-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
07-Mar-2026
ବଲାଙ୍ଗିର(ପ୍ରେରଣା ଖବର):ସଂପ୍ରତି ସମାଜରେ ନାରୀମାନଙ୍କୁ ଅଧିକ ଅଧିକାର ଦେଇ ସ୍ୱାବଲମ୍ବି ତଥା ସଶକ୍ତହେବାକୁ ପ୍ରୟାସ ହେଉଛି । ଆମ ସମାଜର ପଚାଶ ପ୍ରତିଶତ ମହିଳା ଥିବା ବେଳେ ଏକ ସୁସ୍ଥସମାଜ ଗଠନ କରିବାକୁ ହେଲେ ନାରୀମାନଙ୍କୁ ସଶକ୍ତିକରଣ ତଥା ସଚେତନ କରିବାର ଆବଶ୍ୟକତା କଥା ଉଠେ । ନାରୀମାନଙ୍କୁ ଭାବର ଆଦାନ ପ୍ରଦାନ ତଥା ଅବସରବିନୋଦନ ପାଇଁ କେତେକ ସ୍ଥଳେ ଲେଡିଜକ୍ଲବ ଓ ନାରୀସେବାସଦନ ଭଳି ଅନୁଷ୍ଠାନର ଯଥେଷ୍ଟ ଆବଶ୍ୟକତା ରହିଛି । କିନ୍ତୁ ଅଜି ରାଜୁଡା ସମୟରେ ୧୯୪୧ ମସିହାରେ ବଲାଙ୍ଗୀର ସହରର ନାରୀମାନଙ୍କ ନାରୀଜାଗରଣ ପାଇଁ ସ୍ଥାପିତ “ସୁନ୍ଦରକୁମାରୀ ଲେଡିଜକ୍ଲବ”ର ଅସ୍ତିତ୍ୱ ହଜିଯାଇଛି । ବଲାଙ୍ଗୀରର ପୁରୁଣାରାଜବାଟିର ଏକ ଅଂଶରେ ଥିବା ବର୍ତ୍ତମାନର ଗୋପାଳଜୀମନ୍ଦିରର ପୁନଃରୁଦ୍ଧାର ବେଳେ ଏହି ଶତାୟୁଅନୁଷ୍ଠାନକୁ ଭାଙ୍ଗିଦେଇ ଚୁରମାର କରିଦିଆଯାଇଛି । ଆଗକୁ ମାର୍ଚ୍ଚ ୮ ତାରିଖ ମହିଳାଦିବସ ଅବସରରେ ଜିଲ୍ଲା ପ୍ରଶାସନ ତଥା ନେତାନେତ୍ରୀମାନେ ଅନେକ ଭାଷଣ ଦେବେ କିନ୍ତୁ ନାରୀମାନଙ୍କ ସଚେତନତା ପାଇଁ ଥିବା ଏକ ଅନୁଷ୍ଠାନକୁ ଭାଙ୍ଗି ଦିଆଗଲା ପରେ ମଧ୍ୟ କେହି ସ୍ୱରଉତ୍ତୋଳନ କରୁନାହାଁନ୍ତି ।
ପାଟଣା ଇତିହାସରୁ ଜଣାଯାଏ ଯେ,ସ୍ୱାଧିନତା ପୂର୍ବରୁ ପାଟଣାଗଡଜାତ ରାଜ୍ୟରେ ଚୌହାନବଂଶର ରାଜାମାନେ ଶାସନ କଲାବେଳେ ଅନେକଗୁଡିଏ ଉନ୍ନତିମୂଳକ କାମ କରାଇଥିଲେ । ସ୍ୱର୍ଗତ ମହାରାଜ ପୃଥ୍ୱୀରାଜସିଂଦେଓ ଓ ମାହାରାଜା ରାଜେନ୍ଦ୍ରନାରାୟଣ ସିଂଦେଓଙ୍କ ରାଜତ୍ୱକାଳରେ ରାଜ୍ୟର ରାଜଧାନୀଥିବା ବଲାଙ୍ଗୀର ସହରରେ ଅନେକଗୁଡିଏ ଅନୁଷ୍ଠାନ ସ୍ଥାପନ କରିଥିଲେ । କଳା,ସାହିତ୍ୟ,ସଂସ୍କୃତି,ଶିକ୍ଷା,କ୍ରୀଡା,କୃଷି ଓ ଜଳସେଚନ ତଥା ନାରୀସଚେତନତା ପାଇଁ ଅନେକଗୁଡିଏ ଅନୁଷ୍ଠାନ ଗଢିଥିଲେ । ସେଥିରେ ପୃଥ୍ୱୀରାଜ ହାଇସ୍କୁଲ,ଏଲଏଣ୍ଡଏସ କ୍ଲବ,ଦଳଗଞ୍ଜନ ପ୍ରେସ,ପାୱାରହାଉସ,ରାଜେନ୍ଦ୍ରକଲେଜ,ସହରରେ ୧୭ଟି ବନ୍ଧ,କୋସଳକଳାମଣ୍ଡଳ ପଡିଆ,ରାଜେନ୍ଦ୍ର କଲେଜ,ରାଜେନ୍ଦ୍ର କୃଷିଗବେଷଣାକେନ୍ଦ୍ର,ରାଜେନ୍ଦ୍ରପାର୍କ ସହିତ ସୁନ୍ଦରକୁମାରୀ ଲେଡିଜକ୍ଲବ ଅନ୍ୟତମ । ଏହି ସବୁ ଅନୁଷ୍ଠାନ ବଲାଙ୍ଗୀରର ଅସ୍ମିତା ହୋଇ ଆଜି ଛିଡାହୋଇରହିଛି । ମାହାରାଜା ରାଜେନ୍ଦ୍ରନାରାୟଣ ସିଂଦେଓ ଜଣେ ପ୍ରଜାବତ୍ସଳ ରାଜା ଥିଲେ । ସେଥିପାଇଁ ସେ ଅନେକଗୁଡିଏ ଅନୁଷ୍ଠାନ ସ୍ଥାପିତ କରି ତାକୁ ପ୍ରୋତ୍ସାହିତ କରୁଥିଲେ । ଯେତେବେଳେ ନାରୀସମାଜ ସେତେଟା ଶିକ୍ଷିତ ହୋଇନଥିଲେ ଓ ଘରୁ ଗୋଡକାଢି ବାହାରକୁ ବାହାରୁନଥିଲେ ସେହି ସମୟରେ ନାରୀସଚେତନତା ପାଇଁ “ସୁନ୍ଦରକୁମାରୀ ଲେଡିଜକ୍ଲବ” ସ୍ଥାପନ କରି ନାରୀମାନଙ୍କୁ ଅବସର ବିନୋଦନ ପାଇଁ ସୁଯୋଗ ଦେଇଥିଲେ । ନାରୀଶିକ୍ଷା ଓ ସଚେତନତାରେ ଯେ ସମାଜର ମଙ୍ଗଳ ହେବ ତାହା ସେ ସମୟରେ ଉପଲବ୍ଧି କରିଥିଲେ । ସେଥିପାଇଁ ଗୋପାଳଜୀମନ୍ଦିର ତଥା ରାଜେଶ୍ୱରୀ ଧର୍ମଶାଳାର ପଛପଟେ ପୁରୁଣାରାଜବାଟିର ଏକ ଅଂଶରେ ଲେଡିଜକ୍ଲବ ନିର୍ମାଣ କରାଇଥିଲେ । କ୍ଲବକୁ ଚୌହାନରାଜା ଦଳଗଞ୍ଜନ ସିଂଦେଓଙ୍କ ମହରାଣୀ ତଥା ମହାରାଜା ପୃଥ୍ୱୀରାଜ ସିଂଦେଓଙ୍କ ରାଜମାତା ସୁନ୍ଦରକୁମାରୀ ଦେବୀଙ୍କ ନାମରେ ନାମିତ କରିଥିଲେ । ୧୯୪୧ ମସିହାରେ ମହାରାଜା ରାଜେନ୍ଦ୍ରନାରାୟଣ ସିଂଦେଓ ଓ ମହାରାଣୀ କୈଳାଶକୁମାରୀ ଦେବୀ ନାରୀସଚେତନତା ଓ ନାରୀଙ୍କ ଉତ୍ଥାନ ପାଇଁ ନେଇଥିବା ପଦକ୍ଷେପକୁ ଆଜି ମଧ୍ୟ ପ୍ରଶଂସା କରାଯାଇଥାଏ । ମହାରାଣୀ ସୁନ୍ଦରକୁମାରୀ ଦେବୀ ମଧ୍ୟ ଜଣେ ପ୍ରଜାହିତୈଷୀ ଥିଲେ ଓ ସେ ସହରର ମଧ୍ୟଭାଗରେ ରାଣୀବନ୍ଧକୁ ନିଜସ୍ୱଅର୍ଥରେ ଖୋଲାଇଥିଲେ । ଅନେକ ମହିଳାଙ୍କୁ ମଧ୍ୟ ସେ ସହାୟତାର ହାତ ବଢାଉଥିଲେ ତେଣୁ ତାଙ୍କ ସ୍ମୃତିରେ ରାଜେନ୍ଦ୍ରନାରାୟଣ ସିଂଦେଓ ଓ ମହାରାଣୀ କୈଳାଶକୁମାରୀ ଦେବୀ ଲେଡିଜକ୍ଲବର ନାମକରଣ କରି ବଲାଙ୍ଗୀରବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିକୃତ କରିଥିôଲେ । ସେହି ସମୟରେ ଏଠାରେ ମହିଳାମାନେ ଏକତ୍ରୀତ ହୋଇ ନିଜର ଭାବନାର ଆଦାନପ୍ରଦାନ କରୁଥିଲେ ତଥା ଅବସରବିନୋଦନ କରୁଥିଲେ । ମହିଳାଙ୍କ ମଧ୍ୟରେ ଅନେକ ଖେଳପ୍ରତିଯୋଗୀତା ମଧ୍ୟ ହେଉଥିବା କୁହାଯାଏ । ଏଠାରେ ଅନେକ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା ଓ ମହିଳା ଅଭିନେତ୍ରୀ ଏଠାରୁ ସୃଷ୍ଟି ହୋଇଥିଲେ । ୧୯୪୮ ମସିହାରେ ପାଟଣାଗଡଜାତର ମିଶ୍ରଣ ପରେ ଏହା ଓଡିଶା ସରକାରଙ୍କ ହାତକୁ ଚାଲିଗଲା । ପରେ ଦେବୋତ୍ତର ବିଭାଗ ଅଧିନରେ ଏହା ରହିଲା । ଅନେକବର୍ଷ ପର୍ଯ୍ୟନ୍ତ କିଛି ଉଦ୍ୟମୀ ମହିଳା ଏହି କ୍ଲବକୁ ପରିଚାଳିତ କଲେ । କିନ୍ତୁ ପରେ ପରେ ବିଲଡିଂଟିର ମରାମତି ଅଭାବରୁ ତଥା ସରକାରୀ ପ୍ରୋତ୍ସାହନ ଅଭାବରୁ ଅବସ୍ଥା ଖରାପ ହୋଇଗଲା । ଏହାର ଚାରିକଡେ ବୃକ୍ଷଲତା ବ୍ୟାପିଗଲା । ବ୍ୟବହାର ନହୋଇ ପଡିରହିଲା ଓ ଶେଷରେ ମଦ୍ୟପଙ୍କ ଆଡ୍ଡାସ୍ଥଳି ପାଲଟିଗଲା । ଏଠାରେ ଟେକ୍ସିଷ୍ଟାଣ୍ଡ କରାଗଲା । ଏବେ ଦୁଇବର୍ଷ ତଳେ ଗୋପାଳଜୀ ମନ୍ଦିରର ପୁନଃରୁଦ୍ଧାର କରାଗଲା ବେଳେ ସେହି ଲେଡିଜକ୍ଲବର ଜରାଜିର୍ଣ୍ଣ ବିଲଡିଂକୁ ଭାଙ୍ଗି ଦିଆଯାଇଥିଲା । ରାଜୁଡା ଅମଳରୁ ଥିବା ଏକ ନାରୀସେଚତନତାର ପରିଚୟ ଶେଷରେ ହଜିଯାଇଛି । କେତେକ ବୁଦ୍ଧିଜୀବି ଏହାକୁ ହେରିଟେଜ ବିଲଡିଂ ହିସାବରେ ପୁନଃନିର୍ମାଣ କରାଇ ସୁରକ୍ଷିତ କରିବାକୁ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ତଥାପି ବଲାଙ୍ଗୀର ଅସ୍ମିତାକୁ ହଜାଇ ଦିଆଗଲା । ପୂର୍ବ ସରକାର ମିଶନଶକ୍ତି ଜରିଆରେ ମହିଳାଙ୍କୁ ସଚେତନ ଓ ସ୍ୱାବଲମ୍ବି କଥା କହୁଥିବା ବେଳେ ବର୍ତ୍ତମାନର ବିଜେପିସରକାର ସୁଭଦ୍ରା ଯୋଜନା,କନ୍ୟାରତ୍ନ ଯୋଜନା ମାଧ୍ୟମରେ ମହିଳାଙ୍କୁ ସଶକ୍ତିକରଣ କରିବାକୁ ଅଣ୍ଟା ଭିଡିଛନ୍ତି । ଦକ୍ଷତା ତାଲିମଦେଇ ମହିଳାଙ୍କୁ ସ୍ୱାବଲମ୍ବନ କଥା କୁହାଯାଉଛି । ଦେଢଲକ୍ଷ ଜନସଂଖ୍ୟା ବିଶିଷ୍ଟ ବଲାଙ୍ଗୀର ସହରର ପଚାଶପ୍ରତିଶତ ହେଉଛନ୍ତି ମହିଳା । ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ଗତ ୯୦ ଦଶକରୁ ଜଣେ ମହିଳା ସାଂସଦ ପ୍ରତିନିଧିତ୍ୱ କରିଆସୁଛନ୍ତି । ବଲାଙ୍ଗୀର ରାଜବଂଶର ସଂଗୀତାକୁମାରୀ ସିଂଦେଓ ଏବେ ସାଂସଦ ରହିଛନ୍ତି । ଠିକ ସେହିପରି ବଲାଙ୍ଗୀର ପୌରପରିଷଦରେ ଗତ ତିନିଟି ଟର୍ମ ବିଜେଡିଦଳରୁ ତିନିଜଣ ମହିଳା ପୌରାଧ୍ୟକ୍ଷା ରହିଆସିଛନ୍ତି । ସରକାର ମିଶନଶକ୍ତି ଭବନ ନିର୍ମାଣ କରାଉଛନ୍ତି । ଯାହାକି ବ୍ୟବହାର ମଧ୍ୟ ହେଉନାହିଁ । କିନ୍ତୁ ସୁନ୍ଦରକୁମାରୀ ଦେବୀଙ୍କ ନାମରେ ଥିବା ଏଭଳି ଏକ ପବିତ୍ର ଅନୁଷ୍ଠାନର ସୁରକ୍ଷାକଥା କେହି ମଧ୍ୟ ଚିନ୍ତା କଲେ ନାହିଁ । ବଲାଙ୍ଗୀର ସହରରେ ଏବେ ମଧ୍ୟ ମହିଳାମାନଙ୍କ ପାଇଁ ଭାବର ଅଦାନପ୍ରଦାନ ତଥା ସଚେତନାତା କାର୍ଯ୍ୟକ୍ରମ ପାଇଁ କୌଣସି ସ୍ୱତନ୍ତ୍ର ଅନୁଷ୍ଠାନ ନାହିଁ । ତେଣୁ ବଲାଙ୍ଗୀରର ରାଜନେତା,ପୌରପାଳିକା,ବିଧାୟକ,ସାଂସଦ ମିଳିତ ଉଦ୍ୟମ କରି ପୁଣିଥରେ ସୁନ୍ଦରକୁମାରୀଙ୍କ ନାମରେ ସ୍ଥାପିତ ହୋଇଥିବା ସେହି ଲେଡିଜକ୍ଲବକୁ ପୁନଃନିର୍ମାଣ କରାଇବାର ଆବଶ୍ୟକତା ରହିଛି । ଅବଶ୍ୟ ବଲାଙ୍ଗୀର ସହରର ମହିଳା ସଂଗଠନମାନଙ୍କର ଏହି ଦିଗରେ ପ୍ରୟାସର ଯଥେଷ୍ଟ ଆବଶ୍ୟକତା ରହିଛି ।