-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
15-Oct-2026
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ରେକଡୋଲ ଗ୍ରାମରେ ଓଡ଼ିଶା ସରକାରଙ୍କ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି ଶିବିରରେ ଅଞ୍ଚଳର ମହିଳାମାନଙ୍କୁ ଟେରାକୋଟା ହସ୍ତଶିଳ୍ପ ସମ୍ପର୍କରେ ତାଲିମ ଦିଆଯାଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ରଖାଯାଇଛି।ଏହି ପ୍ରଶିକ୍ଷଣ ଶିବିରକୁ ବୌଦ୍ଧ ଜିଲ୍ଲାର ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକ ଲୁଲୁମ୍ବା ସିଂ ଧରୁଆ ଏବଂ କଣ୍ଟାମାଳ ବ୍ଲକର ହସ୍ତଶିଳ୍ପ ଉନ୍ନୟନ ଅଧିକାରୀ ଆଶିଷ କୁମାର ପଣ୍ଡା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଉଦ୍ଘାଟନୀ ସଭାରେ ଟେରାକୋଟା ଶିଳ୍ପରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ମୁକୁନ୍ଦ ରଣା, ମାଷ୍ଟର ଟ୍ରେନର ଗେହ୍ଲେଇ ରଣା, ଖବରଦାତା ପ୍ରଭାତ ସାହୁ ଏବଂ ସମାଜସେବୀ ରବିନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ହସ୍ତଶିଳ୍ପର ବିକାଶ ଓ ମହିଳାଙ୍କୁ ଆତ୍ମନିର୍ଭରଶୀଳ
କରିବା ଦିଗରେ ସରକାରଙ୍କ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୧୫ ଜଣ ମହିଳା ଅଂଶଗ୍ରହଣ କରିଛନ୍ତି। ସେମାନଙ୍କୁ ଦୀର୍ଘ ୬ ମାସ ପର୍ଯ୍ୟନ୍ତ ମାଗଣାରେ ଟେରାକୋଟା ହସ୍ତଶିଳ୍ପର ପ୍ରଶିକ୍ଷଣ ଦିଆଯିବ। ଏହି ପ୍ରଶିକ୍ଷଣ ମାଧ୍ୟମରେ ମହିଳାମାନେ ନୂତନ କଳାକୌଶଳ ଶିଖିବା ସହ ନିଜସ୍ୱ ଉଦ୍ୟୋଗ ଆରମ୍ଭ କରି ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବାର ସୁଯୋଗ ପାଇପାରିବେ ବୋଲି ଆଶା ପ୍ରକାଶ ପାଇଛି। ଗ୍ରାମାଞ୍ଚଳରେ ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ସହ ଏହାକୁ ଜୀବିକାର ମାଧ୍ୟମ ଭାବେ ଗଢ଼ିତୋଳିବା ଦିଗରେ ଏହି ପ୍ରଶିକ୍ଷଣ ଶିବିର ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା ।