-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
14-Jul-2026
ଭୁବନେଶ୍ୱର/ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ର ସାଲେପାଲି, ଲରମ୍ଭା, କନେଇଟାଲ, ଭରତବାହାଲ, ବବଜା ଓ ବିଆରପାଲି ପ୍ରସ୍ତାବିତ ଗ୍ରାଫାଇଟ୍ ଓ ମାଙ୍ଗାନିଜ ଖଣି ପ୍ରକଳ୍ପକୁ ବିରୋଧ କରି ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଦେଇଥିବା ଅଭିଯୋଗ ପତ୍ରର ଉତ୍ତରରେ ଇସ୍ପାତ ଓ ଖଣି ବିଭାଗ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛିନ୍ତି ।
ବିଭାଗର ଅତିରିକ୍ତ ସଚିବ ଡି. ଚନ୍ଦ୍ରକରଙ୍କ ସ୍ୱାକ୍ଷରିତ ପତ୍ରରେ କୁହାଯାଇଛି ଯେ, ସମ୍ପୃକ୍ତ ଖଣି ବ୍ଲକ୍ଗୁଡ଼ିକ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଲାମ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେଗୁଡ଼ିକ ଲେଟର ଅଫ୍ ଇଣ୍ଟେଣ୍ଟ ପର୍ଯ୍ୟାୟରେ ରହିଛି। କୌଣସି ସଂସ୍ଥାକୁ ଏପର୍ଯ୍ୟନ୍ତ ଖଣି ଲିଜ୍ ପ୍ରଦାନ କରାଯାଇନାହିଁ।
ସରକାର ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଖଣି ଲିଜ୍ ପ୍ରଦାନ ପୂର୍ବରୁ ବନାଧିକାର ଆଇନ–୨୦୦୬, ପରିବେଶ ଆଇନ ଏବଂ ଅନ୍ୟାନ୍ୟ ବୈଧାନିକ ପ୍ରକ୍ରିୟାର ସମ୍ପୂର୍ଣ୍ଣ ପାଳନ ନିଶ୍ଚିତ କରାଯିବ।
ଉଲ୍ଲେଖଯୋଗ୍ୟ ଯେ,ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି ତାଙ୍କ ପ୍ରତିନିଧିତ୍ୱରେ ଖଣି ନିଲାମ ବାତିଲ, ଉଚ୍ଚ ସ୍ତରୀୟ ତଦନ୍ତ, ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ,ବନାଧିକାର ସୁରକ୍ଷା ଓ ପରିବେଶ ସଂରକ୍ଷଣ, ଗ୍ରାମସଭା ର ଅନୁମୋଦନ, ଜନଶୁଣାଣୀ ପ୍ରକ୍ରିୟା ଇତ୍ୟାଦି ଦାବି କରିଥିଲେ। ସରକାରଙ୍କ ଏହି ଉତ୍ତରକୁ ନେଇ ଖଣି ଲିଜ୍ ପ୍ରଦାନ ପୂର୍ବରୁ ଆଇନଗତ ପ୍ରକ୍ରିୟା ଅନୁସରଣ ପ୍ରତି ଗୁରୁତ୍ୱ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ପୂର୍ବତନ ସାଂସଦ ନିରଞ୍ଜନ ବିଶି ଏହାକୁ ସ୍ୱାଗତ କରିଛନ୍ତି l