-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2026
ବଲାଙ୍ଗୀର(ପ୍ରେରଣା ଖବର): ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ, ଏବଂ ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା ।
ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ, ସୁରକ୍ଷା ଓ ଆଇନଗତ ସୁବିଧା ବିଷୟରେ ଗୁରୁତ୍ଵାପୂର୍ଣ୍ଣ ମତାମତ ରଖିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠୀ, ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ନିର୍ବାହୀ ଅଧିକାରୀ ତରଣୀ ସୁନା ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୃତ କୁମାର ପଣ୍ଡା ବୈଠକରେ ଉପସ୍ଥିତ ଥିଲେ ।
ବୈଠକର ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ ସମସ୍ତଙ୍କୁ ସ୍ୱାଗତ କରି ୧୯୭୯ ମସିହାର ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିୟୋଜନ ନିୟନ୍ତ୍ରଣ ଓ ସେବା ସର୍ତ୍ତାବଳୀ) ଆଇନର ମୁଖ୍ୟ ଉଦ୍ଦେଶ୍ୟ ଓ ଆଲୋଚ୍ୟ ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ଏହି ଆଇନର କଡ଼ାକଡ଼ି କାର୍ଯ୍ୟକାରିତା, ବେଆଇନ ଶ୍ରମିକ ଚାଲାଣକୁ ରୋକିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମାଧ୍ୟମରେ ନିୟମିତ ଯାଞ୍ଚ ଓ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ପ୍ରବାସୀ ଶ୍ରମିକମାନେ ଯେପରି ଶୋଷଣର ଶିକାର ନହୁଅନ୍ତି, ସେଥିପାଇଁ ସେମାନଙ୍କୁ ସରକାରୀ ସୁବିଧା, ଆଇନଗତ ଅଧିକାର ଓ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଦାଦନ ପ୍ରବଣ ଅଞ୍ଚଳରେ ସରକାରୀ ଯୋଜନାଗୁଡିକର ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଦାଦନ ପ୍ରବଣ ଅଞ୍ଚଳରେ ସ୍ଥାନୀୟ ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ। ସରକାରୀ ଯୋଜନା ମାଧ୍ୟମରେ ତୃଣମୂଳସ୍ତରରେ ଅଧିକ କାର୍ଯ୍ୟ ସୃଷ୍ଟି କରି ଲୋକଙ୍କୁ ସ୍ଥାନୀୟ ଅଞ୍ଚଳରେ ଅଧିକ ରୋଜଗାର ଯୋଗାଇବାକୁ ସମସ୍ତ ବିଭାଗକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଗୋପାଳନ, ମତ୍ସ୍ୟଚାଷ ଓ କୃଷି ଭଳି କ୍ଷେତ୍ରରେ ଲୋକଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଓ ସରକାରୀ ସୁବିଧା ଯୋଗାଇଦେଇ ରୋଜଗାର ସୃଷ୍ଟି କରିବା ଉପରେ ଆଲୋଚନା ହୋଇଥିଲା ।
ସେଥିସହିତ ବଲାଙ୍ଗୀର, କଣ୍ଟାବାଞ୍ଜି, ମୁରିବାହାଲ, ଟିଟିଲାଗଡ଼ ଓ ହରିଶଙ୍କର ରୋଡ୍ ରେଳଷ୍ଟେସନରେ ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଷ୍ଟେସନ ମ୍ୟାନେଜର, ଜିଆରପି ଓ ଆରପିଏଫ ଅଧିକାରୀଙ୍କ ସହିତ ନିୟମିତ ସମନ୍ୱୟ ରଖି ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଗ୍ରାମପଞ୍ଚାୟତସ୍ତରରେ ପ୍ରବାସୀ ଶ୍ରମିକମାନଙ୍କର ସ୍ୱେଚ୍ଛାକୃତ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ଶିଶୁ ଓ କିଶୋର ଶ୍ରମିକ ପ୍ରତିବନ୍ଧକ ଓ ନିୟନ୍ତ୍ରଣ ଆଇନ, ୧୯୮୬ ର କଡ଼ାକଡ଼ି କାର୍ଯ୍ୟକାରିତା ସହ ଯୋଜନାଗୁଡିକର ସଫଳ ରୂପାୟନ ଉପରେ ବୈଠକରେ ବିଶେଷ ଆଲୋଚନା କରାଯାଇଛି । ଏହି ବୈଠକରେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ବିଭିନ୍ନ ବ୍ଲକର ବିଡିଓଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।