-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
23-Jul-2025
ବଲାଙ୍ଗୀର/ଭୁବନେଶ୍ବର(ମଳୟ ମିଶ୍ରଙ୍କ ରିପୋର୍ଟ) ଅର୍ଦ୍ଧ-ସରକାରୀ ଭାବେ ପରିଚାଳିତ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସଂସ୍କୃତିବିଭାଗ ଅଧୀନସ୍ଥ କେନ୍ଦ୍ର ସାହିତ୍ଯ ଏକାଡେମି ବନାମ ଓଡ଼ିଶା ସାହିତ୍ଯ ଏକାଡେମିରେ ଯାହାସବୁ ଚାଲିଆସିଛି ସେକଥାରେ ଲେଖକ/ ଲେଖିକାମାନେ ଯେତେବେଳେ ଚୁପ୍ ପଡିଛନ୍ତି , ପ୍ରକୃତଲେଖକ ଓ ସାଧାରଣଲୋକଙ୍କ ପ୍ରତିକ୍ରିୟା ପ୍ରତି ସରକାର କର୍ଣ୍ଣପାତ ନ କରିବା ସ୍ୱାଭାବିକ୍ । ତଥାପି ଏଠି ପ୍ରଶ୍ନ ଉଠିବା ଆବଶ୍ୟକ ଯେ , ଏହି ଉଭୟ ଏକାଡେମିର ଅଧିକାରୀଙ୍କ ସମେତ ଜଡିତ ତଥାକଥିତ ମୁଣ୍ଡିମାନେ କିଏ ଓ ଲୋକଙ୍କ କରରୁ ରାଜସ୍ବର ବିନର୍ବ୍ୟୟ କରିବାର ଅଧିକାର ସେମାନଙ୍କୁ କିଏ ଦେଇଛି ? ଅଭିଯୋଗ ହେଉଛି ଯେ , ବସ୍ତୁତଃ ଏହି ସଂସ୍ଥାରେ ଦୀର୍ଘ ବର୍ଷ ହେଲା ମନ୍ଦକବି-ଯଶପ୍ରାର୍ଥୀଙ୍କର ଯଥେଚ୍ଛାଚାର ଚାଲିଛି ଓ ତଥାକଥିତ କମିଟି, ସଦସ୍ଯତା , ପଦବୀରେ ଯେଉଁମାନେ ଯେନତେନ ପ୍ରକାରେଣ ପଛଦ୍ୱାର ବାଟେ ଓ ଲୋକଙ୍କର ପ୍ରାୟ ଅଗୋଚରରେ ଢୁକି ଯାଉଛନ୍ତି , ସରକାର ସେମାନଙ୍କ ପ୍ରତି ଅଭିଯୋଗ ସତ୍ତ୍ବେ ତଦନ୍ତ ସୁଦ୍ଧା କରନ୍ତିନାହିଁ । ତେଣୁ ଦେଶ.ବନାମ ରାଜ୍ଯର ସାଂସ୍କୃତିକ ଓ ସାରସ୍ବତ ପରମ୍ପରା ନିମନ୍ତେ ସ୍ଥାପିତ ଏହି ଉଭୟ ଅନୁଷ୍ଠାନର ପ୍ରକୃତ ଲକ୍ଷ୍ୟ ଚରମ ଭାବେ ବ୍ୟାହତ ହେଉଛି । ଏ ପୁଞ୍ଜିଭୂତ ଅସନ୍ତୋଷର ବିସ୍ଫୋରଣ ଭବିଷ୍ୟତରେ କି ରୂପ ନେବ , ଏହାର ପରିଣତି ପାଇଁ ସରକାର ଦାୟୀ ରହିବେ ।
ବିଗତ ନବୀନ ସରକାରରେ ମୁଖ୍ଯମନ୍ତ୍ରୀ ରାଜ୍ୟର ଭାଷା ଓଡିଆ କହିପାରନ୍ତି ନାହିଁ ବୋଲି ତାଙ୍କ ଶାସନକାଳର ଶେଷପର୍ଯ୍ୟନ୍ତ ଅପବାଦ ରହିଥିବା ସତ୍ତ୍ବେ ଦୀର୍ଘ ୨୪ବର୍ଷରେ ସେ ଏହା ଶିଖିପାରିଲେ ନାହିଁ କି ଏଥିପ୍ରତି ଭ୍ରୂକ୍ଷେପ ନକରିବା ସହ ଓଡିଶା ସାହିତ୍ଯ ଏକାଡେମିର ଭାଷାସାହିତ୍ୟର ସେପରି କୌଣସି ଉନ୍ନତି ପ୍ରତି ଧ୍ୟାନ ଦେଲେନାହିଁ । ଏବଂ ଏବର ଓଡ଼ିଆଅସ୍ମିତାର ଦ୍ବାହି ଦେଇ ଆସିଥିବା ମୋହନସରକାରରେ ନିଜେ ମୁଖ୍ଯମନ୍ତ୍ରୀଙ୍କ ଭାଷାଜ୍ଞାନ କିପରି ଲୋକେ ସାମାଜିକ ଗଣମାଧ୍ୟମ , ସଭାସମିତି ଓ ଅନ୍ୟତ୍ର ଦେଖିଆସୁଛନ୍ତି !
