-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
04-May-2022
ବଲାଙ୍ଗୀର, ଆଜି ବଲାଙ୍ଗିର ନାଗରିକ କମିଟୀର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୌରପାଳିକାର ସମ୍ମିଳନୀ କକ୍ଷ ଠାରେ ସହରର ବିଭିନ୍ନ ସମସ୍ୟା ମୁଖ୍ୟତଃ ଜଳାଶୟର ପୁନଃରୁଦ୍ଧାର ଓ ନାଳନର୍ଦ୍ଦମାର ସଫେଇ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ସହରରେ ଥିବା ୧୬ଟି ଜଳାଶୟ ମଧ୍ୟରୁ ରାଣୀ ସାଗର ପାଇଁ ୨୦କୋଟୀ ଟଙ୍କା ତଥା ରାଣୀବନ୍ଧ ଓ କରଙ୍ଗାକଟା ଜଳାଶୟ ପାଇଁ ପ୍ରାୟ ଦେଢ଼ କୋଟୀ ଟଙ୍କା ଲେଖାଏଁ ମଂଜୁର ହୋଇ ଆସିଥିବା ବେଳେ ବର୍ତମାନ ଏହାର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ନିର୍ମାଣ ହେବ ବୋଲି ପ୍ରକାଶ କରିଥିଲେ । କିନ୍ତୁ ନାଗରିକ କମିଟୀ ତରଫରୁ ଜଳାଶୟରୁ ପଙ୍କୋଦ୍ଧାର କାର୍ଯ୍ୟ ଉପରେ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିବାରୁ ନିର୍ବାହୀ ଅଧିକାରୀ ଏହାକୁ ଅସମର୍ଥ ପ୍ରକାଶ କରିଥିଲେ । ପଙ୍କୋଦ୍ଧାର କାର୍ଯ୍ୟ ବିନା ସୌନ୍ଦର୍ଯ୍ୟକରଣ ମୂୂଲ୍ୟହୀନ ବୋଲି ନାଗରିକ କମିଟୀ ତରଫରୁ ଉଦ୍ବେଗ ପ୍ରକାଶ ପାଇଥିଲା । ଏହା ପୂର୍ବରୁ
ପଙ୍କୋଦ୍ଧାର କାର୍ଯ୍ୟ କରିବା ପାଇଁ କମିଟୀ ତରଫରୁ ପୌରାଧ୍ୟକ୍ଷାଙ୍କୁ ଏକ ଲିଖିତ ନିବେଦନ ମଧ୍ୟ କରାଯାଇଥିଲା । କିନ୍ତୁ ସମୟ ଅଭାବ ଓ ପୋଖରୀରୁ ଜଳ ନିଷ୍କାସନ ରେ କିଛି ବାଧା ଉପୁଜିବା ସମ୍ଭାବନା ଥିବାରୁ ବର୍ଷା ଋତୁ ପୂର୍ବରୁ ଏହା ଅସମ୍ଭବ ଓ ଆସନ୍ତା ବର୍ଷ ଠାରୁ ଠିକ ସମୟରେ ପଙ୍କୋଦ୍ଧାର କାର୍ଯ୍ୟ କରାଯିବ ବୋଲି କମିଟୀର ସଦସ୍ୟ ମାନଙ୍କୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ନିର୍ଭର ପ୍ରତିଶୃତି ଦେଇଥିଲେ । ସେହିପରି ମେ ମାସ ମଧ୍ୟରେ ପ୍ରାୟ ସମସ୍ତ ନାଳ ନର୍ଦ୍ଦମାର ସଫେଇ କାର୍ଯ୍ୟ ଯୁଦ୍ଧାକାଳୀନ ଭିତ୍ତିରେ କାର୍ଯ୍ୟ କରାଯିବ ବୋଲି ନିର୍ବାହୀ ଅଧିକାରୀ ବିପୀନ ବିହାରୀ ଦୀପ ପ୍ରକାଶ କରିଥିଲେ । ସହରରେ ବର୍ତ୍ତମାନ ୩ଟି ଶୌଚାଳୟ ଓ ୫ଟି ପରିଶ୍ରାଗାର ନୂତନ ରୂପେ କାର୍ଯ୍ୟ କରୁଥିବା ବେଳେ ଆହୁରି ୧ଠଟି ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି ବୋଲି ସୂଚନା ଦେଇଥିଲେ । କମିଟୀର ସାଧାରଣ ସଂପାଦକ ମନୋରଂଜନ ସାହୁଙ୍କ ନେତୃତ୍ୱ ଓ ଶ୍ରୀମତୀ ପଙ୍କଜିନୀ ପଣ୍ଡାଙ୍କ ଆବାହକତ୍ୱରେ ସହସଂପାଦକ ଡା. ଚକ୍ରପାଣି ଦାଶ, ସଭ୍ୟ ଗୋପଭୂଷଣ ନାଥ, ମନୋରଂଜନ ପୁରୋହିତ, ନରେଶ ଦାଶ ଓ ରବିଶଙ୍କର ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସହରର ସର୍ବାଙ୍ଗୀନ ଉନ୍ନତି ଦିଗରେ ନାଗରିକ କମିଟୀର ସହଯୋଗ କାମନା କରିଥିଲେ । ସାଧାରଣ ସଂପାଦକ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।