-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2021
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳରେ ଅଶ୍ୱିନୀ ହସ୍ପିଟାଲ ଦ୍ୱାରା ପରିଚାଳିତ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଠାରୁ ସୁନା ଚୋରୀ କରି ନିଆଯାଉଥିବା ଗୁରୁତର ଅଭିଯୋଗ ହୋଇଛି I ଏଥିରେ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାର ଆଉ ଏକ ବିଫଳତାର କାହାଣୀ ଯୋଡି ହୋଇଛି I ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ ସ୍ଥାନୀୟ ମୋଦିପଡା ବାସିନ୍ଦା ସରକାରୀ ଇଲେକ୍ଟ୍ରିକଲ କଣ୍ଟ୍ରାକ୍ଟର ବିଶ୍ୱନାଥ ମହାରଣା(୬୧) ଗତ ୯ ତାରିଖ ଦିନ କରୋନା ସଂକ୍ରମଣ ହୋଇ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଶ୍ବିନୀ ହସ୍ପିଟାଲ ଦ୍ୱାରା ପରିଚାଳିତ କୋଭିଡ ହସ୍ପିଟାଲ ଆଇସିୟୁ ବେଡ଼ ନମ୍ବର ୭୦ ରେ ଭର୍ତ୍ତି ହୋଇଥିଲେ I ଦୀର୍ଘ ୧୩ ଦିନ ପରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବିଶ୍ୱନାଥ ମହାରଣାଙ୍କ ଦେହାନ୍ତ ହୋଇଥିଲା I ତେବେ ସ୍ଥାନୀୟ ରାଜଘାଟରେ ବିଶ୍ୱନାଥ ମହାରଣାଙ୍କ ଶବ ସତ୍କାର ଅନ୍ତିମ ଦର୍ଶନ ସମୟରେ ତାଙ୍କ ଡାହାଣ ହାତରେ ପିନ୍ଧିଥିବା ସୁନା ମୁଦି ନ ଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ I ଏ ସମ୍ପର୍କ ରେ ଆଜି ଅଶ୍ୱିନୀ ହସ୍ପିଟାଲ ପରିଚାଳନା ମୁଖ୍ୟଙ୍କୁ ସ୍ୱର୍ଗତ ବିଶ୍ୱନାଥ ମହାରଣାଙ୍କ ପୁଅ ଆଲୋକ ମହାରଣା ଲିଖିତ ଅଭିଯୋଗ କରିଛନ୍ତି I
ତେବେ, ଏଠାରେ ପ୍ରଶ୍ନ ଉଠୁଛି କରୋନା ରୋଗୀ ବିଶ୍ୱନାଥଙ୍କ ଦେହାନ୍ତ ପରେ ପିନ୍ଧିଥିବା ସୁନା ମୁଦି ଚୋରୀ କଲା କିଏ..? ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏଥିରେ ହାତ ନାହିଁ ତ..? ଏହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ? ଜଣେ କରୋନା ରୋଗୀ ମୃତ୍ୟୁ ବରଣ କଲା ପରେ ପିନ୍ଧି ଥିବା ସୁନା ଯଦି ଚୋରୀ ହେଉଛି ତେବେ ମାନବ ଅଙ୍ଗ, ପ୍ରତଙ୍ଗ ଚୋରୀ (ତସ୍କରୀ) ହେବାକୁ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସମୟରେ ହେଉଥିବା ଚର୍ଚ୍ଚା ଅଭିଯୋଗକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ ବୋଲି ମତ ପ୍ରକାଶ ପାଇଛି I ଏ ସମ୍ପର୍କ ରେ ସ୍ଥାନୀୟ ଅଶ୍ବିନୀ କୋଭିଡ ହସ୍ପିଟାଲ ପରିଚାଳକ ରିତେଶ ପୁହାଣଙ୍କୁ ପଚାରିବାରୁ ଘଟଣାକୁ ହାଲୁକା ଭାବେ ନେବା ସହିତ ଆମେ ସିସିଟିଭି ଦେଖି ତଦନ୍ତ କରିବୁ ବୋଲି ପ୍ରକାଶ କରିଥିଲେ I ଅନ୍ୟ ପକ୍ଷରେ ଯଦି ତାଙ୍କ ବାପା ସ୍ୱର୍ଗତ ବିଶ୍ୱନାଥ ମହାରଣା ପିନ୍ଧିଥିବା ସୁନା ମୁଦି ତାଙ୍କୁ ଫେରାଇ ଦିଆ ନ ଯାଏ ତେବେ ପୁଅ ଆଲୋକ ମହାରଣା ଆଇନର ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି I