-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2026
ଟିଟିଲାଗଡ(ପ୍ରେରଣା ଖବର)- ଟିଟିଲାଗଡର ନୂତନ ସରକାରୀ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ସହରରୁ ଚାରି କିଲୋମିଟର ଦୂରରେ ଅବସ୍ଥାପିତ କରାଯିବା ପରେ ସେଠାକୁ ଯିବା ପାଇଁ ରୋଗୀ, ରୋଗୀ ସମ୍ପର୍କୀୟ ତଥା ଜନସାଧାରଣ ମାନେ ଯିବା ଆସିବା କରିବା ପାଇଁ ହଇରାଣ ହରକତ ହେବା ସହ ନାନା ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ଏହାକୁ ଦୃଷ୍ଟିରେ ରଖି ଟିଟିଲାଗଡ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ଏହାର ସମାଧାନ ନିମନ୍ତେ ବ୍ୟାଟେରୀ ଚାଳିତ ଗାଡ଼ି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଫଳ ସ୍ୱରୂପ ଶୁକ୍ରବାର ଦିନ ସକାଳ ୯ ଟା ସମୟରେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଜନ ସାଧାରଣଙ୍କ ନିମନ୍ତେ ମା ଘଣ୍ଟାଶୁଣିଙ୍କ ମନ୍ଦିରରୁ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଅବସରରେ ଟିଟିଲାଗଡ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମନାଭ ସାମନ୍ତରାୟ, ଏସ ଡି ଏମ ଓ ଶ୍ରୀମତୀ କିରଣମୟୀ ପଣ୍ଡା, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଥାନାଧିକାରୀ ଶ୍ରୀ ମନୋଜ କୁମାର ମୁଣ୍ଡା, ପୌର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ ଶତପଥୀ, କାଉନସିଲର ଶ୍ରୀଯୁକ୍ତ ସୁଧୀର ଅଗ୍ରୱାଲ, ଯଶୋଦା ବଗର୍ତ୍ତି, ଏମ ଇ ଦୁର୍ଗା ପ୍ରସାଦ ପଟ୍ଟନାୟକ ମଞ୍ଚାସିନ ଥିଲେ। ପ୍ରଥମେ ସମସ୍ତ ଅଧିକାରୀ ମା ଘଣ୍ଟାଶୁଣିଙ୍କ ଦର୍ଶନ ଲାଭ କରିବା ପରେ ପୂଜକ ଆନନ୍ଦ ପାତ୍ର ପୂଜାର୍ଚ୍ଚନା କରିବା ପରେ ନଡ଼ିଆ ବାଡେଇ ପତାକା ଦେଖାଇ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ିକୁ ଲୋକାର୍ପିତ କରାଯାଇଥିଲା। ଲୋକାର୍ପଣ ସରିବା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ସମସ୍ତ ଅତିଥି ବିଧାୟକଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ତିନୋଟି ଗାଡ଼ି ସହରରୁ ପିପଲ ପଦର ସ୍ଥିତ ସରକାରୀ ଡାକ୍ତରଖାନାକୁ ରୋଗୀ ତଥା ଜନ ସାଧାରଣଙ୍କୁ ନେବା ଆଣିବାରେ ସହାୟକ ହେବ ବୋଲି ବିଧାୟକ ଶ୍ରୀ ନବୀନ ଜୈନ କହିଥିଲେ। ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ନିଜେ ଗାଡି ଚଳାଇବା ସହ ଅତିଥି ମାନଙ୍କୁ ବସାଇ ଗାଡ଼ିରେ ନେଇକି ଯାଇଥିଲେ।