-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ବଲାଙ୍ଗିର, (ପ୍ରେରଣା ଖବର)-ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସ୍ଥିତ ସନ୍ ସାଇନ କଲେଜର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆଜି ପୂର୍ବତନ ଆଇନ ମନ୍ତ୍ରୀ ଏବଂ ପୂର୍ବତନ ଜାତୀୟ ଆଇନ କମିଶନ ସଦସ୍ୟ ବର୍ତ୍ତମାନର ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୃତକ ମମିତା ମେହେରଙ୍କ ଘରକୁ ଯାଇ ତାଙ୍କ ବାପା ମା’ ଏବଂ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତା ସହ ସେ ଏହି ଘଟଣାର ପୂର୍ବାପର ପ୍ରସଙ୍ଗ ଉପରେ ମୃତକଙ୍କ ମା’ ବାପା ଓ ବଡବାପାଙ୍କ ସହ ଟିକି ନିଖି ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ସ୍ପଷ୍ଟ ଭାବେ ଜଣାପଡିଛି ଯେ ପୂର୍ବରୁ ଅପହରଣ ଘଟଣା ଭାବେ ଚିତ୍ରଣ ହୋଇଥିବା ଏହି ଘଟଣା ବର୍ତ୍ତମାନ ଏହା ଏକ ସୁଚିନ୍ତିତ, ଯୋଜନାବଦ୍ଧ ହତ୍ୟାକାଣ୍ଡ ଅଟେ । ଏହି ଘଟଣାଟି ବର୍ତ୍ତମାନ ଜିଲ୍ଲା କି ରାଜ୍ୟ ନୁହେଁ ଜାତୀୟ
ସ୍ତରରେ ମଧ୍ୟ ଚର୍ଚ୍ଚିତ ଘଟଣା । ଶିକ୍ଷାନୁଷ୍ଠାନ ଭଳି ଏକ ପବିତ୍ର ଗୃହରେ ଖୋଦ୍ ଶିକ୍ଷାନୁଷ୍ଠାନର ସଭାପତି ଗୋବିନ୍ଦ ସାହୁ ଯୌନକଳେଙ୍କାରୀ ସହ ଘୃଣ୍ୟ ହତ୍ୟା ଅପରାଧରେ ଜଡିତ ଥିବା ଧିରେ ଧିରେ ସ୍ପଷ୍ଟ ହେଉଛି । ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ମୃତକ ପରିବାରର ବାପା ମା’ ବଡବାପା ଆଲୋଚନା ସମୟରେ ବର୍ତ୍ତମାନ ଚାଲିଥିବା ତଦନ୍ତକୁ ନେଇ ସନ୍ତୁଷ୍ଟ ଅଛନ୍ତି କି ନାହିଁ ପଚାରି ବୁଝିଥିଲେ ଏବଂ ପରିବାରବର୍ଗଙ୍କ ସହ ଆଲୋଚନା ବେଳେ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଘନିଷ୍ଠତା ଥିବା ପରିବାର ବର୍ଗ କହିବା ସହ ଘଟଣା ପରେ ଅଭିଯୁକ୍ତ ଗୋବିନ୍ଦ ସାହୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ଫୋନ ଯୋଗେ ବାରମ୍ବାର କଥା ହେବାର ଏକ ଅଡିଓ ଟେପ୍ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି କିନ୍ତୁ ସେହି ଅଡିଓକୁ ନେଇ ପୋଲିସ ତରଫରୁ କୋଣସି ତଦନ୍ତ ଆରମ୍ଭ କରାନଯିବାର ଅଭିଯୋଗ ପରିବାରବର୍ଗ କରିଛନ୍ତି ଏହା ସହ ଏହି ସନ୍ସାଇନ କଲେଜରେ ଅନେକ ପରିମାଣରେ ସରକାରୀ ଟଙ୍କା ମନ୍ତ୍ରୀଙ୍କ ପ୍ରଭାବରେ ଖର୍ଚ୍ଚ ହେବା ସହ ଏହି କଲେଜକୁ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଆସିଛନ୍ତି ଏବଂ ଏ ସମସ୍ତଙ୍କୁ ମଧ୍ୟ ପରିବାରବର୍ଗ ତଦନ୍ତ କରିବା ପାଇଁ ଦାବି କରିଥିଲେ । ପରେ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରତିକ୍ରିୟା ଦେଲାବେଳେ ସେ ସ୍ପଷ୍ଟ ଭାବେ କହିଥିଲେ ମୃତକଙ୍କ ମା’ ବାପା ଏହି ହତ୍ୟାକାଣ୍ଡର