-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
13-Aug-2022
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ଗତ ୧୦ ତାରିଖ ରାତିରେ ବିନିକାରୁ ବରପାଲିସ୍ଥିତ ବସାଘରେ ଥିବା ପରିବାର ପାଖକୁ ଫେରିବାକୁ ଥିବା ବରପାଲି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର କୃଷି ମ୍ୟାନେଜର ବଲାଙ୍ଗୀର ଶାନ୍ତିପଡାର ଦିବ୍ୟଜ୍ୟୋତି ମିଶ୍ର ୨୬ ନମ୍ବର ରାଜପଥ ବରଗଡ- ବଲାଙ୍ଗୀର ରାସ୍ତାର ଡୁଙ୍ଗରିପାଲି - ସାଲେଭଟା ମଝିରେ ଥିବା ଅଙ୍ଗ ନଦୀ ପୋଲ ଓପରେ ବାଇକ୍ ଓ ହେଲମେଟ୍ ରଖି ନଦୀକୁ ଡେଇଁପଡିଥିଲେ । ସେବାଟେ ଆସୁଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ରାତି ପ୍ରାୟ ୧୧ ଟା ୧୭ ମିନିଟ୍ ରେ ଏହା ଦେଖି ଡୁଙ୍ଗରିପାଲି ଥାନାରେ ଖବର ଦେଇଥିଲେ । ତେବେ ଏହା ଆତ୍ମହତ୍ୟା ହୋଇ ନପାରେ , ଅପହରଣ ବା ସେଇଭଳି କିଛି ବୋଲି ପରିବାର ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇ ଆସୁଥିଲା । ତେବେ ତାଙ୍କର ନିଖୋଜ ନେଇ ସୁବର୍ଣ୍ଣପୁର ଜିଲ୍ଲାର ସ୍ଥାନୀୟ ଡୁଙ୍ଗରିପାଲି ଥାନାରେ ପରିବାର ପକ୍ଷରୁ ଏକ ଏତଲା ଦିଆଯିବା ପରେ ପୁଲିସ୍ ଓ ବିନିକା ତଥା ଅନ୍ୟାନ୍ୟ ସଂପୃକ୍ତ ଅଞ୍ଚଳର ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ଟିମ୍ ଇତିମଧ୍ୟରେ ପ୍ରବଳ ବର୍ଷା ଲାଗିରହିଥିବା ସତ୍ତ୍ୱେ ବଢିଲା ନଈରେ ଦିନରାତି ଏକ କରି ଗତ ଚାରିଦିନ ଧରି ଖୋଜିବା ଜାରୀ ରଖିଥିଲେ । ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାର ଲଛିପୁର ନିକଟସ୍ଥ ବିନିକା ଥାନାର ଜୁଲୁଣ୍ଡାଠାରେ ଅଙ୍ଗ ନଦୀରୁ ଉକ୍ତ ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଥିବା ପ୍ରକାଶ ।
