-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
14-Feb-2022
ବଲାଙ୍ଗୀର:( ମଳୟ ମିଶ୍ରଙ୍କ ରିପୋର୍ଟ ) ଆସନ୍ତା ବୁଧବାର ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ବଲାଙ୍ଗୀର ଜିଲ୍ଲାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟଦାନ । ପ୍ରଥମଦିନ ପାଟଣାଗଡ , ବେଲପଡା ଓ ଖପ୍ରାଖୋଲରେ ଭୋଟଗ୍ରହଣ କରାଯିବ । ଏଥିପାଇଁ ପ୍ରଶାସନର ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ସଦରମହକୁମା ସହିତ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଏବଂ ଦାଦନ ପ୍ରଭାବିତ ଖପ୍ରାଖୋଲ ଓ ବେଲପଡା ଦୁଇଟି ବ୍ଲକ୍ ର ଏହି ନିର୍ବାଚନ ପ୍ରଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ଏଠାରେ ଦୁଇଟି ମୁଖ୍ୟ ପ୍ରସଙ୍ଗ ହେଲା , ଏହି ତିନୋଟି ବ୍ଲକ୍ ରୁ ଅଧିକାଂଶ ଗ୍ରାମାଞ୍ଚଳର ଭୋଟର ବାହାରକୁ ଦାଦନଶ୍ରମିକ ଭାବରେ ପଳାଇଛନ୍ତି ଓ ସେମାନଙ୍କର ଭୋଟଦାନ ଅଧିକାର କ୍ଷୁର୍ଣ୍ଣ ହୋଇଛି । ସେହିପରି କେତେକ ଦାଦନସର୍ଦ୍ଦାର ଚଳିତ ନିର୍ବାଚନରେ ସଭ୍ୟ , ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ଇତି ମଧ୍ୟରେ କେତେକ ପ୍ରାର୍ଥୀ ପ୍ରତିଦ୍ବନ୍ଦିତାରୁ ଓହରି ଯାଇଛନ୍ତି । ସେମାନେ କାହିଁକି ଓ କିପରି ପ୍ରଥମେ ପ୍ରାର୍ଥୀ ହୋଇଥିଲେ ବା କାହିଁକି ଓହରିଗଲେ , ଏକଥା ଅନ୍ତତଃ ଅଞ୍ଚଳର ଭୋଟରମାନେ ଜାଣନ୍ତି । ଏହା ସହିତ ନିର୍ଦ୍ବନ୍ଦରେ ଜିତିଥିବା ପ୍ରାର୍ଥୀଙ୍କର ଅସଲ ଉଦ୍ଦେଶ୍ୟ ମଧ୍ୟ ସେମାନଙ୍କୁ ଭଲଭାବରେ ଜଣା । ତେଣୁ କ୍ଷମତା ଅକ୍ତିଆର କରିଥିବା ବା କରିବାକୁ ଯାଉଥିବା ପ୍ରାର୍ଥୀ ବା ପ୍ରତିନିଧିମାନଙ୍କଠାରୁ ଏହି ଅଞ୍ଚଳର ଭୋଟରମାନେ ଯେ ସଚେତନ ନୁହଁନ୍ତି , ଏହା ଭାବିବା ଠିକ୍ ନୁହେଁ । ପଚାରିଲେ ସେମାନେ କହନ୍ତି ଯେ ' ଯେତେ ଭୁ ର୍ ତା ଲେ ନାଇଁ ଭୁଲୁଁ , ଗୋ ବୁଆ ! ' ବୋଲି କହିଛନ୍ତି । ଏଣୁ ସବୁବେଳେ ଟଙ୍କାପଇସା , ମଦମାଂସ , ଶାଢୀ ପାଉଡର , ଗୁଡାଖୁ , ସାବୁନ , ମାଛ , ଗୋଟା କୁକୁଡା ଉପହାର ଯେ ଭୋଟକିଣାରେ କାମ ଦେବ , ଏମିତି ନୁହେଁ । ସବୁକୁ ହଜମ କରିଦେଇ ବି ଭୋଟରମାନେ ସେମାନଙ୍କର ଗୁପ୍ତଭୋଟ ଯାହାକୁ ଦେବାକଥା ଦେବେ ।
