-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
25-Jul-2025
ଅତାବିରା( ଆକାଶ ମିଶ୍ର )ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ରେ ଆଜି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରଶ୍ମି ରଞ୍ଜନ ସାହୁ ଙ୍କ ନେତୃତ୍ୱରେ ଅତାବିରା ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା ବିଭିନ୍ନ ସମସ୍ୟା କୁ ନେଇ । ଦିନ ଥିଲା ଶିକ୍ଷକ ଶିଶୁ କୁ ଏକ ଉତ୍ତମ ନାଗରିକ ଭାବେ ଗଠନ କରି ରାଷ୍ଟ୍ର ଗଠନ ରେ ପରୋକ୍ଷ ଭୂମିକା ନେଉଥିଲା । ଶିକ୍ଷାୟତନ ଓ ଶିକ୍ଷକ ମଧ୍ୟରେ ଏକ ସମନ୍ୱୟ ତଥା ସୁନ୍ଦର୍ ବାତାବରଣ ରହୁଥିଲା ।କିନ୍ତୁ ସମ୍ପ୍ରତି ଶିକ୍ଷକ କୁ ବାଧ୍ୟ କରାଯାଉଛି ଅଣଶୈକ୍ଷିକ କାର୍ଯ୍ୟ କରିବାକୁ, ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହି ବହୁବିଧ ରାଷ୍ଟ୍ର ନିର୍ମାଣ ଭିତ୍ତିକ କାର୍ଯ୍ୟରେ ସାମିଲ ହେବାକୁ।ଯାହା ଫଳରେ ଶିକ୍ଷକ ମାନସିକ ସ୍ତରରେ ଚାପ ଗ୍ରସ୍ତ ହେବା ସହ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ।ଏହାର ପ୍ରଭାବରେ ଶିଶୁ ମାନଙ୍କର ମଧ୍ୟ ଭବିଷ୍ୟତ ଗଠନରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରଭାବ ପକାଉଛି । ଶିକ୍ଷକ ମାନଙ୍କର ଏମିତି ବିଭିନ୍ନ ସମସ୍ୟା କୁ ନେଇ ଆଜି ଅତାବିରା ସମନ୍ୱିତ ଶିକ୍ଷକ ସଂଘ୍ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ଶିକ୍ଷା କମିଶନର ତଥା ସଚିବ,ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଶୋଭାଯାତ୍ରା ବ୍ଲକ ଶିକ୍ଷକ ଭବନ ରୁ ବାହାରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦେଇ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରେ ପହଞ୍ଚିଥିଲା । ଶିକ୍ଷାନୁଷ୍ଠାନ ଗୁଡିକ ମଣିଷ ତିଆରି କାରଖାନା ଆଉ ସେହି କାରଖାନାରେ କାରିଗର ହେଉଛନ୍ତି ଶିକ୍ଷକ। ଜଣେ ଛାତ୍ରର ଭବିଷ୍ୟତ ଗଢ଼ିବା ରେ ଶିକ୍ଷକମାନେ ବିଶ୍ୱକର୍ମାର ଭୂମିକା ଗ୍ରହଣ କରିଥାନ୍ତି। ବିଶ୍ୱକର୍ମାଙ୍କ ବିନା ଯେପରି ସୁନ୍ଦର କୋଣାର୍କ ନିର୍ମାଣ ଅସମ୍ଭବ। ସେହିପରି ଜଣେ ଶିକ୍ଷକ ବିନା ଜଣେ ସଫଳ ଛାତ୍ର ସୃଷ୍ଟି ହେବା ଅସମ୍ଭବ। ପିତାମାତାଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି ସେ ହେଉଛନ୍ତି ଶିକ୍ଷା ଗୁରୁ। ପିଲାର ଭବିଷ୍ୟତ ନ୍ୟସ୍ତ ଥାଏ ଶିକ୍ଷକଙ୍କ ଉପରେ।ଡ଼ଃ ଏ.ପି.ଜେ. ଅବଦୁଲ କାଲାମ କହୁଥିଲେ, ସମାଜରୁ ଦୁର୍ନୀତି ହଟେଇବା କେବଳ ତିନି ଜଣଙ୍କ ଦ୍ୱାରା ସମ୍ଭବ ହେବ। ସେମାନେ ହେଲେ ପିତା, ମାତା ଓ ଶିକ୍ଷକ। ଶିଶୁଟିକୁ ଉଚିତ ମାର୍ଗରେ ଗଢିଲେ ସେ ପରବର୍ତ୍ତୀ ସମୟରେ ଭଲ ମଣିଷଟିଏ ହବ ଓ ଭଲ ପରିବାରଟି ଗଢ଼ିପାରିବ। ଭଲ ପରିବାରଟିଏ ଗଢ଼ିପାରିଲେ ଏକ ସୁସ୍ଥ ସମାଜ ଓ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନ ସମ୍ଭବ ହେଇପାରିବ । କିନ୍ତୁ ଆଜିର ଶିକ୍ଷା ପଦ୍ଧତି ରେ ଶିକ୍ଷକ ପରୋକ୍ଷ ଭାବରେ ନୁହେଁ ,ପ୍ରତ୍ୟକ୍ଷ ଭାବରେ ରାଷ୍ଟ୍ର ଗଠନ ରେ ଜଡ଼ିତ ରହିବାକୁ ବାଧ୍ୟ ହେଉଛି। ତେଣୁ ଶିକ୍ଷକ ମାନେ ଏହାର ପ୍ରତିବାଦ କରି ଦାବି ପତ୍ର ପ୍ରଦାନ କରିଛନ୍ତି । ବିଦ୍ୟାଳୟ ମାନଙ୍କ ରେ ଆବଶ୍ୟକ ପ୍ରତିଶତ ଶିକ୍ଷକ ପଦବୀ ପୂରଣ ନ ହେବା ଯାଏ, ପ୍ରତି ସ୍କୁଲ୍ ମାନଙ୍କରେ ପ୍ରକୃତ ପ୍ରଧାନ ଶିକ୍ଷକ ପଦବୀ ନ ଦେବା ପର୍ଯ୍ୟନ୍ତ ଓ ପ୍ରତି ବିଦ୍ୟାଳୟ ରେ ଉପଯୁକ୍ତ ଇଣ୍ଟରନେଟ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଇଉ ଏସ ପୋର୍ଟାଲ କୁ ସ୍ଥଗିତ ରଖିବା, ଶିକ୍ଷକ ମାନଙ୍କୁ ସର୍ଭେ, ଭୋଟ ଡ୍ୟୁଟି ଆଦି ଅଣଶୈକ୍ଷିକ କାର୍ଯ୍ୟ ରୁ ମୁକ୍ତ ରଖିବା ତଥା ଠିକା ଶିକ୍ଷକ ମାନଙ୍କୁ ନିୟମିତ କରିବା ଆଦି ୭ ଦଫା ଦାବି ନେଇ ଦାବି ପତ୍ର ପ୍ରଦାନ କରିଛନ୍ତି । ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଙ୍କ ମାଧ୍ୟମରେ ଏହି ଦାବି ପତ୍ର ପ୍ରଦାନ କରାଯାଇଛି । ଏକବିଂଶ ଶତାବ୍ଦୀରେ କୃତ୍ରିମ ବୁଦ୍ଧିମତ୍ତା ଶିକ୍ଷକ ଓ ଶିକ୍ଷlୟତନ ବିକାଶ ଦିଗରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରି ନେଇ ଥିବା ବେଳେ ଆଜି ବି ଓଡ଼ିଶାର ସରକାରୀ ବିଦ୍ୟାଳୟ ମାନଙ୍କରେ ଯାନ୍ତ୍ରିକ /କମ୍ପ୍ୟୁଟର ବ୍ୟବସ୍ଥା ରେ ପାଠ ପଢା ପାଇଁ କୌଣସି ସାଧନ ନାହିଁ କିନ୍ତୁ ଉପସ୍ଥାନ ତଥା ବିଭିନ୍ନ କାଗଜ ପତ୍ର ଗୁଡ଼ିକର ରିପୋର୍ଟ ଅନଲାଇନ ମାଧ୍ୟମରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଆସୁଛି । ସେଥିରେ ଶିକ୍ଷକ ଯଦି ଫେଲ୍ ମାରିଲା , ତା ହେଲେ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।ଏହା ଶିକ୍ଷକ ମାନଙ୍କ ପାଇଁ ଏକ ପ୍ରକାର ଦଣ୍ଡ ହୋଇଛି ।ଆଜି ମଧ୍ୟ ଓଡ଼ିଶା ଗ୍ରାମ ବହୁଳ ରାଜ୍ୟ ।ଆଜି ବି ଅନେକ ଗ୍ରାମରେ ଇଣ୍ଟରନେଟ କଥା ଛାଡ଼ନ୍ତୁ , ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇପାରି ନାହିଁ ।ତେବେ ଏହି ଇଉ ଏସ ପୋର୍ଟାଲ ସେଇଠି କେମିତି କାମ ଦେବ ।ତେଣୁ ପ୍ରଥମେ ବିଦ୍ୟାଳୟ ଗୁଡ଼ିକର ସମସ୍ତ ସୁବିଧା କରିବା ପରେ ଇଉ ଏସ ପୋର୍ଟାଲ କୁ ଲାଗୁ କରାଯାଉ ବୋଲି ଶିକ୍ଷକ ମାନେ ଗର୍ଜି ଥିଲେ । ଅତାବିରା ଅବସର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନିଶିକାନ୍ତ ପଣ୍ଡା, ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘର ଉପଦେଷ୍ଟା ବେଣୁଧର ମିଶ୍ର, ଭୋଲାନଥ ପ୍ରଧାନ,ସନ୍ତୋଷ କର, ପୂର୍ଣ୍ଣଚନ୍ଦ୍ର ବେହେରା, ସମ୍ପାଦକ ବୀରେନ ଭୋଇ,ଉପ ସଭାପତି ସୁଜାତା ପଧାନି ଙ୍କ ସମେତ ଅତାବିରା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ହଜାର ହଜାର ସଂଖ୍ୟାରେ ସାମିଲ ହୋଇଥିଲେ ।