ଅନୁସନ୍ଧାନରୁ ପ୍ରକାଶ ଯେ , ବରଗଡ ଜିଲ୍ଲାର ବରପାଲି ପିଏନବି ବ୍ୟାଙ୍କରେ କାର୍ଯ୍ୟରତ ବଲାଙ୍ଗୀରର ଏହି ଯୁବ କୃଷି ମ୍ୟାନେଜର ସେଠାରେ ସ୍ତ୍ରୀ ଓ ଏକ ଛୋଟ ଶିଶୁସନ୍ତାନ ସହ ବସାଘରେ ରହି ବିନକା ସମେତ ଆଗଲପୁର ଓ ଅନ୍ୟାନ୍ୟ ୫ ଟି ଶାଖାର କ୍ଷେତ୍ରର ଦାୟିତ୍ୱରେ ଥିବାରୁ ପ୍ରତ୍ୟେହ ବାଇକ ଯୋଗେ ବରପାଲିରୁ ବିନକାକୁ ଯାତାୟାତ କରୁଥିଲେ । ଗତ ୧୦ ତାରିଖରେ ସେ ସନ୍ଧ୍ୟାରେ ଘରକୁ ଫେରୁଛି ବୋଲି ସ୍ତ୍ରୀଙ୍କ ସହ କଥା ହେବାପରେ ସନ୍ଧ୍ୟା ୭ଟା ୧୫ରୁ ତାଙ୍କ ମୋବାଇଲ ଫୋନର ସୁଇଚ୍ ଅଫ୍ ହୋଇଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା । ଏହାପରେ ଡୁଙ୍ଗରିପାଲି ଥାନାର ଉପରୋକ୍ତ ନଦୀକୁ ଡେଇଁବା ଖବର ସହ ତାଙ୍କ ବାଇକଟି ହେଲମେଟ ସହ ସାଲେଭଟା ଅଙ୍ଗନଦୀ ପୋଲ ଉପରେ ବଲାଙ୍ଗୀର ଆଡକୁ ମୁହଁ କରି ରଖାଯାଇଥିବା ଠାବ ହେଲା ପରେ ତାଙ୍କ ନିଖୋଜ ନେଇ ନାନା ଆଶଙ୍କା ପ୍ରକାଶ ପାଇଆସୁଥିଲା । ବିଶେଷତଃ ସେ ପ୍ରାୟତଃ ସବୁଦିନ ବିନକାରୁ ରାମପୁର ଦେଇ ବରପାଲିକୁ ଫେରୁଥିବା ବେଳେ ଉକ୍ତଦିନ କାହିଁକି ଅଧିକବାଟ ଡୁଙ୍ଗରିପାଲିକୁ ଆସି ବରପାଲି ଯାଉ ଯାଉ ଫେରିଆସି ବଲାଙ୍ଗୀର ରାସ୍ତାର ଏହି ଅଙ୍ଗନଦୀ ପୋଲ ପାଖକୁ ଆସିଥିଲେ ଓ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ହେଲା ବେଳଠାରୁ ସେ ରାତି ଏଗାରଟା ପର୍ଯ୍ୟନ୍ତ ନଦୀକୁ ଡେଇଁଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଖବର ପର୍ଯ୍ୟନ୍ତ ପ୍ରାୟ ଚାରିଘଣ୍ଟାକାଳ କେଉଁଠି କ'ଣ କରୁଥିଲେ ; ଏ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଆଜି ତାଙ୍କର ମୃତଦେହ ମିଳିବାପରେ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କଥା ସତ ହୋଇଛି ।ତେବେ ବିଭିନ୍ନ ସୂତ୍ରରୁ ମିଳିଥିବା ଏହାର କାରଣ ସମ୍ପର୍କରେ କୁହାଯାଉଛି ଯେ , ତାଙ୍କୁ କେହି ପ୍ରାୟ ଦୁଇବର୍ଷ ଧରି ଫୋନ୍ ରେ ବ୍ଲାକ୍ ମେଲିଂ କରି ଆସୁଥିଲେ ଓ ସେ ଏହି ସାଇବର ବ୍ଲାକ୍ ମେଲିଂର ଶିକାର ହୋଇ ୨୦ ଲକ୍ଷରୁ ଅଧିକ ଟଙ୍କା ସେମାନଙ୍କୁ ଦେଇଆସିଛନ୍ତି । ଗଲା ପ୍ରାୟ ଦେଢମାସ ମଧ୍ୟରେ ସେ ପାଖାପାଖି ସାଢେ ଆଠଲକ୍ଷ ଟଙ୍କା ଦେଇଛନ୍ତି ଓ ଶେଷରେ ସେ
ବ୍ୟାଙ୍କରୁ ଦୁଇଲକ୍ଷ ଟଙ୍କା ଋଣ ମଧ୍ୟ କରିଛନ୍ତି । ତେବେ ଏତେ ପରିମାଣର ଟଙ୍କା ସେ କାହାକୁ କାହିଁକି ଦେଉଥିଲେ ଓ ଏହା ହିଁ ତାଙ୍କର ଆତ୍ମହତ୍ୟାର କାରଣ ହେଇପାରେ କି ବୋଲି ପୁଲିସ୍ ତଦନ୍ତରେ ଜଣାପଡିପାରିବ । ପ୍ରକାଶଯୋଗ୍ୟ ଯେ ସେ ଏହାପୂର୍ବରୁ ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳରେ ଅବସ୍ଥାପିତ ଥିଲେ ଓ ଏହିସବୁ ଟଙ୍କା ସେ ତାଙ୍କର ୮ ଟି ଆକାଉଣ୍ଟ୍ ରୁ ଆଠଜଣଙ୍କ ନିକଟକୁ ଗୁଗୁଲ୍ ପେ ବା ଏହିପରି ସେମାନଙ୍କ ଆକାଉଣ୍ଟ୍ କୁ ପଠାଇଥିଲେ । ଶେଷରେ ଜଣେ ମୁସଲମାନ ଝିଅ ସମେତ ଜଣେ ବ୍ୟକ୍ତିଙ୍କୁ ଏହା ସେ ପଠାଇଥିବା ଜଣାପଡିଛି । ଏ ସମ୍ପର୍କରେ ପୁଲିସ୍ ତାଙ୍କର ପାସ୍ ବୁକ୍ ଇତ୍ୟାଦି ତାଙ୍କ ଘରୁ ଜବତ କରି ତଦନ୍ତ କରୁଥିବା ତାଙ୍କ ନିକଟତମ ମହଲରୁ ପ୍ରକାଶ ।
ତେବେ ଏହା ଉକ୍ତ ମୃତ ବ୍ୟାଙ୍କ ଅଧିକାରୀଙ୍କ ମେଦିନୀପୁରରେ ଅବସ୍ଥାପିତ ସମୟର କାହା ସହ କୌଣସି ସମ୍ପର୍କ ଯୋଗୁଁ ବା କୌଣସି ସାଇବର ଠକ ଗ୍ୟାଙ୍ଗ୍ ଙ୍କର ବ୍ଲାକ୍ ମେଲିଂର ପରିଣାମ ଅଦ୍ୟାବଧି ସ୍ପଷ୍ଟ ହୋଇପାରିନାହିଁ । ସେହିପରି ତାଙ୍କ ପରିବାରର ଲୋକେ ଏହାକୁ ଏକ ଆତ୍ମହତ୍ୟା ବୋଲି ମଧ୍ୟ ମାନିନେଇ ପାରୁ ନାହାଁନ୍ତି । ତାଙ୍କଠାରୁ ଟଙ୍କା ହାସଲ କରିବାକୁ ସେଠାରୁ କିଛିଲୋକ ବରପାଲି ବା ଡୁଙ୍ଗରିପାଲି ପର୍ଯ୍ୟନ୍ତ ଆସି କିଛି ଘଟାଇ ତାଙ୍କୁ ନଦୀକୁ ଫିଙ୍ଗିଦେଇ ଏପରି ରୂପ ଦେବା ଅସମ୍ଭବ ନୁହେଁ ବୋଲି ମଧ୍ୟ ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ତେଣୁ ଏଭଳି ଏକ ଆନ୍ତଃରାଜ୍ୟ ବ୍ଲାକ୍ ମେଲିଂ ଓ ତଜ୍ଜନିତ ଏଭଳି ଜଣେ ଯୁବ ବ୍ୟାଙ୍କ ଅଧିକାରୀଙ୍କ ଶୋଚନୀୟ ପ୍ରାଣହାନୀର ଉଚିତ୍ ଏବଂ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଲୋକେ ଦାବି କରିଛନ୍ତି । ଘଟଣାଟି ସମଗ୍ର ପଶ୍ଚିମଓଡିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।