-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
01-Apr-2022
ନର୍ଲା (ସଞ୍ଜିବ ଦାସ) କଳାହାଣ୍ଡି ଜିଲ୍ଲାର ପ୍ରକୃତିର ଅନବଦ୍ୟ ସୃଷ୍ଟି ଜାଞ୍ଜେରପଟ୍ଟା ଚଞ୍ଚରା। ଏହି ଜିଲ୍ଲାର ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ସାନ୍ଦୁଲ ନଦୀ କୂଳରେ ଏକ ବିରାଟ ପଥର ଚଟାଣ ହିଁ ଜାଞ୍ଜେରପଟ୍ଟା। ସ୍ଥାନୀୟ ଲୋକଙ୍କ ମୁଖରେ ନାମିତ ଏହି ସୁବିସ୍ତୃତ ଜାଞ୍ଜେରପଟ୍ଟା ପ୍ରସ୍ତର ଚଟାଣର ପୂର୍ବ ଭାଗରେ ଏକ ଗୁମ୍ଫା ଦେଖାଯାଏ। ଯାହା ପୁଣି ବାବା ମଠ ନାମରେ ପରିଚିତ। ଅତୀତରେ ଜଣେ ସନ୍ୟାସୀ ବାବା ମଠ ଗୁମ୍ଫାରେ କିଛି ବର୍ଷ ରହିବା ପରେ ଅନ୍ୟତ୍ର ପ୍ରସ୍ଥାନ କରିଥିଲେ। ଏହି ପଥର ଚଟାଣ ଓ ଗୁମ୍ଫା ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଏହାର କାରଣ ଏହି ଗୁମ୍ଫା ସ୍ଥାନକୁ କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଳକ ମଧୁପୁର ଗ୍ରାମର ସାଧୁବ୍ୟକ୍ତି ଜୟଲାଲ ମାଝୀ ଆସି ବାବାମଠଗୁମ୍ଫାରେ ଅବସ୍ଥାନ କରିଛନ୍ତି। ଜୟଲାଲ ବାବାଙ୍କ କହିବା ଅନୁଯାୟୀ ତାଙ୍କର ବନ୍ଧୁ ନର୍ଲା ବ୍ଳକ ବାଗପୁର ଗ୍ରାମର ସ୍ଵର୍ଗତ ଥବିର ମାଝୀଙ୍କ ପୂର୍ବପୁରୁଷ ସ୍ଵର୍ଗତ କବି ଦଇତାରୀ ମାଝୀଙ୍କ ରଚିତ ତାଳପତ୍ର ପୋଥୀରେ ଏହି ସ୍ଥାନର ମହିମା ବର୍ଣ୍ଣିତ ତଥ୍ୟ ରହିଛି। ସ୍ଵର୍ଗତ ଥବିର ମାଝୀଙ୍କ ବାଣୀ ଅନୁସାରେ ଏହି ପଥର ଚଟାଣ ତଳେ ୧୮ ଗୋଟି ଗୁମ୍ଫା, ଗୋଟିଏ ଗୁମ୍ଫାରେ ଶିବଲିଙ୍ଗ ଓ ଏକ ପାଣି କୁଣ୍ଡ ରହିଥିବା ବିଶ୍ୱାସ ରହିଛି। ଏହାର ଅନ୍ୱେଷଣ ପାଇଁ ଆଗଭର ଜୟବାବା ସ୍ଥାନୀୟ ଭୀମକେଲା, ଅସୁରଗଡ, କେରାଣ୍ଡିଖୁଣ୍ଟି, ଢେକୁନପଡା
ଓ ପଲସାପଡା ଗ୍ରାମର କିଛି ଯୁବକ ମାନଙ୍କୁ ନେଇ ବାବା ମଠ ଉପରି ଭାଗର ଏକ ସ୍ଥାନରେ ଖନନ କରି ଉତ୍ତର ଓ ପଶ୍ଚିମ ଦିଗକୁ ଲମ୍ବିଥିବା ୨୦ ହାତ ବିଶିଷ୍ଟ ଏକ ନୂତନ ଗୁମ୍ଫାକୁ ଆବିଷ୍କାର କରିବାରେ ସକ୍ଷମ ହୋଇଛନ୍ତି। ଏହି ଗୁମ୍ଫା ଦର୍ଶନ ପାଇଁ ପ୍ରତ୍ୟେକ ଦିନ ଲୋକଙ୍କ ସମାଗମ ହେଉଛି। ଦୁଃସାହସିକ ଜୟଲାଲ ବାବାଙ୍କ ଉଦ୍ୟମରେ ଏକ ଅନାଲୋଚିତ ଗୁପ୍ତ ଗୁମ୍ଫାର ଆବିଷ୍କାର ଫଳରେ ଏଠାରେ ଏକ ମଠ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଅଛନ୍ତି ବାବା ଜୟଲାଲ। ତେବେ ଏଠାରେ ସୂଚନାଯୋଗ୍ୟ ନିକଟରେ ଥିବା ଭୀମକେଲା ଗ୍ରାମର ପୁରାତନ ପଥର ଖୋଦେଇ ବିଷ୍ଣୁ ପ୍ରତିମା ଅତୀତ ଗୁପ୍ତ ଓ ମୈ।ର୍ଯ୍ୟ କାଳୀନ ଇତିହାସ କହେ। ଏହାର ଦକ୍ଷିଣ ଦିଗରେ ଅବସ୍ଥିତ ଐତିହାସିକ ଅସୁରଗଡ ଦୁର୍ଗ ଭାରତବର୍ଷର ଗୈ।ରବମୟ ସଭ୍ୟତା ଓ ସଂସ୍କୃତିର ଗାଥା ବହନ କରେ। ତେବେ ଏହି ସ୍ଥାନଟିର ଅଧିକ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସହ ଅଧିକ ଖନନର ଆବଶ୍ୟକତା ସରକାରୀ ସ୍ତରରେ ଉଦ୍ୟମ କରାଯିବାକୁ ବାବା ଜୟଲାଲ ଓ ଅଞ୍ଚଳ ବାସୀ ଦାବି କରିଛନ୍ତି।