-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
21-Nov-2022
ବରଗଡ(ମୁକୁନ୍ଦ ଦାସ) : ସ୍ଥାନୀୟ ଜଜ୍ ହାଇସ୍କୁଲ ପଡିଆଠାରେ ଗତ ୨୦ ତାରିଖରେ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ୧୯ତମ ବରଗଡ ପୁସ୍ତକମେଳା ମହା ସମାରୋହରେ ଉଦ୍ ଘାଟିତ ହୋଇଯାଇଛି । ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାକୁ ଉଦଘାଟନ କରିଥିବାବେଳେ ବରଗଡ ସାଂସଦ ସୁରେଶ ପୂଜାରୀ ଏଥିରେ ମୁଖ୍ୟଅତିଥି ଓ ବିଶିଷ୍ଟ କବି ଓ ଗାଳ୍ପିକ ବଲାଙ୍ଗୀରର ମଳୟ ମିଶ୍ର ମୁଖ୍ୟବକ୍ତା ଭାବେ
ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ବିମ୍ବାଧର କୁଅଁର ଏହି ଉଦଘାଟନ ଉତ୍ସବରେ ସଭାପତିତ୍ବ କରିଥିବାବେଳେ ସମ୍ପାଦକ ବିକ୍ରମାଦିତ୍ୟ ପଣ୍ଡା ମଞ୍ଚାସୀନ ରହିଥିଲେ । ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ମନୋରଞ୍ଜନ ସାହୁ ( ପ୍ରଖ୍ଯାତ ବ୍ୟଙ୍ଗକବି ) , ଉପ-ସଭାପତି ଡ ପ୍ରଦୀପ କୁମାର ହୋତା ସଭାପରିଚାଳନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ପୂଜାରୀ ଓଡିଆ ଭାଷା ସହିତ ସମ୍ବଲପୁରୀ- କୋଶଳୀଭାଷାକୁ ସମ୍ବିଧାନର ୮ମ ସୂଚୀରେ ସାମିଲ୍ କରାଯିବାକୁ ଏହିଭାଷାରେ ପାର୍ଲାମେଣ୍ଟରେ ଉପସ୍ଥାପିତ କରିବା ସମ୍ପର୍କରେ ସୂଚନା ଦେଇ ଏହିଭାଷା ଓ ପୁସ୍ତକମେଳା ସହିତ ବରଗଡମାଟିର ସାହିତ୍ୟ ଓ ସାହିତ୍ୟିକଙ୍କ ସମ୍ପର୍କରେ ଉଦବୋଧନ ଦେଇଥିଲେ । ଉଦଘାଟନ ବିଧାୟକ ଶ୍ରୀ ଆଚାର୍ଯ୍ୟ ବରଗଡ ଓ ପୁସ୍ତକମେଳାର ଉନ୍ନତି ଦିଗରେ ସର୍ବଦା ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ମିଶ୍ର ଯେତେ ଯାହା ଇ- ପୁସ୍ତକର ଆବିର୍ଭାବ ସତ୍ତ୍ୱେ ପୁସ୍ତକ , ପୁସ୍ତକମେଳା ଓ ଗପକବିତାଦି ଲେଖାଯିବା ସୃଜନଶୀଳତାର ଅନିବାର୍ଯ୍ୟ ଆବଶ୍ୟକତା ଅବାରିତ ରହିବ ବୋଲି ବକ୍ତବ୍ଯ ଦେଇ ପୁଣି
ସମସ୍ତେ ଅଧ୍ୟୟନକୁ ଫେରିବେ ବୋଲି କହିଥିଲେ । ଶେଷରେ ଦୁଇଟି ସମ୍ବଲପୁରୀ କ୍ୟାଲେଣ୍ଡର୍ ଉନ୍ମୋଚିତ ହୋଇଥିଲା । ସୁରମନ୍ଦିର ତରଫରୁ ଶିଶୁକଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ରାଜ୍ୟସ୍ତରୀୟ ପୁସ୍ତକମେଳାରେ ଶତାଧିକ ବହିଷ୍ଟଲ୍ ଖୋଲାଯାଇଛି ଓ ଏହା ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମଦିନରେ ସହସ୍ରାଧିକ ପୁସ୍ତକପ୍ରେମୀ, କ୍ରେତା, କବି, ଲେଖକ, ସାହିତ୍ୟାନୁରାଗୀ, ବୁଦ୍ଧିଜିବୀ ଓ ଦର୍ଶକଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଶେଷରେ ମନମାଷ୍ଟ୍ରେ ଧନ୍ୟବାଦ ଦେଇଥିଲେ ।