-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ବଲାଙ୍ଗୀର(ପ୍ରେରଣା ଖବର ବ୍ୟୁରୋ) :- ଏକ ଶିଳ୍ପ ବିହୀନ ଜିଲ୍ଲା ଭାବରେ ପରିଚୟ ଲାଭ କରିଥିବା ବଲାଙ୍ଗୀର ଜିଲ୍ଲା ସର୍ବଦା ଉପେକ୍ଷିତ ହୋଇ ଆସୁଥିବା ବେଳେ ବଲାଙ୍ଗୀର ଠାରୁ ଅନତି ଦୂରରେ କୋଅପରେଟିଭ୍ ଆଇନ ବଳରେ ପଞ୍ଜୀକୃତ ହୋଇଥିବା ବିଜୟାନନ୍ଦ ଚିନିକଳ ସରକାରୀ ଉଦାସୀନତା ତଥା ଷଡ଼ଯନ୍ତ୍ର ର ଶିକାର ହୋଇ ଆଜି ଜରାଜୀର୍ଣ୍ଣ ଓ ଋଗ୍ନ ହୋଇ ପଡ଼ିରହିଛି ।
ବିଜୟାନନ୍ଦ ଚିନିକଳ କୋଅପରେଟିଭ୍ ଆଇନ ବଳରେ ପଞ୍ଜୀକୃତ ହେବା ପୂର୍ବରୁ ପୋନିଶୁଗର ଏହାକୁ ପରିଚାଳିତ କରୁଥିଲା । ପରବର୍ତ୍ତୀ ପର୍ଯ୍ୟାୟ ରେ ଏହା ନିଲାମ ହୋଇ ଏକ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମ ରେ ସମବାୟ ଅଧୀନ କୁ ଆସିଥିଲା ।
ରାଜ୍ୟ ସରକାର ବୈମାତୃକ ମନୋଭାବ ରଖି ଏହାକୁ ସଂପୂର୍ଣ୍ଣ ଭାବରେ ପଙ୍ଗୁ କରିବାର ରାସ୍ତା ଖୋଲିଦେଲେ । ଫଳସ୍ୱରୁପ୍ ୧୦ ହଜାର ରୁ ଉର୍ଦ୍ଧ୍ବ ଆଖୁ ଚାଷୀ ଆଜି କଙ୍ଗାଲ ହୋଇ ଦୁର୍ଦ୍ଦିନ ରେ କାଳାତିପାତ କରୁଛନ୍ତି । ସରକାର ଚାଷ ଏବଂ ଚାଷୀ ମାନଙ୍କ ନିମନ୍ତେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ସରକାର ଙ୍କ ଦୋମୁହାଁ ନୀତି ଅତ୍ୟନ୍ତ ନିନ୍ଦନୀୟ ଅଟେ । ପୋନି ସୁଗର୍ ୧୯୯୨-୯୩ ରୁ ପ୍ରାୟ ୯ ବର୍ଷ ଚାଲିବା ପରେ ନିଲାମ ହୋଇଥିଲା ।ସୂଚନା ଅନୁସାରେ ଏହି ଚିନିକଳ ପାଇଁ ୯୭ କୋଟି ଋଣ ହୋଇଥିବା ବେଳେ ୭୦ କୋଟି ଋଣ ପରିଶୋଧ କରିସାରିଥିବା ତଥ୍ୟ ରୁ ଜଣା ପଡ଼ିଛି ।ତେବେ ଚିନିକଳ କୁ ଚାଲୁଥିବା ଅବସ୍ଥାରେ ବନ୍ଦ କରି ଦିଆଯାଇଥିଲା । ଗୋଟିଏ ସକ୍ଷମ ଶିଳ୍ପ କୁ ଅକ୍ଷମ କରି ଏଠି କାମ କରୁଥିବା କର୍ମଚାରୀ ମାନଙ୍କ ପେଟରେ ସରକାର ଲାତ ମାରିଲେ । ଏହି ଚିନିକଲରେ ଅନେକ ଶ୍ରମିକ ନିଯୁକ୍ତି ପାଇ ପରିବାର ପ୍ରତିପୋଷଣ କରୁଥିଲେ । ସେମାନେ କାମ ହରାଇବା ପରେ ପରିବାର ପୋଷଣ ପାଇଁ କଣ କରୁଛନ୍ତି କାହାରି ନଜର ନାହିଁ । ଅନେକ ପରିବାର ପେଟ ପାଟଣ ପାଇଁ ରାଜ୍ୟ ବାହାର କୁ ଦାଦନ ଖଟିଗଲେ । ଛୋଟ ଚାଷୀ ମାନେ ମଧ୍ୟ ଚାଷ ହରାଇ ପେଟ ପାଇଁ ଦାଦନ ଶ୍ରମିକ ସାଜିଲେ । ଆତ୍ମ ନିଯୁକ୍ତି ର ବାହା ବାହା ନେଉଥିବା ସରକାର ହଜାର ହଜାର ଶ୍ରମିକ ଏବଂ ଚାଷୀ ଙ୍କୁ ଦାଦନ ଶ୍ରମିକ ରେ ପରିଣତ କରିଦେଲେ ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ,ଚିନିକଳ କ୍ଷମତା ପ୍ରତିଦିନ ୨ହଜାର ୫୦୦ ଟନ ଥିଲାବେଳେ ଚଂଚକତା ପୂର୍ବକ ଅଚଳ କରିଦେବା ଏକ ରହସ୍ୟମୟ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ଏଠାରେ ପ୍ରଶ୍ନ ଉଠେ,ସ୍ଵୟଂ ସହାୟକ ସମବାୟ ଆଇନ
ବଳରେ ପଞ୍ଜୀକୃତ ଏହି ସଂସ୍ଥା କୁ ରାଜ୍ୟ ସରକାର କେଉଁ ପରିସ୍ଥିତି ରେ ଏବଂ କାହିଁକି ଏକ ଅଧ୍ୟାଦେଶ ବଳରେ ବାତିଲ କଲେ ତାହା ନିଶ୍ଚିତ ଭାବରେ ଏକ ପ୍ରଶ୍ନବାଚୀ ଅଟେ । ଏହି ଅଧ୍ୟାଦେଶ କୁ କାର୍ଯ୍ୟକାରୀ କରିବା ପୂର୍ବରୁ ବିଧାନସଭା ରେ ଆଲୋଚନା କରିଥିଲେ କି? ବିଧାନସଭା ରେ ସରକାର ଏ ସମ୍ପର୍କରେ କୌଣସି ବିଲ ଆଗତ କରିଥିଲେ କି? ଏହା ଯଦି ହୋଇନଥିଲା ତେବେ ତରବରିଆ ଭାବରେ ଏହି ଅଧ୍ୟାଦେଶ କୁ କାର୍ଯକାରୀ କରାଇବା ପଛରେ ସରକାରଙ୍କ ସ୍ବାର୍ଥ କଣ ତାହା ଶ୍ୱେତପତ୍ର ମାଧ୍ୟମରେ ରାଜ୍ୟବାସୀ ଙ୍କୁ ଅବଗତ କରାଇବେ କି?
ଚାଷ ଏବଂ ଚାଷୀ ପାଇଁ ମାଳମାଳ ଯୋଜନା କରୁଥିବା ରାଜ୍ୟ ସରକାର ଦଶ ହଜାର ରୁ ଉର୍ଦ୍ଧ୍ବ ଆଖୁ ଚାଷୀ ଙ୍କ ଜୀବନ ଜୀବିକା ସହ ଯେଉଁ ଖେଳ ଖେଳିଛନ୍ତି ତାହା ଏକ ନିଛକ ପ୍ରତାରଣା ର ନମୁନା ଅଟେ । କେଉଁ ପରିସ୍ଥିତି ରେ ଏବଂ କାହାକୁ ଶରବ୍ୟ କରି ରାଜ୍ୟ ସରକାର ଏହି ହୀନ ଚକ୍ରାନ୍ତ କଲେ ତାହାର ଅନୁସନ୍ଧାନ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହୁଏ ।
ଏହି ଶିଳ୍ପ ବଲାଙ୍ଗୀର ଜିଲ୍ଲାରେ ଚାଲୁଥିବା ଦ୍ଵାରା ଜିଲ୍ଲାର ଆର୍ଥିକ ମାନଦଣ୍ଡ କିଛିଟା ସୁଦୃଢ ଥିଲା । ବଲାଙ୍ଗୀର ଜିଲ୍ଲାକୁ ବୈମାତୃକ ଚିନ୍ତାଧାରା ନେଇ ରାଜ୍ୟ ସରକାର ଜିଲ୍ଲାର ଅର୍ଥନୈତିକ କ୍ଷମତା କୁ ଦୁର୍ବଳ କରିଦେଲେ । ଯଦି ସରକାର ବଲାଙ୍ଗୀର ଜିଲ୍ଲାକୁ ଦାଦନ ମୁକ୍ତ କରିବାର ଚିନ୍ତା ରଖିଥାନ୍ତେ ଅଥବା ଜିଲ୍ଲାର ଅର୍ଥନୈତିକ ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ ଚାହୁଁ ଥାନ୍ତେ ତେବେ କେବିକେ ଯୋଜନା କିମ୍ବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ରୁ ଏହି ଶିଳ୍ପ କୁ ପୁନଃରୁଦ୍ଧାର କରିପାରି ଥାନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ।