସାତୁଲା ପଞ୍ଚାୟତ ଦେହେଲି ପାହାଡ଼ରେ ଅବସ୍ଥିତ ଝାଡେଶ୍ୱର ବାବା ମନ୍ଦିର ପହଞ୍ଚି ସେଠାରେ ବାବାଙ୍କ ଦର୍ଶନ କରିବା ସହ କମିଟି ଓ ଅଞ୍ଚଳବାସୀଙ୍କ ତରଫରୁ ହୋଇଥିବା ସଭାରେ ଯୋଗଦେଇ ମନ୍ଦିର ର ଆହୁରି ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପରେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚି ସେଠାରେ ଆକ୍ରାନ୍ତ ରୋଗୀମାନଙ୍କୁ ଫଳମୂଳ ପ୍ରଦାନ କରିବା ସହ ସ୍ଥିତି ଅନୁଧ୍ୟାନ କରି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ ହୋଇଥିଲେ । ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଞ୍ଜନ ଖୁଣ୍ଟିଆ ଙ୍କୁ ସାକ୍ଷାତ କରି ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଓ ଆଶାକର୍ମୀ ମାନଙ୍କ ସହ ଏକ ସଭା ଆୟୋଜନ କରି ଝାଡାବାନ୍ତି ରୋଗ କୁ କିଭଳି ଭାବରେ ଆୟତ୍ତ କରାଯିବ ସେ ଉପରେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ରେ ଔଷଧ ବ୍ଲିଚିଙ୍ଗ ପାଉଡର ଯାହା ଯାହା ଆବଶ୍ୟକ ପର୍ଯ୍ୟାପ୍ତ ମାତ୍ରା ରେ ପ୍ରସ୍ତୁତ ରଖିବା ସହ କିଛିଦିନ ପାଇଁ ସଫେଇ କର୍ମଚାରୀ ବୃଦ୍ଧି କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ସଫାସୁତୁରା ରଖିବା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଝାଡାବାନ୍ତି ରୋଗରେ ମୃତ୍ୟୁ ଘଟିଥିବା ସିନ୍ଧେକେଲା ଚାନ୍ଦଲି ପାହାଡ଼ ନିକଟ କ୍ରସର ପଡ଼ାର ମମତା କଁଅର(୨୫) ଓ ଗାୟତ୍ରୀ ପଡାର ସୁଶିଳା ଚନ୍ଦନ(୩୦) ଙ୍କ ଘରକୁ ପହଞ୍ଚି ତାଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆଗାମୀ ଦିନରେ ବିଧାନସଭାରେ ଏ ସମ୍ପର୍କରେ ଆଲୋଚନା କରି ଉକ୍ତ ପରିବାର
ଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବାକୁ ଦାବି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଧାୟକଙ୍କ ଏହି ଗସ୍ତରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା juରଞ୍ଜୁବାଲା ବେହେରା, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା , ଠେମରା ଗ୍ରାମ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀଧର ବାଗ , ଅଲଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ , ଝରିଆଲ ସରପଞ୍ଚ ଗୋପୀନାଥ ସାହୁ , ନିତ୍ୟାନନ୍ଦ ପୃଷେଠ, ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ରୋଗୀ କଲ୍ୟାଣ ସମିତି ସଦସ୍ୟ ସଞ୍ଜୟ ସିଂଦେଓ , ଓମ ସାହୁ, ରାଜୀବ ସାହୁ, ଯୁବ କଂଗ୍ରେସ ନେତା କୁନା ବାମିଡ଼ି, ତୁଳସୀ ସୁନା, ଗଣପତ୍ ଜୈନ, ମୁକେଶ ତାଣ୍ଡି, ବୈକୁଣ୍ଠ ସାହୁ, ପୂର୍ଣ୍ଣ ଦାସ, ନୀଳକଣ୍ଠ ତ୍ରିପାଠୀ , ସିନ୍ଧେକେଲା ଆର ଆଇ ଗୀତାଞ୍ଜଳି ବାଗ ପ୍ରମୁଖ ଉପସ୍ଥିତ ଥିଲେ