-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
12-Jul-2022
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ରାଜ୍ୟ ସରକାର ବନାମ ଗଣଶିକ୍ଷା ବିଭାଗର ସ୍କୁଲ୍ ଭିତରକୁ ସାମ୍ବାଦିକଙ୍କ ପ୍ରବେଶ ନିଷେଧ କଟକଣା ପରେ ବିଶେଷତଃ ବଲାଙ୍ଗୀର ଜିଲ୍ଲାର ଆବାସିକ ବିଦ୍ୟାଳୟଗୁଡିକ ସମେତ ମଧ୍ୟାହ୍ନଭୋଜନ ଚାଲିଥିବା ସ୍କୁଲ୍ ର ମେସ୍ ଦାୟିତ୍ୱରେ ରହିଥିବା ଶିକ୍ଷକ/ଶିକ୍ଷୟିତ୍ରୀ ଓ ଏସଏଚ ଜି ଗୁଡିକୁ ବାଇଆପାଳକ ପଡିଯାଇଛି । ଅର୍ଥାତ୍ ଆଉ ସେମାନଙ୍କ ଦୁର୍ନୀତିକୁ ଦେଖିବାକୁ/କହିବାକୁ କେହି ନାହିଁ । ପ୍ରାଥମିକ ସ୍କୁଲ୍, ହଷ୍ଟେଲ ଥିବା ଆଦିବାସୀ ବିଭାଗର ସେବାଶ୍ରମ ବା ଆଶ୍ରମ ସ୍କୁଲ୍, କେଜିବିଭି ବା କସ୍ତୁରବା' ଗାନ୍ଧୀ ବାଳିକା ବିଦ୍ୟାଳୟ, ଦାଦନଶ୍ରମିକଙ୍କ ପିଲାଏ ରହି ପଢୁଥିବା ଋତୁକାଳୀନ ବିଦ୍ୟାଳୟ , ଓଡିଶା ଆଦର୍ଶ ବିଦ୍ୟାଳୟ ବା ଅନ୍ୟାନ୍ୟ ଏଭଳି ରନ୍ଧାଖାଦ୍ୟର ବ୍ୟବସ୍ଥା ରହିଥିବା ସ୍କୁଲ୍ ଗୁଡିକ ବେଫିକର ହୋଇଗଲେ । କଦବା କ୍ବଚିତ୍ ଆସି ଘେରାଏ ବୁଲିବାଲି ଯାଉଥିବା କ୍ୟାମେରାବାଲା ସାମ୍ବାଦିକଙ୍କୁ ଯାହା ଟିକେଅଧେ ଧକ୍ ଥିଲା , ନହେଲେ ତାଙ୍କ ବିଭାଗୀୟ ଅଧିକାରୀମାନେ ତ ନିୟମିତ ବଟିବନ୍ଧା ବୋଲି କୁହାଯାଉଛି ।
ଏହାଛଡା ପିଲାଙ୍କ ପୋଷାକପତ୍ର, ଅନ୍ୟାନ୍ୟ ସରକାରୀ ସହାୟତା ଓ ନିର୍ମାଣ ବ୍ୟତୀତ ନକଲି ଶିକ୍ଷକ/ଶିକ୍ଷୟିତ୍ରୀ ବା ଶିକ୍ଷକଙ୍କ ଉପସ୍ଥିତି/ଅନୁପସ୍ଥିତି ଯାଞ୍ଚ୍ କରିବାକୁ କେହି ନାହାଁନ୍ତି l ସେହିପରି କେଉଁ କେଉଁଠି ଅଭାବନୀୟ ବ୍ୟଭିଚାରର ଅଭିଯୋଗ ବି ଚପାଇଦେବାକୁ ସୁବର୍ଣ୍ଣସୁଯୋଗ ମିଳିଗଲା !
ସରକାରଙ୍କ ଏହି କଟକଣା ପ୍ରଣୟନ ହେବାରୁ ଲୋକେ ପଚାରୁଛନ୍ତି, ତା'ହେଲେ ସ୍କୁଲ୍ ରେ କ'ଣ କ'ଣ ଚାଲୁଥିଲା ଯେ ସରକାର ଡରିଗଲେ ?
ଲୋକଙ୍କର ଏପରି ଜିଜ୍ଞାସାର ଉତ୍ତର କିଏ ଦେବ ?
ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲାର ଉପରୋକ୍ତ ବିଭିନ୍ନ ବିଭାଗର ସ୍କୁଲ୍ ଗୁଡିକ ସମ୍ପର୍କରେ ସାମ୍ବାଦିକମାନେ ସେମାନଙ୍କ ତୃତୀୟନୟନ ଖୋଲି ଦୃଷ୍ଟିଦେବାର ଆବଶ୍ୟକତା ରହିଛି କି ? ଦେଖାଯାଉ , ଆଗକୁ କେଉଁଠି କିଭଳି କେଳେଙ୍କାରୀର ପର୍ଦ୍ଦାଫାଶ୍ କରିପାରୁଛନ୍ତି ସେମାନେ ?