-+91-9937148622 |
prerana_bgr@rediffmail.com |
Friday 31st July 2026 |
R.N.I. Regd No. ODIODI/2010/46693
Breaking News
30-Jul-2026
(ପ୍ରେରଣା ଖବର )
ବଲାଙ୍ଗିର କାରାବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ସଂକ୍ରାମକ ରୋଗର ପ୍ରାଥମିକ ଚିହ୍ନଟକୁ ଗୁରୁତ୍ୱ ଦେଇ ବଲାଙ୍ଗିର ଜିଲ୍ଲା କାରାଗାର ପରିସରରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ *ହିନ୍ଦୁସ୍ତାନ ଲାଟେକ୍ସ ଫ୍ୟାମିଲି ପ୍ଲାନିଂ ପ୍ରମୋସନ ଟ୍ରଷ୍ଟ (HLFPPT)ର ମିଳିତ ସହଯୋଗରେ ଏକ ବ୍ୟାପକ ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଆୟୋଜିତ ହୋଇଥିଲା।
ଶିବିରରେ ଜିଲ୍ଲା କାରାଗାରର ଅନ୍ତେବାସୀମାନଙ୍କର ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା, ଔଷଧ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ପ୍ରଦାନ କରାଯାଇଥିଲା। ସେହିପରି ଏଚ୍ଆଇଭି (HIV), ସିଫିଲିସ୍ (Syphilis) ଏବଂ ହେପାଟାଇଟିସ୍ (Hepatitis) ଭଳି ସଂକ୍ରାମକ ରୋଗର ସ୍କ୍ରିନିଂ ପାଇଁ ଅନ୍ତେବାସୀମାନଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା।
ଜିଲ୍ଲା କାରାଗାର ଅଧୀକ୍ଷକ ଉମାଶଙ୍କର ମାଝୀ, ଜେଲ୍ ମେଡିକାଲ ଅଫିସର ଡା. ଅବିନାଶ ନେପାକ, ଫାର୍ମାସିଷ୍ଟ ଶିବ ନାରାୟଣ କବି ଓ ସଞ୍ଜୟ ସାହୁ, ଜେଲର ରାମଜୀ ଓରାମଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା କାଉନ୍ସେଲର ସୁପରଭାଇଜର ଜିତେନ୍ଦ୍ର ବିଶ୍ୱାଳ, ଡିଏସ୍ଆର୍ସି କାଉନ୍ସେଲର ବେଞ୍ଜାମିନ ଦୀପ, ଲ୍ୟାବ୍ ଟେକ୍ନିସିଆନ ସତ୍ୟବ୍ରତ ସାରଙ୍ଗୀ, ଟିବି ୟୁନିଟ୍ର ଅଶୋକ କୁମାର ଓ ତାଙ୍କ ଟିମ୍ ସହିତ HLFPPTର ପ୍ରିଜନ୍ କୋ-ଅର୍ଡିନେଟର ପ୍ରଶାନ୍ତ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ।
ଏହି ଅବସରରେ ପ୍ରିଜନ୍ କୋ-ଅର୍ଡିନେଟର ପ୍ରଶାନ୍ତ କୁମାର ମାଝୀ ଅନ୍ତେବାସୀମାନଙ୍କୁ ଏଚ୍ଆଇଭି/ଏଡ୍ସ, ଯୌନ ସଂକ୍ରମିତ ରୋଗର ପ୍ରତିରୋଧ, ବ୍ୟକ୍ତିଗତ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସଚେତନତା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଏହି ସ୍ୱାସ୍ଥ୍ୟ ଶିବିରର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ମୋଟ ୩୫୩ ଜଣ ଅନ୍ତେବାସୀଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇ ସଫଳତାର ସହ ସମାପ୍ତ କରାଯାଇଛି। ଏହି ପଦକ୍ଷେପ କାରାବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଂକ୍ରାମକ ରୋଗର ପ୍ରାଥମିକ ଚିହ୍ନଟ କ୍ଷେତ୍ରରେ ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ମତ ପ୍ରକାଶ ପାଇଛି।
ଶିବିର ଶେଷରେ ଅନ୍ତେବାସୀମାନେ ଏଭଳି ଜନହିତକର ପଦକ୍ଷେପ ପାଇଁ HLFPPT, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ କାରା କର୍ତ୍ତୃପକ୍ଷଙ୍କୁ ଭୂୟସୀ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ।