-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
04-May-2022
ବଲାଙ୍ଗୀର!/ବେଲପଡ଼ା:(ମଳୟ ମିଶ୍ରଙ୍କ ରିପୋର୍ଟ): ବଲାଙ୍ଗୀର ଜିଲ୍ଲାର ଦାଦନଶ୍ରମିକ ରାଜ୍ୟ ବାହାରକୁ ଯାଇ ନିର୍ଯ୍ୟାତିତ ହୋଇ ଅକାଳ ମୃତ୍ୟୁମୁଖରେ ପଡିବା ଘଟଣା ଅବ୍ୟାହତ ରହିଛି । ଏପରି ଏକ ମର୍ମନ୍ତୁଦ ଘଟଣା ଘଟିଥିବା ସହ ଗଣମାଧ୍ୟମରେ ଲୋଚନକୁ ଆସିଥିଲେ ହେଁ ବେଲପଡା ପୁଲିସ୍, ବଲାଙ୍ଗୀର ଶ୍ରମବିଭାଗ ବା ବଲାଙ୍ଗୀର ଜିଲ୍ଲାପ୍ରଶାସନ ନୀରବ ରହିଛି । ଦୁଇଦିନ ତଳେ ଜିଲ୍ଲା ଶ୍ରମ ଉପାୟୁକ୍ତଙ୍କ କାର୍ଯ୍ୟାଳୟରେ ଶ୍ରମିକ ଦିବସ ପାଳନ କରିଥିବା ଜିଲ୍ଲା ପ୍ରଶାସନର ଏ ସମ୍ପର୍କରେ ଖବର ସୁଦ୍ଧା ନାହିଁ ।
ପ୍ରାପ୍ତ ସୂଚନାନୁସାରେ , ଗତ ସୋମବାର ଦିନ ତେଲେଙ୍ଗାନାର ଉଆର୍ଙ୍ଗେଲ୍ ଅଞ୍ଚଳର ଏକ ଇଟାଭାଟିରେ ଓଡିଶାର ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଯୁବା ପଞ୍ଚାୟତର ଯୁବା ଗ୍ରାମର ନକୁଳ ଧରୁଆ ନାମକ ଜଣେ ଦାଦନଶ୍ରମିକଙ୍କ ମୃତ୍ୟୁ ଘଟିଛି । ସେ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ ସହ ଖଲିପଥରର ମହିନ୍ଦ୍ର ସୁନା ନାମକ ଦାଦନ ସର୍ଦ୍ଦାରଠାରୁ ୧ .୬ ଲକ୍ଷ ଟଙ୍କା ଅଗ୍ରୀମ ନେଇ ଇଟା ଗଢିବାକୁ ଯାଇଥିଲେ ।
ତାଙ୍କ ପୁଅ ଜଗତ ସୁନା କହିବାନୁଯାୟୀ, ଇଟାଭାଟି ମାଲିକ ସେମାନଙ୍କୁ ଟାଣଖରାରେ କାମ କରିବାକୁ ବାଧ୍ୟ କରିବା ସହ ନିର୍ଯାତନା ଦେଉଥିଲା । ଗତ ସୋମବାର ଦିନ ନକୁଳ ଟାଣଖରାରେ କାମ କରୁଥିବାବେଳେ ଅଚେତ ହୋଇପଡ଼ିଲେ । ପରିବାର ଲୋକେ ମାଲିକକୁ ଜଣାଇଥିଲେ ହେଁ, ସେ ଶୁଣି ନଥିଲେ । ପରିବାର ପକ୍ଷରୁ ତାଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ସର୍ଦ୍ଦାର ସେମାନଙ୍କୁ ଏକ ଆମ୍ବୁଲାନ୍ସରେ ଘରକୁ ପଠେଇଦେଇଥିଲା । ଏହା କାହାକୁ ନ କହିବାକୁ ସର୍ଦ୍ଦାର ତାଙ୍କ ପରିବାର ଉପରେ ଚାପ ପକାଉଥିବା ପ୍ରକାଶ ।
ତେବେ ଏଠାରେ କଥା ଉଠିଛି, ବଲାଙ୍ଗୀର ଜିଲ୍ଲାରେ ଦାଦନ ଚାଲାଣ ନ ହେବାକୁ ଜାତୀୟ ଶ୍ରମଭିତ୍ତିକ ଯୋଜନା ମନରେଗା ଚାଲିଥିବା ବେଳେ ଏଠାରୁ ରାଜ୍ୟ ବାହାରକୁ କାମଧନ୍ଦା ଅନ୍ବେଷଣରେ ଶ୍ରମିକମାନେ ସପରିବାର ଯାଉଛନ୍ତି କିପରି ? ଏହାର ଦାୟିତ୍ୱରେ ଥିବା ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାଧିକାରୀମାନେ କରୁଛନ୍ତି କ'ଣ ? ଶ୍ରମବିଭାଗ ଅବଗତ ରହିଛି କି ଏହି ମୃତ ଦାଦନ ଶ୍ରମିକଙ୍କ ପରିବାରକୁ କେଉଁ ସର୍ଦ୍ଦାର କିପରିଭାବେ ରାଜ୍ୟ ବାହାରକୁ କେବେ ପଠେଇଥିଲା ? ଉକ୍ତ ସର୍ଦ୍ଦାରର ଶ୍ରମିକଚାଲାଣର ଲାଇସେନ୍ସ ଅଛି କି ? ଏହି ମୃତ ଦାଦନଶ୍ରମିକଙ୍କୁ ପଠାଇଲାବେଳେ ବିଧିବଦ୍ଧ ଭାବରେ ତାଙ୍କର ଜୀବନବୀମା, କାମକରିବାର ଚୁକ୍ତିନାମା, ସ୍ଥାନୀୟ ଥାନାପୁଲିସ୍ ର ମୁଭମେଣ୍ଟ ଅର୍ଡର ଆଦି ଥିଲା କି ? ସର୍ବୋପରି ତାଙ୍କର ମୃତ୍ୟୁ ପାଇଁ କିଏ ଦାୟୀ ହେବ ? ସରକାରଙ୍କ ପକ୍ଷରୁ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡବିଧାନ ସହ ଏହି ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କ ଅକାଳ ବିୟୋଗରେ ଅନାଥ ପରିବାରଟିକୁ କ୍ଷତିପୂରଣ ଦେବାଦିଗରେ ସ୍ଥାନୀୟ ସରପଞ୍ଚ, ଡିଡିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ, ବିଧାୟକ, ସାଂସଦ ଦୃଷ୍ଟି ଦେବେ କି ? ଆହୁରି ମଧ୍ୟ ସୁଲେକେଲା ପଞ୍ଚାୟତର ଆଉ ଜଣେ ଦାଦନ ଶ୍ରମିକଙ୍କର ମୃତଦେହ ଆନ୍ଧ୍ରରୁ ଫେରିଥିବା ଖବର ମିଳିଛି ।