-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
01-Aug-2026
ବଲାଙ୍ଗୀର:-ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ୍ ଅନ୍ତର୍ଗତ ସାଗରପାଲି ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV) ରେ ଭିତ୍ତିଭୂମି,ପରିଚାଳନା ଏବଂ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି।ସ୍ଥାନୀୟ ସୂତ୍ରରୁ,ଶତାଧିକ ଆବାସିକ ଛାତ୍ରୀ ରହୁଥିବା ଏହି ସରକାରୀ ବିଦ୍ୟାଳୟରେ ମୌଳିକ ସୁବିଧା ଏବଂ ପ୍ରଶାସନିକ ତଦାରଖ ର ଅଭାବ ଦେଖାଦେଇଛି।
ଅଭିଯୋଗ ଅନୁଯାୟୀ,ପୁରୁଣା ଭବନର ଛାତରୁ ବର୍ଷା ପାଣି ଗଳୁଥିବାରୁ ଶ୍ରେଣୀଗୃହ,ଭୋଜନଶାଳା ଓ ରନ୍ଧନଶାଳା ପ୍ରଭାବିତ ହେଉଛି।ପାନୀୟ ଜଳ ଯୋଗାଣ ପର୍ଯ୍ୟାପ୍ତ ନ ଥିବା ବେଳେ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ସ୍ଥାୟୀ ନୁହେଁ।ସ୍ଥାୟୀ ଟ୍ରାନ୍ସଫର୍ମର ନ ଥିବାରୁ ପାର୍ଶ୍ୱବର୍ତ୍ତୀ ଅଗ୍ନିଶମ କେନ୍ଦ୍ରରୁ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗରେ କାମ ଚାଲୁଥିବା କୁହାଯାଉଛି।
ବିଦ୍ୟାଳୟର ସ୍ଥାୟୀ ପ୍ରଧାନ ଶିକ୍ଷକଙ୍କ ବଦଳି ପରେ ବର୍ତ୍ତମାନ ଇନ୍ଚାର୍ଜ ବ୍ୟବସ୍ଥାରେ ପରିଚାଳନା ହେଉଛି।ଇନ୍ଚାର୍ଜ ଅଧିକାରୀ ପ୍ରତିଦିନ ବଲାଙ୍ଗୀରରୁ ଆସିବା-ଯିବା କରୁଥିବାରୁ ଆବାସିକ ବିଦ୍ୟାଳୟର ନିରନ୍ତର ତଦାରଖକୁ ନେଇ ପ୍ରଶ୍ନ ଉଠିଛି।
ଏହାଛଡ଼ା ଅଭିଯୋଗ ହୋଇଛି ଯେ,ହଷ୍ଟେଲର ମେଟ୍ରନ୍ ଓ ଆକାଉଣ୍ଟାଣ୍ଟ ଛାତ୍ରୀମାନଙ୍କୁ ହଷ୍ଟେଲରେ ରଖି ଦୂରସ୍ଥ ଗୋଦାମରୁ ଚାଉଳ ଆଣିବାକୁ ଯାଇଥିଲେ।ଏପରି ସମୟରେ ଶତାଧିକ ଆବାସିକ ଛାତ୍ରୀଙ୍କ ତଦାରଖ କିଏ କରୁଥିଲା,ସେନେଇ ପ୍ରଶ୍ନ ଉଠିଛି।ସେହିପରି ବିଦ୍ୟାଳୟକୁ ପହଞ୍ଚିଥିବା ପ୍ରାୟ ୩୦ କ୍ୱିଣ୍ଟାଲ ଚାଉଳକୁ ଯଥାର୍ଥ ଓଜନ ଓ ଯାଞ୍ଚ ବିନା ଗ୍ରହଣ କରାଯାଇଥିବାର ମଧ୍ୟ ଅଭିଯୋଗ ରହିଛି।
ନିକଟରେ ଜିଲ୍ଲାର ଅନ୍ୟ ଏକ କେଜିବିଭିରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଏବଂ ଅନ୍ୟ ଜଣେ ଅସୁସ୍ଥ ହେବା ଘଟଣା ପରେ ଦେଓଗାଁ ବିଦ୍ୟାଳୟରେ ମଧ୍ୟ ଜଣେ ଛାତ୍ରୀ ପେଟବ୍ୟଥାରେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି।ଅଭିଯୋଗ ହୋଇଛି ଯେ,ତାଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପରିବର୍ତ୍ତେ ପରିବାର ଲୋକଙ୍କ ସହ ଘରକୁ ପଠାଇ ଦିଆଯାଇଥିଲା।ଏହି ଘଟଣାରେ ସ୍ୱାସ୍ଥ୍ୟ ଓ ପ୍ରଶାସନିକ ପ୍ରୋଟୋକଲ ପାଳନ ହୋଇଥିଲା କି ନାହିଁ,ତାହା ଯାଞ୍ଚର ବିଷୟ।
ଏହା ସହ ବିଦ୍ୟାଳୟର ମେସ୍ ପରିଚାଳନାରେ ଅନିୟମିତତା ଏବଂ ଖାଦ୍ୟ ବାବଦ ଅର୍ଥର ଦୁରୁପଯୋଗ ହୋଇଥିବାର ପୂର୍ବରୁ ମଧ୍ୟ ଅଭିଯୋଗ ଆସିଥିବା କଥା ସ୍ଥାନୀୟ ମହଳରେ ଆଲୋଚନାର ବିଷୟ ହୋଇଛି।ତେବେ ଏହି ଅଭିଯୋଗ ଗୁଡ଼ିକର ସ୍ୱାଧୀନ ସରକାରୀ ଯାଞ୍ଚ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ।ଏଣୁ ସମଗ୍ର ଶିକ୍ଷା ବିଭାଗ,ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ବିଦ୍ୟାଳୟର ଭିତ୍ତିଭୂମି,ଖାଦ୍ୟ ପରିଚାଳନା,ସୁରକ୍ଷା ବ୍ୟବସ୍ଥା ଓ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।