ଏତଦ୍ ବ୍ୟତୀତ ପୂର୍ବତନ ସରକାର ଅମଳରୁ ଓ ଏବର ସରକାରଙ୍କ ଏକବର୍ଷ ପରେ ମଧ୍ଯ ଓଡିଶା ସାହିତ୍ଯ ଏକାଡେମିର ସାଧାରଣ ପରିଷଦ, କାର୍ଯ୍ୟକାରିଣୀ କମିଟି , ଅନ୍ଯାନ୍ଯ କମିଟି ବା ସଭାପତି , ଉପସଭାପତି ଇତ୍ୟାଦି ପଦବୀପୂରଣ ହୋଇନାହିଁ । ଗତଥର ଏକାଡେମିର କର୍ମକର୍ତ୍ତା ନିଯୁକ୍ତି ନିମନ୍ତେ କେତେକ ସୁବିଧାବାଦୀ ମନ୍ଦକବି-ଯଶପ୍ରାର୍ଥୀଙ୍କୁ ସୁହାଇଲା ଭଳି ବାରମ୍ବାର ଅଭିଯୋଗ ସତ୍ତ୍ବେ ଏକାଡେମିର ଇତିହାସରେ ପ୍ରଥମଥର ପାଇଁ ଏହି ସମ୍ମାନଜନକ ପଦବୀ ପାଇଁ ଦରଖାସ୍ତ ଆହ୍ବାନ, ଦରଖାସ୍ତକାରୀଙ୍କର ଆବେଦନକୁ ଫାଇଲ୍ ଉଡାଇଦେଇ କୋଭିଡ୍ ଆଳରେ ଆଭାସୀବୈଠକ ବା ପଛଦ୍ୱାର ନିଯୁକ୍ତି ଓ ମନଇଚ୍ଛା ଲବି, ସୁପାରିଶ , ପ୍ରିୟାପ୍ରିତିତୋଷଣ ବା ଧରାଧରିରେ ବହୁ ଅଯୋଗ୍ୟ/ ଅଯୋଗ୍ୟା ତଥାକଥିତ ଲେଖକ/ ଲେଖିକାଙ୍କୁ ବିଭିନ୍ନ କମିଟିସଦସ୍ୟ/ସଦସ୍ୟା ମନୋନୟନ ଇତ୍ୟାଦି କରାଯାଇଥିଲା । ଏପରିକି ଜାତିଆଣ ମନୋବୃତ୍ତିରେ ପୂର୍ବପରମ୍ପରାକୁ ଭଙ୍ଗକରି ପଶ୍ଚିମଓଡିଶାରୁ ଉପସଭାପତି କିମ୍ବା ଜଣେ ବି କର୍ମକର୍ତ୍ତାଙ୍କୁ ସୁଯୋଗ ଦିଆଯାଇ ନ ଥିଲା । ଶେଷରେ ଜଣେ ଉତ୍କଳପ୍ରସଙ୍ଗରୁ ଲକ୍ଷାଧିକ ଟଙ୍କା ଖାଇଥିବା ଚରିତ୍ରରେ ଆଞ୍ଚ୍ ରହିଥିବା ଜଣେ ଅଧ୍ୟାପକ-କବି ସଂସ୍କୃତିବିଭାଗ ଦାୟିତ୍ବରେ ରହିଥିବା ଜଣେ ଜାତିଆଣ ବିଦ୍ବେଷୀ ଧୂର୍ତ୍ତ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀ ଓ ଜଣେ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କ ଲାଙ୍ଗୁଡରେ ଓହଳି ମୁଖିଆଚୌକି ହାତେଇବାରେ ସଫଳ ହୋଇଯାଇଥିଲେ ।
ଏଥର ମଧ୍ଯ ଅଦ୍ୟାପି ଏକାଡେମିର କର୍ମକର୍ତ୍ତା ନିଯୁକ୍ତିରେ କାହାକୁ ମନୋନୟନ/ଚୟନ/ନିଯୁକ୍ତ କରାଯାଇ ନ ଥିବା ସ୍ଥଳେ କେମିତି କେଜାଣି ଉପରୋକ୍ତ ଗୋଷ୍ଠୀର ସମ୍ପାଦକ ଜଣେ ଅଧିକାରୀ ସମ୍ପାଦକଚୌକି ହାସଲ କରି ଏହି ପଦବୀକୁ 'ସଚୀବ' ବୋଲି ପ୍ରଚାର କରି ଆତ୍ମଗର୍ବ ପ୍ରଚାର କରୁଥିବା ସହ ଏକାଡେମିର ଏକାଙ୍ଗ ଚକ୍ରବର୍ତ୍ତୀଙ୍କ ପରି ନିକୃଷ୍ଟ ସ୍ବାର୍ଥସାଧନ କରୁଥିବା ଅଭିଯୋଗର ଚର୍ଚ୍ଚା ହେଉଛି ।
