-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
25-May-2026
କଟକ (ତପନ ମହାନ୍ତି ସାମ୍ବାଦିକ)- ଆଜି ଯୋବ୍ରାସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଆହୂତ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛିଯେ - ଗତ କିଛି ଦିନ ଧରି ମାରାତ୍ମକ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି।ଏକଚାଟିଆ ପୁଞ୍ଜିପତି ମାନଙ୍କ ଲାଭପାଇଁ ଖଣି ଖୋଳିବା ଓ ଶିଳ୍ପ ପ୍ରତିଷ୍ଠା ଆଳରେ ସମଗ୍ର ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କ ପ୍ରୋତ୍ସାହନରେ ବ୍ୟାପକ ଜଙ୍ଗଲ କ୍ଷୟ ଓ ପରିବେଶର ସନ୍ତୁଳନ ବିଗିଡିବା ଫଳରେ ଉତ୍ତାପ କ୍ରମାଗତ ବୃଦ୍ଧି ପାଇବା ଯୋଗୁ ପରିସ୍ଥିତି ଦିନକୁ ଦିନ ଭୟାବହ ହେଉଚି। ଏହା ସହିତ ସମଗ୍ର ରାଜ୍ୟରେ ବ୍ୟାପକ ବିଜୁଳିକାଟ୍ ଓ ଲୋ ଭୋଲ୍ଟେଜ ଫଳରେ ରାଜ୍ୟର ସାଧାରଣ ଲୋକ ବିଶେଷ କରି ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡିଶା ଏକ ବଳକା ବିଜୁଳି ଉତ୍ପାଦନକାରୀ ରାଜ୍ୟ ହୋଇଥିବାରୁ ଚଳିତ ବର୍ଷ ଗ୍ରୀଷ୍ମ କାଳରେ ଆଦୌ ବିଜୁଳିକାଟ୍ ହେବନାହିଁ ବୋଲି ରାଜ୍ୟ ବିଜେପି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ବିଜୁଳିକାଟ୍ ହେଲେ ଏଥିପାଇଁ ଦାୟୀ ଅଧିକାରୀ ମାନଙ୍କୁ ଜେଲ୍ ପଠାଇ ଦିଆଯିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍ ବିଭାଗର ମନ୍ତ୍ରୀ ଘୋଷଣା କରିଥିଲେ। ମାତ୍ର ବର୍ତ୍ତମାନ ପ୍ରବଳ ଗରମ ଓ ଅସହ୍ୟ ଗୁଳୁଗୁଳି ଲାଗିରହିଥିବା ବେଳେ ଗ୍ରାମାଞ୍ଚଳରେ ଲଗାତର ୧୦ ଘଣ୍ଟା , ୧୨ ଘଣ୍ଟା ଧରି ବିଜୁଳି କାଟ ହେଉଛି। ସହରାଞ୍ଚଳରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଲୋ ଭୋଲ୍ଟେଜ ଓ ବିଜୁଳି କାଟ ଲାଗିରହିଛି।ଖରା ଗରମରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କ ଦୁଃଖ ଶୁଣିବାକୁ କେହି ନାହିଁ। ଆଦୌ ବିଜୁଳି କାଟ ହେବନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବା ରାଜ୍ୟ ଶକ୍ତିମନ୍ତ୍ରୀ ବର୍ତ୍ତମାନର ବିଜୁଳି କାଟ ଓ ଲୋ ଭୋଲ୍ଟେଜ ପାଇଁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରର ( ଏସି) ଅଧିକ ବ୍ୟବହାର ଉପରେ , ଅର୍ଥାତ ଲୋକଙ୍କ ଉପରେ ଦୋଷ ଲଦି ଦେଇଛନ୍ତି।
ମନ୍ତ୍ରୀ ମହୋଦୟ ଲୋକଙ୍କୁ ବିଭ୍ରାନ୍ତ କରିବାପାଇଁ ଏହି ପ୍ରସଙ୍ଗରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଷୟ ଗୋପନ କରିବାକୁ ଉଦ୍ୟମ କରିଛନ୍ତି। ପ୍ରଥମଟି ହେଉଛି ଦୁର୍ବଳ ବିଦ୍ୟୁତ୍ ଭିତ୍ତି ଭୂମି। ଅର୍ଥାତ ଟାଟା କମ୍ପାନୀ ରାଜ୍ୟରେ ବିଜୁଳି ବିତରଣ କରି ପ୍ରଚୁର ମୁନାଫା ଅର୍ଜନ କରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସହିତ ଭିତିରି ବୁଝାମଣା କରି ଆବଶ୍ୟକ ଲୋଡ ସହିବା ଭଳି ନୂଆ ଟ୍ରାନସଫର୍ମର ବସାଉ ନାହିଁ । ଫଳରେ ଖରାଦିନେ ଅଧିକ ବିଜୁଳି ବ୍ୟବହାର ହେଲେ ଟ୍ରାନସଫର୍ମର, କେବଲ ଓ ତାର ପୋଡ଼ି ଯାଉଚି। ଦ୍ୱିତୀୟ କଥାଟି ହେଉଚି ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ରାଜ୍ୟରେ ଆବଶ୍ୟକ ବିଜୁଳି ଶକ୍ତି ଉପଲବ୍ଧ ନହେବା ଫଳରେ ବିଜୁଳି କାଟ ଓ ଲୋ ଭୋଲ୍ଟେଜ ହେଉଚି ବୋଲି ବିଭାଗୀୟ ମନ୍ତ୍ରୀ ଦାବି କରିଛନ୍ତି। ମାତ୍ର ଏହା ସତ୍ୟ ନୁହେଁ, ବର୍ତ୍ତମାନ ରାଜ୍ୟରେ ଅମାନବୀୟ ବିଜୁଳି କାଟ ଚାଲିଥିଲା ବେଳେ ଆଜିବି ଚଢ଼ା ଦରରେ ରାଜ୍ଯ ବାହାରେ ବିଜୁଳି ବିକ୍ରି କରିବାକୁ ରାଜ୍ୟ ବିଜେପି ସରକାର ଟାଟା କମ୍ପାନୀକୁ ସୁଯୋଗ ଦେଇଛନ୍ତି । ଫଳରେ ରାଜ୍ୟରେ ବିଜୁଳି ସଙ୍କଟ ଦେଖାଦେଇଛି । ସୁତରାଂ, ରାଜ୍ୟ ବିଜେପି ସରକାର ଟାଟା କମ୍ପାନୀର ମୁନାଫା ପାଇଁ ଯେ ଆଜି ରାଜ୍ୟବାସୀଙ୍କୁ ଏହି ଧରଣର ନାହିଁ ନଥିବା ସଙ୍କଟ ମଧ୍ୟକୁ ଠେଲି ଦେଇଛନ୍ତି ତାହା ଦିବାଲୋକ ଭଳି ସ୍ପଷ୍ଟ।
ପରିସ୍ଥିତିର ଉପଯୁକ୍ତ ମୁକାବିଲା କରିବା ପରିବର୍ତ୍ତେ ସରକାର ଗୋଟିଏ ଦିଗରେ ଲୋକଙ୍କୁ ବିଭ୍ରାନ୍ତ କରିବା ଓ ଅନ୍ୟ ଦିଗରେ ଟାଟା କମ୍ପାନୀ ଦ୍ୱାରା ଛଟେଇ ହୋଇ ଦୀର୍ଘଦିନ ଧରି ପେଟପାଟଣା ପାଇଁ ଆନ୍ଦୋଳନ ଚଳାଇ ଥିବା ପ୍ରାୟ ୧୦ ହଜାର ଅସ୍ଥାୟୀ ବିଜୁଳି କର୍ମଚାରୀଙ୍କ ଆନ୍ଦୋଳନକୁ ଦମନ କରିବାପାଇଁ ଏସମା ଲାଗୁ କରିଛନ୍ତି।ସତେ ଯେଭଳି କର୍ମଚାରୀ ମାନେ ଆନ୍ଦୋଳନ କରୁଛନ୍ତି ବୋଲି ବିଜୁଳି କାଟ ଓ ଲୋ ଭୋଲ୍ଟେଜ ହେଉଛି।
ଇତି ମଧ୍ୟରେ ରଜ୍ୟର ବିଭିନ୍ନ ସ୍ଥାନରୁ ଅଂଶୁଘାତ ଜନିତ ମୃତ୍ୟୁ ଖବର ଆସୁଛି।ଏହି ଧରଣର ଗ୍ରୀଷ୍ମ ପ୍ରବାହ ଆହୁରି ସପ୍ତାହେ କିମ୍ବା ୧୦ ଦିନ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ କରାଯିବା ପରିପ୍ରେକ୍ଷୀରେ ତୁରନ୍ତ ବିଜୁଳିକାଟ ବନ୍ଦ ନହେଲେ ଅଂଶୁଘାତ ଜନିତ ମୃତ୍ୟୁ ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି। ହେଲେ ମନ୍ତ୍ରୀ କହିଦେଇଛନ୍ତି ବର୍ତ୍ତମାନ ସରକାରଙ୍କର ଆଉ କିଛି କରିବାର ନାହିଁ।
ଏହି ପରିସ୍ଥିତିରେ ୧) ରାଜ୍ୟ ବାହାରେ ବିଦ୍ୟୁତ୍ ବିକ୍ରି ବନ୍ଦ କରି ତୁରନ୍ତ ସମଗ୍ର ରାଜ୍ୟରେ ଉପଭୋକ୍ତା ମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣର ବ୍ୟବସ୍ଥା କରିବା ୨) ଯୁଦ୍ଧକାଳୀନ ଭିତ୍ତିରେ ସମଗ୍ର ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିର ଆବଶ୍ୟକ ସୁଧାର କରିବା ୪) ତୁରନ୍ତ ଏସମା ପ୍ରତ୍ୟାହାର କରିବା ଓ ଛଟେଇ କର୍ମଚାରୀ ମାନଙ୍କୁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦେବା ୪)ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଦେୟ ମୁକ୍ତ କରିବା ୫) ବିଦ୍ୟୁତ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଓ ଅତ୍ୟାବଶ୍ୟକ କ୍ଷେତ୍ରକୁ ରାଜ୍ୟ ସରକାର ହାତକୁ ନେବା ପାଇଁ ପାର୍ଟି ପକ୍ଷରୁ ଦୃଢ଼ ଦାବି କରାଯାଇଛି।
ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସ, ଅଫିସ ସମ୍ପାଦକ ଖଗେଶ୍ବର ସେଠୀ, ରାଜକିଶୋର ମଲ୍ଲିକ, ବବି ବଳବନ୍ତରାୟ, ମାଳବିକା ସାମଲ, ବସନ୍ତ ନାୟକ, ଭାଗ୍ୟରବି ଦାସ, ସୌଭାଗ୍ୟ ସାମଲ, ଦୀପକ୍ ଦାସ ବିନୋଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।