-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
08-Apr-2022
ବଲାଙ୍ଗିର(ପ୍ରେରଣା ଖବର)-ବାଲେଶ୍ୱର ଜିଲ୍ଲା ନୀଲଗିରୀର କନକନ୍ୟୁଜ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ସେଠିକାର ପୋଲିସ ମିଥ୍ୟାମାମଲାରେ ଫସାଇ ନିର୍ଯ୍ୟାତନା ଦେବା ସହିତ ହସପିଟାଲରେ ତାଙ୍କ ଗୋଡରେ ବେଡିପକାଇ ରଖାଯିବା ଘଟଣାକୁ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ସାମ୍ବାଦିକମାନେ କଳାବ୍ୟାଚପିନ୍ଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ଆଜି ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକଙ୍କ ତରଫରୁ ଏକ ଜରୁରୀ ବୈଠକ କରାଯାଇ ନୀଲଗିରୀ ଘଟଣାକୁ ତୀବ୍ରନିନ୍ଦା କରାଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ଉପସଭାପତି ଆନନ୍ଦଚନ୍ଦ୍ର ସାହୁଙ୍କ ସଭାପତିତ୍ୱ ଓ ସଂପାଦକ ବଳରାମ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଦୀପକ ପୁରୋହିତ,ଗୋପବନ୍ଧୁ ଶତପଥି,ବିଶ୍ୱଜିତ ଦାସ,ବିଭୁକଲ୍ୟାଣ ଗଡତ୍ୟା,ଚିତ୍ତରଂଜନ ,ଘଟେଶ୍ୱର ମିଶ୍ର,ଜ୍ୟୋତ୍ସ୍ନାରାଣି ଦାସ ପ୍ରମୁଖ ପୋଲିସର ବର୍ବରୋଚିତ କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କରିଥିଲେ । ପରେ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମ୍ମିଳିତ ହୋଇ ପୋଲିସର ଅମାନବୀୟ କାର୍ଯ୍ୟକଳାପ ବିରୁଦ୍ଧରେ ନାରାବାଜୀ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ୩ଦଫ ଦାବିର ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଜରିଆରେ ପ୍ରେରଣ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଗୁରେଶ୍ୱର ଭୋଇ ପ୍ରଶାସନ ତରଫରୁ ଏହି ଦାବିପତ୍ରକୁ ଗ୍ରହଣ କରିଥିଲେ । ଦାବିଗୁଡିକରେ ସାମ୍ବାଦିକ ଲୋକନାଥ ଦଳେଇଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଓ ମାମଲାର ନୀରପେକ୍ଷ ତଦନ୍ତ କରାଯିବା,ସାମ୍ବାଦିକଙ୍କ ଗୋଡରେ ବେଡିପକାଇବାକୁ ନିର୍ଦ୍ଦେଶ କରିଥିବା ଆଇଆଇସିଙ୍କ ବିରୁଦ୍ଧରେ ମାମଲା ରୁଜୁ ସହିତ କାର୍ଯ୍ୟାନୁଷ୍ଠାନ ନେବା ଓ ବାଲେଶ୍ୱର ଜିଲ୍ଲାରେ ବ୍ରାଉନସୁଗାର ନିଶାବେପାରୀଙ୍କ ସହିତ ବାଲେଶ୍ୱର ଏସପି ଓ ନୀଲଗିରୀ ଆଇଂଆଇସି ସଂପର୍କଥିବା ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି । ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ପୋଲିସର ଆକ୍ରୋସମୂଳକ କାର୍ଯ୍ୟାନୁଷ୍ଠାନକୁ ସଂଘ ତୀବ୍ର ନିନ୍ଦା କରିଛି । ଅନ୍ୟମାନଙ୍କ ମଧ୍ୟରେ ଶିଶିରକାନ୍ତ ଶତେପଥି,ସଂନ୍ଦୀପ କୁଅଁର,ଚନ୍ଦ୍ରଭାନୁ ମୋଲାନା,ପ୍ରଦୀପ୍ତ ମିଶ୍ର,ନବୀନ ପଶାୟତ,ଦେବାଶିଷ ମିଶ୍ର,ବୀରେନ୍ଦ୍ର ଝାଙ୍କର,ଶରତ ମିଶ୍ର,ସଚିକାନ୍ତ ବଗର୍ତ୍ତି,ସୁବ୍ରତ ନାଏକ,ଟୁକୁ ପଧାନ, ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ସାମ୍ବାଦିକ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଠିକ ସେହିପରି ଟିଟିଲାଗଡ,କଣ୍ଟାବାଞ୍ଜି,ପାଟଣାଗଡରେ ମଧ୍ୟ ନୀଲଗିରି ଘଟଣାକୁ ନିନ୍ଦା କରାଯାଇ ସାମ୍ବାଦିକମାନେ କଳାବ୍ୟାଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।