ତେବେ ପୂର୍ବ ସରକାରଙ୍କ ଅମଳରେ କେତେକ ଉପକୂଳିଆଙ୍କ ପ୍ରାଦୁର୍ଭାବ ରହିଥିଲାବେଳେ , ଏବେ ପଶ୍ଚିମଓଡିଶାର ବନାମ ବଲାଙ୍ଗୀର ଜିଲ୍ଲାର ଦୁଇଜଣ କରିତ୍ କର୍ମା ଚକ୍ରାନ୍ତ ଚଳାଇ ରାଜନୈତିକ ଲବିରେ ସରକାରଙ୍କ ଉଦାସୀନତାର ଫାଇଦା ନେଉଥିବା ଦେଖାଯାଇଛି । ଦୁର୍ଭାଗ୍ୟବଶତଃ ଏମାନଙ୍କ ମଧ୍ଯରେ ଜଣେ ସାହିତ୍ଯର ସ- ଅକ୍ଷର ଜାଣି ନଥିବା ମିଛୁଆରାଧୁଆ ମୂର୍ଖ କପିଳା ମୁଣ୍ଡରେ ଶିରୀପା ବାନ୍ଧି କେନ୍ଦ୍ର ସାହିତ୍ଯ ଏକାଡେମିର ଜଣେ ଅଧିକାରୀ ଓ ଆରଜଣକ ଏକାଧିକ ବିଭାଗ ଓ ପଦବୀ ଡେଇ ଡେଇଁ ବୟସ ଗଡିଗଲାବେଳକୁ ଧରାଧରିରେ ପୁଅ ପାଇଲା ପରି ଯୁବ ପୁରସ୍କାର ହାତେଇ ଏଠି ରାଜ୍ୟସାହିତ୍ୟର କର୍ଣ୍ଣଧାର ପାଲଟିଛନ୍ତି ! ଏବଂ ଏମାନଙ୍କୁ ଠେଲୁଛନ୍ତି ପେଲିଛନ୍ତି ଆମ ଓଡ଼ିଆସାହିତ୍ୟର ଗୋଡ ତଳକୁ ଟାଣିବାର ପଣ କରିଥିବା ସାହିତ୍ଯ ଚୋରି କରି ଥରେ ଧରାପଡିଥିବା ଓ ରାଜ୍ଯ ଏକାଡେମିର ସଭାପତି ଚୌକିକୁ ଆଖେଇଥିବା ଏକଦା ଏକ ବେପାରୀମିଡିଆହାଉସ୍ ର ଗୁମାସ୍ତା ଥାଇ ଏବେ କୋଣଠେସା ହେଇପଡିଥିବା ନିତାଇଗୌର ହରିଦାସ ! ଏବର ଏକାଡେମି ସାହିତ୍ଯ ଯଜ୍ଞର ହୋତା ଇତିମଧ୍ୟରେ ଏକାଧିକ ସାହିତ୍ଯସଭା , ସମାବେଶ ଆୟୋଜନ କରି ମନଇଚ୍ଛା ଗୋଡାଣିଆ ଓଡ଼ିଆ ଲେଖକମାନଙ୍କୁ ଡାକି ବାହାବା' ନେଉଥିବା ଦେଖାଯାଇଛି । ଏଥିରେ ଅନ୍ୟତମ ସହଯୋଗୀ ପାଲଟିଛନ୍ତି ଜଣେ ତଥାକଥିତ ଘୋଡାମୁହାଁ ଗାଳ୍ପିକ- ପ୍ରଶାସକ ରକ୍ ଫୋର୍ଡ ବ୍ରାଣ୍ଡ୍ ମନ୍ତ୍ରୀଙ୍କ ଚାଟୁକାର ସାଜି । ଗଜାଲେଖକଙ୍କ ଗୋଠ ପରେ 'ଏଥକର 'ପୂର୍ବାଞ୍ଚଳୀୟ' ଲେଖକ ସମାବେଶରେ ଆମର ଭାଗନାହିଁ ' ବୋଲି ରାଜ୍ୟର ବହୁ ଲେଖକ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିହାଲ୍ ହେଇଗଲା ଓଡ଼ିଆ ସାହିତ୍ୟ ଏମିତି ଫେଚ୍ କାମିରେ ଏଥର ହୋ ! ଜୟକଳା !
