-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
10-Jan-2023
ବିନିକା(ମଳୟ ମିଶ୍ରଙ୍କ ରିପୋର୍ଟ)
ଗତ ଡିସେମ୍ବର ୧୪ ତାରିଖ ଅରିଗାଁ ବିମଳିନୀ ଭାରତୀ ପିଇଜି ଗୋଦାମର ୧୦ ହଜାରରୁ ଉର୍ଦ୍ଧ୍ବ ଚାଉଳ ସର୍ଟେଜ୍ ର ହିସାବ ହେରଫେର ନିମନ୍ତେ ନିଆଁ ଲଗାଇଦେଇଥିବା କେଳେଙ୍କାରୀରେ ଜଡିତ ଗୋଦାମମାଲିକ ଫେରାର୍ ପୂର୍ବରୁ ତା'ଠାରୁ ଇସୁ କରି ନେଉଥିବା ଜିଲ୍ଲାର ଡିଲରମାନଙ୍କ ଠାରୁ ୨ / ୩ ବସ୍ତା ଲେଖାଏଁ କାଟି ତତ୍ କ୍ଷଣାତ୍ ଚାଉଳ ଭରଣା କରିଥିବା ବିଶ୍ବସ୍ତସୂତ୍ରରୁ ଜଣାଯାଇଛି ।
ଏଥିରେ ସ୍ଥାନୀୟ ଯୋଗାଣ ଅଧିକାରୀ ଓ ଜିଲ୍ଲା ଯୋଗାଣବିଭାଗ ସମେତ ଜିଲ୍ଲା ପ୍ରଶାସନ ତଥା ଅନ୍ୟକେତେକ ମିଲର ଓ ଡିଲରମାନେ ସମ୍ପୃକ୍ତ ରହିଥିବା ଶୁଣାଯାଉଛି । ଭଦ୍ରକଜିଲ୍ଲାର ଏହି ଗୋଦାମମାଲିକ ଜଣକ ଦଶବର୍ଷିଆ ଏଗ୍ରିମେଣ୍ଟ୍ କରି ଗୋଦାମ କରିବା ପରେ ଏଠାରେ ସରକାରୀ ଯୋଜନାର ଚାଉଳର ମିଲ୍ ମାନଙ୍କ ସହ ମିଶି ରିସାଇକ୍ଲିଂ କରିଆସୁଥିଲେ ହେଁ ନିୟମିତ ତାଙ୍କଠାରୁ ବଟି ଖାଇ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀମାନେ ଗୋଦାମର ଷ୍ଟକ୍ ଯାଞ୍ଚ ଇତ୍ୟାଦି କରୁ ନଥିଲେ । ଏପରିକି ଯୋଗାଣ ବିଭାଗର ଜିଲ୍ଲା ଓ ଭୁବନେଶ୍ବରରେ ଥିବା ରାଜନେତା, ଅଧିକାରୀ ଓ ବିଧାୟକ ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି କଳାବଜାରୀ ଗୋଦାମମାଲିକର ପକେଟରେ ଥିବା କୁହାଯାଉଛି । ଏହି ଦୁର୍ନୀତିରେ କେବଳ ଏଇଥରକର ପ୍ରାୟ ସାଢେ ତିନିକୋଟିର ନୁହେଁ, ବର୍ଷ ବର୍ଷ ଧରି ଆହୁରି ବହୁଗୁଣାର ଏବଂ ନେତା , ଅଧିକାରୀ, ଲୋକପ୍ରତିନିଧି ସମସ୍ତେ ଏହାର ଭାଗିଦାରୀ ରହିଆସିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏଣୁ ପ୍ରଥମେ ଏହି ଚାଉଳ ଭରଣା କରିଥିବା ଡିଲରମାନଙ୍କ ପାଖରୁ ଏତେବଡ ଦୁର୍ନୀତିକୁ ସହଯୋଗ କରିଥିବା ଅଭିଯୋଗର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଦାବି ହେଉଛି ।
ପ୍ରକାଶଯୋଗ୍ୟ ଯେ ସୁବର୍ଣ୍ଣପୁର ଜିଲ୍ଲାରେ ଏଭଳି ଯୋଗାଣ ବିଭାଗର ସରକାରୀ ଚାଉଳ ଦୁର୍ନୀତି ନୂଆ ନୁହେଁ । କିଛିବର୍ଷ ତଳେ ଜଣେ ରଥ ସିଏସଓଙ୍କ ଅମଳରେ ବିନିକାରୁ କଟକ ଯାଉଥିବା ଏକାଧିକ ଚାଉଳବୋଝେଇ ଟ୍ରକ୍ କେଳେଙ୍କାରୀ ଲୋକଲୋଚନକୁ ଆସିଥିଲେ ହେଁ, ପରେ ଚପାଇ ଦିଆଯାଇଥିଲା ।
ଏଣୁ ଏହି ଜିଲ୍ଲାର ଦଶନ୍ଧି ଦଶନ୍ଧି ଧରି ଚାଲିଆସିଥିବା ଚାଉଳ ଅନିୟମିତତାର ସିବିଆଇ ତଦନ୍ତ ପାଇଁ ଜିଲ୍ଲାବାସୀ ଆଇନ ଅଦାଲତରେ ଏକ ଜନସ୍ବାର୍ଥ ମାମଲା ଦାଏର କରିବା ଦରକାର ବୋଲି ଜନମତ ପ୍ରକାଶ ପାଉଛି ।