-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-May-2021
ଭୁବନେଶ୍ୱର,( ଶୁଭାଶିଷ ନାୟକ): ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପ୍ରେସର ସ୍ୱିଙ୍ଗ ଆଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ୍ ପ୍ଲାଂଟ୍ର ବ୍ୟବସ୍ଥା କରିବା ପାଇଁ ତରୁନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୧ଟି ପିଏସଏ ପ୍ଲାଂଟ ସ୍ଥାପନ ହେଉଥିବା ବେଳେ ଏଭଳି ଆହୁରି ୧୫ଟି ଜିଲ୍ଲାରେ ୧୯ଟି ପିଏସଏ ପ୍ଲାଂଟ ସ୍ଥାପନା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ କୋଭିଡ-୧୯ର ଦ୍ୱିତୀୟ ଲହରୀ ସହ ଲଢେ଼ଇ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ମୁକାବିଲା ପାଇଁ ବଳିଷ୍ଠ ପଦକ୍ଷେପ ନେବା ତଥା ରାଜ୍ୟ ଗୁଡ଼ିକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ଆହ୍ୱାନ କରିଛନ୍ତି । ସେହିପରି ଓଡ଼ିଶାରେ କୋଭିଡ୍ ପ୍ରସ୍ତୁତି ଓ ପରିଚାଳନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବାରୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ କୋଭିଡ୍-୧୯ର ଦ୍ୱିତୀୟ ଲହରର ବ୍ୟାପକତା କାରଣରୁ ରାଜ୍ୟର ଆହୁରି ଅଧିକ ଜିଲ୍ଲାକୁ ସହଯୋଗର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଅତିରିକ୍ତ ୧୯ ପିଏସଏ ମେଡ଼ିକାଲ ଅକ୍ସିଜେନ ପ୍ଲାଂଟ୍ ବାଲେଶ୍ୱର, ବଲାଙ୍ଗିର, ଗଞ୍ଜାମ, ମୟୂରଭଞ୍ଜ ଜିଲ୍ଲାରେ ୨ଟି ଲେଖାଁଏ ଏବଂ କଟକ, ଦେବଗଡ଼, ଢେ଼ଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୋନପୁରରେ ଗୋଟିଏ ଗୋଟିଏ ଲେଖାଁଏ ଅକ୍ସିଜେନ୍ ପ୍ଲାଂଟ ସ୍ଥାପନା ପାଇଁ ସେ ଅନୁରୋଧ କରିଛନ୍ତି । ଏହି ପ୍ଲାଂଟ ଗୁଡ଼ିକ ପ୍ରତିଷ୍ଠା ହେଲେ ଓଡ଼ିଶାର କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସାରେ ସହାୟକ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।