-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)-ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖୁଛନ୍ତି । ଆଦିବାସୀମାନଙ୍କ ପ୍ରତି ଅବହେଳା କରୁଛନ୍ତି, ବିକାଶ ମୂଳକ କାର୍ଯ୍ୟରେ ପାତର ଅନ୍ତର ନିତି ଅବଲମ୍ବନ କରୁଛନ୍ତି । ଉନ୍ନୟନମୂଳକ କାର୍ଯ୍ୟ, ଯୋଜନା, ଆର୍ଥିକ ସହାୟତାରୁ ଆଦିବାସୀମାନେ ବଂଚିତ ହେଉଛନ୍ତି । କରୋନା ମହାମାରି ଜନିତ ଲକ୍ଡାଉନ ସଟ୍ଡାଉନ କଟକଣା ସମୟରେ ପ୍ରଚଳିତ ଅନ୍ଲାଇନ ଶିକ୍ଷାରୁ ଆଦିବାସୀ ଛାତ୍ର ଛାତ୍ରୀ ବଂଚିତ ହେଉଛନ୍ତି । ନକଲି ଆଦିବାସୀମାନଙ୍କ ସରକାର ଘଣ୍ଟ ଘୋଡାଉଛନ୍ତି । ଆଦିବାସୀମାନଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଉଛି । ଆଦିବାସୀ ମହିଳା, ଶ୍ରମିକ, କୃଷକ ଜୀବନ ଜିବୀକା ହରାଇ ଭୋକ ଉପାସରେ ରହୁଛନ୍ତି ବୋଲି ଆଦିବାସୀମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ପାରମ୍ପରିକ ଢାପ ବାଦ୍ୟ, ଡକା ବାଦ୍ୟ ସହିତ କୋଶଳ କଳା ମଣ୍ଡଳ ପଡିଆରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ôଚ ଥିଲେ । ଆଦିବାସୀମାନେ ଦାବି କରିଥିଲେ ଯେ ୨୦୨୧ ଜନଗଣନାରେ ହେବାକୁ ଥିବା ସର୍ଭେରେ ଧର୍ମକୋଡ କଳମର ଆଦିବାସୀ ଧର୍ମ ଅନ୍ତର୍ଭୁକ୍ତ କରାଯାଉ । ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଗରିବ ଆଦିବାସୀ ଛାତ୍ର ଛାତ୍ରୀ ମୋବାଇଲ ଫୋନ ଅଭାବରୁ ଅନ୍ ଲାଇନ ଶିକ୍ଷାରୁ ବଂଚିତ ତେଣୁ ସ୍ମାର୍ଟ ମୋବାଇଲ ଫୋନ ସରକାର ଯୋଗାଇ ଦିଅନ୍ତୁ । ଆଦିବାସୀମାନଙ୍କୁ ଅର୍ଥନୈତିକ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରନ୍ତୁ, ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରନ୍ତୁ, ଆଦିବାସୀମାନଙ୍କୁ ବିସ୍ଥାପନ କରିବା ବନ୍ଦ କରନ୍ତୁ, ଠିକା ନିଯୁକ୍ତିରେ ସଂରକ୍ଷଣ ଆଇନ ଲାଗୁ କରାଯାଉ, ଓଡିଶା ଭୂସଂସ୍କାର ଆଇନ ଅନୁସାରେ ଅଣ ଆଦିବାସୀମାନଙ୍କ ଅକ୍ତିଆରରେ ଥିବା ଆଦିବାସୀ ଜମି ଫେରସ୍ତ କରାଯାଉ, ଜଙ୍ଗଳ ଜମି ଅଧିକାର ସ୍ୱିକୃତି ଆଇନ ଅନୁସାରେ ଆଦିବାସୀମାନଙ୍କୁ ଜଙ୍ଗଳ ଜମିର ବ୍ୟକ୍ତିଗତ ଏବଂ ଗୋଷ୍ଠିଗତ ପଟ୍ଟା ପ୍ରଦାନ, ଜଙ୍ଗଳ ଗ୍ରାମକୁ ରାଜସ୍ୱବ ଗ୍ରାମର ମାନ୍ୟତା ପ୍ରଦାନ, ପଶ୍ଚିମ ଓଡିଶା ତଥା କେବିକେ ଅଂଚଳର ପ୍ରାଥମିକ ସ୍କୁଲ ଗୁଡିକୁ ବନ୍ଦ କରିବା ଆଦେଶ ପ୍ରତ୍ୟାହାର କରନ୍ତୁ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଛାତ୍ରବୃତ୍ତିକୁ ହ୍ରାସ କରିଥିବା ପ୍ରତ୍ୟହାର କରି ବଜାର ଦରବୃଦ୍ଧି ଅନୁସାରେ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଉ, ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ ଅନୁସାରେ ଅପରାଧିମାନଙ୍କୁ ଗିରଫ କରି ପିଡିତ ପରିବାରକୁ କ୍ଷତିପୁରଣ ପ୍ରଦାନ କରାଯାଉ । ଆଦିବାସୀମାନଙ୍କ ସ୍ୱତନ୍ତ୍ର ପ୍ରଥା, ପରମ୍ପରା, ସଂସ୍କୃତି, ଲୋକଗୀତ, ନୃତ୍ୟ, ବାଦ୍ୟ, ଦେବାଦେବୀ, ପୂଜାପୀଠ ଗୁଡିକର ସୁରକ୍ଷା ଓ ସଂରକ୍ଷଣ, ମିର୍ଦ୍ଧା ଆଦିବାସୀମାନଙ୍କୁ ଜାତି ପ୍ରମାଣପତ୍ର ପ୍ରଦାନ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭାଗରେ ଆଦିବାସୀମାନଙ୍କ ପାଇଁ ଖାଲି ପଡିଥିବା ପଦବୀ ସ୍ୱତନ୍ତ୍ର ନିଯୁକ୍ତି ଯୋଜନାରେ ଚାକିରି ପ୍ରଦାନ ପ୍ରଭୃତି ୨୫ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।
ଆନ୍ଦୋଳନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ବ୍ରଜ କିଶୋର ସିଂଭୋଇ, ମୁଖ୍ୟ ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ବ୍ଲବ ସଭାପତି ବଳଦେବ ଭୋଇ, କାହ୍ନୁ ଚରଣ ପ୍ରଧାନ, ନିମାଇଁ ଝାଙ୍କର, ଅଷ୍ଟରତ୍ନ ବରିହା, ବସନ୍ତ ମାଝି, ବିପ୍ର ବିଶି, ସରତ ଚନ୍ଦ୍ର ସିଂଭୋଇ, ସନ୍ତୋଷ ପୁଟା, ରାଜିବ କୁଅଁର, ବନଲତା ମାଝି, କାହ୍ନୁ ଜାନୀ, ଆଦିବାସୀ ନେତା ଶ୍ୟାମ ସୁନ୍ଦର ଭୋଇ, ଗିରିଧାରି ଭୋଇ, ସାରଥି ବାଗ, ପତରଙ୍ଗି ମାଝି, ଅଚ୍ୟୁତ ଧରୁଆ, ହରିବନ୍ଧୁ ଧରୁଆ, ମନବୋଧ ବରିହା, ନିତ୍ୟାନନ୍ଦ ମାଝି ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଅପରାହ୍ନ ଘ.୪.୩୦ମି. ପର୍ଯ୍ୟନ୍ତ ଆଦିବାସୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ଆଦିବାସୀ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ସଂଘ ଦ୍ୱାରା ପ୍ରଦତ୍ତ ସ୍ମାରକପତ୍ର ଗ୍ରହଣ କରି ଜିଲ୍ଲାର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶ୍ରୀ ରାଣା ପ୍ରତିଶୃତି ଦେବା ପରେ ଆଦିବାସୀମାନେ ଆନ୍ଦୋଳନରୁ ଓହରିଯାଇଥିଲେ ।