-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
11-Apr-2022
ଲୋଇସିଂହା/ଆଗଲପୁର (ବିନୋଦ ଦୀପ ) ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଓ ଆଗଲପୁର ବ୍ଳକର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ରେ ସହକାରୀ ସମ୍ପାଦକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗର ଦୀର୍ଘଦିନ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଲୋଇସିଂହା ବ୍ଲକର ସରଗାଡ଼ ଓ କୁଶମେଲ ପେକ୍ସ ଦାୟିତ୍ୱରେ ଥିବା ଅନଭିଜ୍ଞ ସହକାରୀ ସମ୍ପାଦକଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯିବା ସହିତ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଶାସକ ସ୍ତରରେ ବ୍ୟାପକ ଅର୍ଥ କାରବାର ହୋଇଥିବା ଅଭିଯୋଗ ହେଉଛି। ସେହିପରି ଯୋଗୀସର୍ଡ।, ଲୋଇସିଂହା ଓ ବୁର୍ଡ। ଏବଂ ଆଗଲପୁର ବ୍ଲକର ଭରସୁଜା, ବୁଦୁଲା ଓ ଆଗଲପୁର ପେକ୍ସରେ ସହକାରୀ ସମ୍ପାଦକ ଏବଂ ଅସ୍ଥାୟୀ ପିଅନ ନିଯୁକ୍ତି ନେଇ ବ୍ୟାପକ ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଲୋଇସିଂହା ଓ ଆଗଲପୁର ବ୍ଲକର ଅଧିକାଂଶ ପେକ୍ସରେ ପୂର୍ବରୁ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇ ଏରିଅର କରାଯିବା ଆଳରେ ସେମାନଙ୍କ ଠାରୁ ଟଙ୍କା ଅସୁଲି କରାଯାଇଥିବା ନେଇ କିଛି ପେକ୍ସ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ନିଜ ଦୁଃଖ କଥା ବଖାଣିଛନ୍ତି। ଏହା ସମବାୟ ବିଭାଗରେ ଚାଲିଥିବା ବଡ଼ ଧରଣର ଦୁର୍ନୀତିକୁ ଇଙ୍ଗିତ କରୁଛି । ଏ ନେଇ ସୂଚନା ଅଧିକାର ଅଧିନିୟମ ଅନୁଯାୟୀ ସୂଚନା ପାଇବା ପାଇଁ ଆବେଦନ କରାଯାଇଥିଲେ ହେଁ ଆବେଦନ କାରୀଙ୍କୁ ତାହା ଅଦ୍ୟାବଧି ମିଳିପାରି ନାହିଁ । ଅପରପକ୍ଷରେ ଆଉ ମାତ୍ର ଦୁଇମାସ ପରେ ସମବାୟ ସମିତି ପରିଚଳନା କମିଟିର ନିର୍ବାଚନ ହେବାକୁ ଯାଉଥିବା ବେଳେ ନିଯୁକ୍ତି ଦୁର୍ନୀତିକୁ ଚପେଇ ଦେବାକୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ବିଶେଷ କରି ଲୋଇସିଂହା ବ୍ଲକର ଯୋଗୀସର୍ଡ।, ବୁର୍ଡ।, କୁଶମେଲ, କନ୍ଦାଜୁରୀ, ସରଗାଡ଼, ଲୋଇସିଂହା ଏବଂ ଆଗଲପୁର ବ୍ଲକର ଭରସୁଜା, ବୁଦୁଲା ଓ ଆଗଲପୁର ପ୍ରାଥମିକ କୃଷି ସମବାୟ ସମିତିରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତିରେ ହୋଇଥିବା ଦୁର୍ନୀତିର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।