-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
18-Feb-2026
ମାଲକାନଗିରି,ମାଲକାନକରି ବନାଞ୍ଚଳ କେନ୍ଦୁପତ୍ର କାର୍ଯ୍ୟାଳୟ ପରିସରରେ କେନ୍ଦୁପତ୍ର ଋତୁକାଳୀନ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି,ବନାଗ୍ନି ନିୟନ୍ତ୍ରଣ ଓ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ କେନ୍ଦୁପତ୍ର ରଜନୀ କାନ୍ତ ଷଡ଼ଙ୍ଗୀ, ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇଥିଲେ। ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ କେନ୍ଦୁପତ୍ର ଚେକର,ମୁନ୍ସୀ ଓ ଫଡି ସାଥୀମାନେ ବୁସ୍ କଟିଂ ସଠିକ୍ ଭାବରେ କରିବା ଉଚିତ। ଏହି କେନ୍ଦ୍ର ବୁଦା ଗୁଡ଼ିକ ଧାରୁଆ ଅସ୍ତ୍ର ଦ୍ୱାରା ଛେଦନ କଲେ ଭଲ ପତ୍ର ଉତ୍ପାଦନ ହେବ । ଏହା ଛଡା ଯେଉଁମାନେ ବୁଦା ଛେଦନରେ ଶ୍ରମିକ ଭାବରେ ନିୟୋଜିତ ହେବେ, ସେମାନେ ଶାରୀରିକ ସୁସ୍ଥତା ରହିବା ଆବଶ୍ୟକ ବୋଲି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ କହିଲେ ଯେ ବର୍ତ୍ତମାନ ବସନ୍ତ ଋତୁ ଆଗମନ ହେତୁ ଜଙ୍ଗଲରେ ଥିବା ବୃକ୍ଷ ଲତାଗୁଡିକ ପତ୍ର ଝାଡ଼ା ଦେବେ। ଏହି ସମୟରେ ମହୁଲ ବୃକ୍ଷରୁ ପତ୍ର ଝଡ଼ା ଦେବା ସହିତ ମହୁଲ ଉତ୍ପାଦନ ସମୟ ଆସିଛି। ମହୁଲ ସଂଗ୍ରହ କରିବାକୁ ଯାଇ କିଛି ମହୁଲ ଗୋଟାଳି ବୃକ୍ଷ ମୂଳରେ ପଡ଼ିଥିବା ଶୁଖିଲା ପତ୍ରରେ ଅଗ୍ନି ସଂଯୋଗ କରି ଦେଇଥାନ୍ତି। ଏହି ଅଗ୍ନି ଧୀରେ ଧୀରେ ନିକଟସ୍ଥ ଜଙ୍ଗଲକୁ ବ୍ଯାପି ସମଗ୍ର ଜଙ୍ଗଲ ଅଗ୍ନିର କବଳରେ ପଡ଼ି ବୃକ୍ଷ ଲତାକୁ ଜାଳି ପୋଡି ପାଉଁଶ କରି ଦେଇଥାଏ। ଫଳରେ ଜଙ୍ଗଲ
ନଷ୍ଟ ହେବା ସହିତ ବଣ୍ୟ ପ୍ରାଣୀ ଜୀବନ ସଂକଟ ପରିସ୍ଥିତି ଦେଇ ଗତି କରିଥାଏ। ଏଣୁ ଆଗାମୀ ଦିନରେ ଜଙ୍ଗଲକୁ ମାନବ କୃତ ଅଗ୍ନି ସଂଯୋଗରୁ ଜଙ୍ଗଲକୁ କିପରି ସୁରକ୍ଷା ଦେଇ ପାରିବା,ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ବଣ୍ୟ ଜନ୍ତୁ ଶିକାରରୁ ଲୋକମାନଙ୍କୁ କିପରି ନିବୃତ୍ତ କରି ପାରିବା,ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ବନପାଳ ଓ ବନରକ୍ଷୀ ମାନେ ମଧ୍ୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
(ରିପୋର୍ଟ: କେଶବ ଚନ୍ଦ୍ର ନାୟକ, ମାଲକାନଗିରି)