ସଭ୍ୟ , ସମିତିସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ରାଜନୈତିକ ଦଳୀୟ ସମର୍ଥନର ଆବଶ୍ୟକତା ନାହିଁ । ଏକଥା ଭୋଟରମାନେ ବି ଜାଣିଛନ୍ତି । ଦଳୀୟ ସମର୍ଥନରେ ଉଠିଥିବା ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀଙ୍କ ମୁହଁ ପ୍ରତି ଭୋଟରଙ୍କର ସେତେଟା ଆକର୍ଷଣ ନାହିଁ । କେବଳ ଏକାଠି ଭୋଟ ହେଉଥିବାରୁ ଗୋଟେ ଭୋଟ ଦେବାକଥା । ତେଣୁ ଏହି ପ୍ରାର୍ଥୀମାନେ ଦଳୀୟ ଚିହ୍ନ ବା ସମର୍ଥନ ପାଇଁ ଜିତିପାରନ୍ତି । ତେବେ ବଲାଙ୍ଗୀରଜିଲ୍ଲାରେ ତିନୋଟି ପ୍ରମୁଖ ଦଳ ବିଜଦ , ଭାଜପା ଓ କଂଗ୍ରେସର ସବୁଠି ସମାନ ରାଜନୈତିକ ନେତୃତ୍ବ ବା ବିଧାୟକ ଓ ସାଂସଦଙ୍କ ପ୍ରତି ଆସ୍ଥା ରହିନାଇଁ । ତଥାପି ପ୍ରଥମଦିନର ଭୋଟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା ରହିଛି । ଏଥିରେ ତିନିଦଳ ତ ନେତାମାନଙ୍କର ପ୍ରଭାବ ମଧ୍ୟ ରହିଛି । ତେବେ ଶାସକଦଳଗୁଡିକ ଆଗରେ ରହିବେ ବୋଲି ଆଭାସ ମିଳୁଛି । ପାଟଣାଗଡ , ବେଲପଡା ଓ ଖପ୍ରାଖୋଲରେ ବିଜଦ ଓ ଭାଜପା ମଧ୍ୟରେ ଦ୍ବିମୁଖୀ ଲଢେଇ ହେଇପାରେ ।
ଏଥର ଏକ ଉଲ୍ଲେଖନୀୟ କଥା ସାମ୍ନାକୁ ଆସିଛି ଯେ , ଭୋଟରମାନଙ୍କର ପୁରୁଣାମୁହଁ ପ୍ରତି ବିତୃଷ୍ଣା ସହ ନୂତନପ୍ରାର୍ଥୀଙ୍କ ପ୍ରତି ଭିତିରିଆ ଆଗ୍ରହ ପରିଲକ୍ଷିତ ହେଉଛି । ଯେଉଁଠି ଗତଥର ଯେଉଁମାନେ ସରପଞ୍ଚ ହୋଇ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଲିପ୍ତ ରହି ବହୁ ଅନ୍ୟାୟ ଉପାର୍ଜନ କରି ଗାଡିମଟର କୋଠାବାଡି କରି ପୁଣି ଏଥର ସମିତିସଭ୍ଯ ପ୍ରାର୍ଥୀ ହୋଇ ବ୍ଲକ୍ ଅଧ୍ୟକ୍ଷ ବା ଜିଲ୍ଲା ପରିଷଦ ସଦସ୍ୟ ହୋଇ ଆହୁରି ବଡ ପଦକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି , ଭୋଟରମାନେ ସେମାନଙ୍କ ଭ୍ରାତାବଦନକୁ ଠିକ୍ ଭାବେ ଚିହ୍ନି ରଖିଥିବା ଲକ୍ଷ୍ୟ କରାଯାଉଛି ।
ଏହାପରେ ଆଗାମୀ ୧୮ , ୨୦ ,୨୨ ଓ ୨୪ ତାରିଖରେ ଜିଲ୍ଲାର ଅନ୍ୟ ବ୍ଲକ୍ ଅଞ୍ଚଳରେ ଭୋଟଗ୍ରହଣ କରାଯିବ । ତେବେ ପ୍ରାୟ ଜିଲ୍ଲାର ୧୪ଟିଯାକ ବ୍ଲକ୍ ରେ ଏହି ଏକା ସ୍ଥିତି ରହିଛି । ଟିଟିଲାଗଡ ବିଧାନସଭା ମଣ୍ଡଳୀରେ ମନ୍ତ୍ରୀ ଟୁକୁନି ସାହୁ , ଲୋଇସିଂହା ବିଧାନସଭା ମଣ୍ଡଳୀରେ ଭାଜପାର ଜନପ୍ରିୟ ବିଧାୟକ ଡା .ମୁକେଶ ମହାଲିଙ୍ଗ , ବଲାଙ୍ଗୀର ବିଧାନସଭା ମଣ୍ଡଳୀରେ ଟାଣୁଆ ବିଧାୟକ ନରସିଂହ ମିଶ୍ର ବା କଣ୍ଟାବାଞ୍ଜି ବିଧାନସଭା ମଣ୍ଡଳୀରେ ସନ୍ତୋଷ ସିଂ ସାଲୁଜା ପ୍ରମୁଖଙ୍କର ଦଳୀୟ ପ୍ରଭାବ ରହିଥିଲେ ହେଁ , ଜିଲ୍ଲା ପରିଷଦ ନିର୍ବାଚନକୁ ଛାଡି ସଭ୍ୟ , ସମିତିସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ଭାଗ୍ୟ ନିଜ ନିଜର ପତିଆରା , ଲୋକସମ୍ପର୍କ ଓ ଯୋଗ୍ୟତା ଉପରେ ନିର୍ଭରଶୀଳ ।