ଆହୁରି ବି ବଲାଙ୍ଗୀରରେ ଏହି ସରକାରର ସାହିତ୍ଯ ଓ ସଂସ୍କୃତିର ଯଥେଚ୍ଛାଚାର ଚାଲିଛି । ଗତ ସରକାରଙ୍କ ଅମଳରେ ଜିଲ୍ଲାସ୍ତରୀୟ ପୁସ୍ତକମେଳାକୁ ସଂସ୍କୃତିବିଭାଗରୁ ଅଯାଚିତ ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ୪ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା । ଚଳିତବର୍ଷ ଜିଲ୍ଲାର ମର୍ଯ୍ୟାଦାଜନକ ସାହିତ୍ଯ ଅନୁଷ୍ଠାନ ଜିଲ୍ଲା ଲେଖକ ପରିଷଦର ବାରମ୍ବାର ଆବେଦନ , ଭୁବନେଶ୍ବରକୁ ଏକାଧିକ ବାର ଧାଇଁବା ଓ ଏଠାକୁ ଆସିଥିବାବେଳେ ଓ ତାଙ୍କ ବାସଭବନରେ ଭେଟିବାରୁ ପ୍ରତିଶ୍ରୁତି ଦେଇ ମଧ୍ଯ ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୧୦ ଦିବସୀୟ ରାଜ୍ୟସ୍ତରୀୟ 'ବଲାଙ୍ଗୀର ବହିହାଟ- ୨୦୨୫ ' ପାଇଁ ୮ ଲକ୍ଷ ଟଙ୍କାର ବ୍ୟୟ ରିପୋର୍ଟ ଦାଖଲ କରିଥିବା ସତ୍ତ୍ବେ ବହୁକଷ୍ଟରେ ମାତ୍ର ୧ ଲକ୍ଷ ଟଙ୍କାର ଅନୁମୋଦନ କରିଛନ୍ତି ! ଏଣୁ ଏହା କି ପ୍ରକାର ଓଡ଼ିଆଅସ୍ମିତା ବୁଝିହେଉ ନାହିଁ ବୋଲି ପରିଷଦ ପକ୍ଷରୁ କ୍ଷୋଭପ୍ରକାଶ କରାଯାଇଛି । ମୁଖ୍ଯତଃ ସଂସ୍କୃତି ନିର୍ଦ୍ଦେଶକଙ୍କୁ ପରିଷଦ ପକ୍ଷରୁ ଏବର ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ରଙ୍କ ବିବାଦୀୟ କାର୍ଯ୍ୟକଳାପ ଜିଲ୍ଲାର ସାହିତ୍ଯ ବାତାବରଣ ଓ ଲେଖକଙ୍କୁ ଅତିଷ୍ଠ କରିପକାଇ ଥିବାର ଅଭିଯୋଗ ପ୍ରକାଶ ପାଇଆସୁଛି ।
ଏତଦ୍ ବ୍ୟତୀତ ଜିଲ୍ଲାଠାରୁ ରାଜ୍ୟର ଭାଷା ସାହିତ୍ୟର ପ୍ରାୟ ସମସ୍ତ କମିଟି , ବ୍ୟୟ, ସଭାସମିତି , ପୁରସ୍କାର ପ୍ରଦାନ ଇତ୍ୟାଦିରେ ମନୋପଲି ଚାଲିଛି । ନୂତନକମିଟି ଗଠନ ହେଉନାହିଁ ବା ପ୍ରକୃତଲେଖକଙ୍କୁ ଅବହେଳାଅଭିଯୋଗର ଉଚିତ ବିଚାର ହେଉନାହିଁ । ଏଥିର ସରକାରୀ ଅର୍ଥ ଅନୁଦାନକୁ ଅଧିକାରୀମାନେ ମୁଷ୍ଠିମେୟ ତଥାକଥିତ ଲେଖକଙ୍କୁ ହାତକରି ପୈତୃକଧନ ପରି ବାଟମାରଣା କରିଚାଲିଛନ୍ତି । ଫଳରେ ଦିନକୁ ଦିନ ଓଡ଼ିଆ ସାହିତ୍ୟର ମାନ ହ୍ରାସ ପାଇ ଚାଲିଛି ଓ ତଥାକଥିତ ଓଡ଼ିଆଅସ୍ମିତା ପ୍ରହସନରେ ପରିଣତ ହେଲାଣି ।