-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
14-Sep-2021
ବାଲେଶ୍ୱର (ପ୍ରେରଣା ଖବର ବ୍ୟୁରୋ ): ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ୍ ଅଭିଯୋଗରେ ଠିକା କର୍ମଚାରୀଙ୍କୁ ଅଟକ ରଖିବା ପରେ ଗିରଫ କରାଯାଇଛି । ୫ଜଣ ଠିକା କର୍ମଚାରୀଙ୍କୁ ବାଲେଶ୍ୱର ସ୍ପେଶାଲ ସ୍କ୍ୱାଡ୍ ପଚରାଉଚରା କରିବା ପରେ ୪ଜଣଙ୍କୁ ଗିରଫ କରାଯାଇଛି । ତେବେ ସେମାନେ କେଉଁ ତଥ୍ୟ ଲିକ୍ କରୁଥିଲେ ସେନେଇ ପୋଲିସ ସ୍ପଷ୍ଟ କରିନଥିଲେ ମଧ୍ୟ, ପ୍ରତିରକ୍ଷା ସମ୍ପର୍କିତ କିଛି ଗୁପ୍ତତଥ୍ୟ ସନ୍ଦିଗ୍ଧମାନେ ପ୍ରଘଟ କରୁଥିବା ସୂଚନା ମିଳିବା ପରେ ଆଇଜିଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ସେମାନଙ୍କୁ ଉଠାଯାଇଥିଲା । ଏହାପରେ ଏବେ ସେମାନଙ୍କୁ ଗିରଫ କରାଯାଇଛି l
ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ ଟିମ୍ ଗଠନ ହୋଇଥିଲା । ଯେଉଁଥିରେ ୬ ଆଇଆଇସି ଓ ୬ ଡିଏସପି ରହିଥିଲେ । ପ୍ରାୟ ତିନିଦିନ ଧରି ତନା ଘନା ଜାରି ରଖିଥିଲା ପୋଲିସ । ପୂର୍ବରୁ ପାକିସ୍ଥାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ଗିରଫ କରାଯାଇଥିବା ବେଳେ ଈଶ୍ୱର ବର୍ତମାନ ଆଜୀବନ ସଜା ଭୋଗୁଛି ।
ତେବେ ଗିରଫ ହୋଇଥିବା ୪ ସନ୍ଦିଗ୍ଧ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟର ବିଭିନ୍ନ ତଥ୍ୟ ପ୍ରଘଟ କରିଥିବା କୁହାଯାଉଛି । ତେବେ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ କେଉଁ ମାନଙ୍କ ସମୃକ୍ତି ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହି ୪ ଜଣ ଡିଆରଡିଓରେ ଏସି ଅପରେଟର ସହ ଜେନେରେଟର ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଏମାନେ ବିଦେଶୀ ସଂସ୍ଥା ସହ ଫୋନ୍ କଲ ମାଧ୍ୟମରେ କଥା ହେଉଥିଲେ । ତେବେ ଏହି କର୍ମଚାରୀ ମାନେ କେତେବର୍ଷ କାମ କରୁଥିଲେ ଏବଂ କାହା ମାଧ୍ୟମରେ ଆସିଥିଲେ ସେନେଇ ତନାଘନା ଜାରି ରହିଛି ।