ତଦନ୍ତ ଯିଏ ବି କରୁ ଯଦି ସେମାନେ ସନ୍ତୁଷ୍ଟ ରହୁଛନ୍ତି ତେବେ କାହାରି କିଛି କହିବାର ନାହିଁ, ଏଠାରେ ରାଜନୀତିକରଣ ପାଇଁ ଆହୁରି ଅନେକ ଲୋକ ସିବିଆଇ ଇନ୍କ୍ୱାରୀ କଥା କହୁଛନ୍ତି ସେମାନେ ସ୍ପଷ୍ଟ ଭାବେ ଜାଣିବା ଦରକାର ସିବିଆଇ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ହାତବାରିସି ସାଜିଛି । କିଛି ସପ୍ତାହ ପୂର୍ବରୁ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆନ୍ଦୋଳନରତ ଚାଷୀଙ୍କୁ ଗାଡି ଚେପାଇ ହତ୍ୟା କରିଛନ୍ତି । ସେଥିରେ କେନ୍ଦ୍ର ସରକାର ତଥା ତାଙ୍କର ତଦନ୍ତକାରୀ ଏଜେନ୍ସି ହାତବାନ୍ଧି ବସିଛି । ଏଣୁ କେନ୍ଦ୍ର ସରକାରଙ୍କ ଏଜେନ୍ସି ହେଉ କି ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ଯଦି ଆମେ ନିରପେକ୍ଷ ତଦନ୍ତ ଚାହୁଁଛୁ ତେବେ ବ୍ୟକ୍ତିଗତ ଭାବେ ମୋର ପ୍ରଥମ ଉପଦେଶ ହେବ ଯେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦେଇଦେବା ଉଚିତ । କାରଣ ସେ ପଦବୀରେ ଥିଲେ କୌଣସି ବି ପୋଲିସ ନିରପେକ୍ଷ ତଦନ୍ତ କରି ପାରିବ ନାହିଁ ଏବଂ ତାର ସହ ଏହାର ବି ମୋର ମତ ଯେ ଏହି ଘଟଣାଟି ଯେହେତୁ ଏକ ସୂଚିନ୍ତିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ଏବଂ ଘଟଣାର ରୁପରେଖରୁ ଜଣାପଡୁଛି ଯେ ଏଥିରେ ନିଶ୍ଚିତ ଭାବରେ କିଛି ହାଇପ୍ରୋଫାଇଲ ବ୍ୟକ୍ତି ବିଶେଷ ଯେଉଁମାନେ କି ତଦନ୍ତକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ଅଛି ତେଣୁ ଏହି ହତ୍ୟାକାଣ୍ଡର ଅନୁସନ୍ଧାନ ମାନ୍ୟବର ହାଇକୋର୍ଟ କିମ୍ବା ମାନ୍ୟବର ସୁପ୍ରିମକୋର୍ଟଙ୍କ ତଦାରଖରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଅନୁସନ୍ଧାନ କରିବା ଉଚିତ । କିନ୍ତୁ ମୁଁ ପୁଣିଥରେ ଦେହୋରାଉଛି ଏହା ମୋର ବ୍ୟକ୍ତିଗତ ମତ ଏବଂ ଏହି ହତ୍ୟାକାଣ୍ଡର ତଦନ୍ତକାରୀ ସଂସ୍ଥା କିଏ ହେବ ତାହା ମୃତକଙ୍କ ପରିବାରବର୍ଗଙ୍କ ଇଚ୍ଛା ଓ ଭରଷା ଉପରେ ପର୍ଯ୍ୟବେଶିତ ହେବା ଦରକାର । କାରଣ ମାନ୍ୟବର ହାଇକୋର୍ଟଙ୍କ ହିସାବରେ କୌଣସି ବି ତଦନ୍ତ ନିରପେକ୍ଷ ହେବା ସହିତ ତାହା ଜନସାଧାରଣଙ୍କୁ ମଧ୍ୟ ନିରପେକ୍ଷ ଓ ଭରସାଯୋଗ୍ୟ ଦେଖାଯିବା ବହୁତ ଜରୁରି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଏହି ଗସ୍ତରେ ତାଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଦସ୍ୟ ଉମାଶଙ୍କର ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଅନିଲ ମେହେର, ରମେଶ ପୁରୋହିତ, ରାଜ୍ୟ ସଂପାଦକ ମୁକେଶ ଜୈନ, ରାଜିବ ଗାନ୍ଧୀ ପଂଚାୟତି ରାଜ ଅଧ୍ୟକ୍ଷ ଅଜୟ ବାଲି, ସାନନ୍ଦ ମେହେର, ପ୍ରେମ ପ୍ରକାଶ ମିଶ୍ର, ଅଙ୍କିତ ସାହୁ, ସରୋଜ ରଥ ପ୍ରମୁଖ ଉପସ୍ଥିତ ଥିଲେ ।