-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
16-Dec-2021
(ବଲାଙ୍ଗୀର) , ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉତ୍ତର-ପଶ୍ଚିମ ଓ ଉତ୍ତର ଦିଗରୁ ଓଡ଼ିଶାକୁ ପ୍ରବାହିତ ହେବାକୁ ଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ହ୍ରାସ ପାଇବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ ଶୀତ ପ୍ରବାହ ବୃଦ୍ଧି ପାଇବ। ୪ରୁ ୫ ଦିନ ପର୍ଯ୍ୟନ୍ତ ରାତିର ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳେ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଆହୁରି କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କନ୍ଧମାଳ ସମେତ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ। ଅନୁଗୁଳ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅଭ୍ୟନ୍ତରୀଣ ଅଞ୍ଚଳରେ ବି କୁହୁଡ଼ି ପରିମାଣ ଅଧିକ ରହିବ। ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ହେବ ନାହିଁ। ତେବେ ଗତ ୨୪ ଘଣ୍ଟାରେ ଫୁଲବାଣୀ, କୋରାପୁଟ, ମାଲକାନଗିରିରେ ଘନ କୁହୁଡ଼ି ଅନୁଭୂତ ହୋଇଛି। ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ୦.୫ରୁ ୧.୫ ଡିଗ୍ରି ଯାଏ ଖସିଥିବା ବେଳେ ଅଭ୍ୟନ୍ତରୀଣ ଓଡ଼ିଶାରେ ୦.୫ ଡିଗ୍ରିରୁ ଦୁଇ ଡିଗ୍ରି ଯାଏ ତଳକୁ ଖସିଛି। ୮ଟି ସହରର ତାପମାତ୍ରା ୧୩ ଡିଗ୍ରି ତଳେ ରେକର୍ଡ ହୋଇଛି। ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରି ରହିଥିବା ବେଳେ ଫୁଲବାଣୀରେ ୧୦, ଝାରସୁଗୁଡ଼ାରେ ୧୦.୮, କେନ୍ଦୁଝରରେ ୧୧.୨, ଟିଟିଲାଗଡ଼ରେ ୧୧.୩, ସୁନ୍ଦରଗଡ଼ରେ ୧୨, ସୋନପୁରରେ ୧୨.୪ ଓ ଭବାନୀପାଟଣାରେ ୧୨.୯ ଡିଗ୍ରି ଥିଲା।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)