-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
18-Jan-2025
ବଲାଙ୍ଗୀର ଡିଆରସିଏସ୍ ଙ୍କ ଅଧୀନରେ ଥିବା ଦେଓଗାଁ ବ୍ଲକ୍ ର ଜରାସିଂହା ବିଡିସିସି ଶାଖାର ଅର୍ଜୁନପୁର ପେକ୍ସର ସମ୍ପାଦକ ନିଯୁକ୍ତିରେ ବହୁ ଗୁରୁତର ଅଭିଯୋଗ ସତ୍ତ୍ୱେ ବର୍ଷେକାଳ ଅହେତୁକ କାଳକ୍ଷେପଣ ପରେ ଜାଲ୍ ସାର୍ଟିଫିକେଟ୍ ହାତେଇ ଓଲଟା ହାଲ୍ଲା କରୁଥିବା ଜଣେ ଅଭିଯୋଗକାରୀ ଯୁବକଙ୍କୁ ଶେଷରେ ନିଯୁକ୍ତି ଦିଆଯାଇଛି ।
ଗତ ୨୦୨୨ ନଭେମ୍ବର ୧୧ ତାରିଖର ପେକ୍ସ ପକ୍ଷରୁ ଦିଆଯାଇଥିବା ବିଜ୍ଞାପନ ଅନୁଯାୟୀ , ମୋଟ ୪୦ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩୮ ଜଣ ସ୍ଥାନୀୟ ପ୍ରାର୍ଥୀ/ ପ୍ରାର୍ଥିନୀ ରହିଥିଲେ । ମାର୍କ ଭିତ୍ତିକ ଏହି ପରୀକ୍ଷାରେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରି ସର୍ବାଧିକ ନମ୍ବର ରଖିଥିବା ସୀତାକାନ୍ତ ମାଝୀ ୩୦ . ୨ ପଏଣ୍ଟରେ ଉତ୍ତୀର୍ଣ୍ଣ ହୋଇ ୧ ନମ୍ବର ସ୍ଥାନରେ ରହିଥିବାରୁ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେ ୧୦ ଦିନକାଳ ସମ୍ପାଦକ ଭାବେ କାମ କରିବା ଓ ଚାକିରୀର ମାସକ ପରେ ତାଙ୍କୁ ଛଟେଇ କରିଦିଆଯାଇ ଏହି ପଦରେ ୪ର୍ଥ ସ୍ଥାନରେ ଥିବା ଟୁନା କୁମାର ପ୍ରଧାନଙ୍କୁ ନିଯୁକ୍ତି ଦିଆଯିବାରୁ ସେ ଏହାର ବିରୋଧ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାର କାରଣ ସଫେଇ ଦିଆଗଲା ଯେ , ସେ ସମୟରେ ଦାୟିତ୍ଵରେ ଥିବା ଭାରପ୍ରାପ୍ତ ମହଲେଇ ପେକ୍ସର ସମ୍ପାଦକ ସବୁ କାଗଜପତ୍ରକୁ ଘରକୁ ନେଇଯାଇଥିଲେ ଓ ତହିଁରେ ଥିବା ଫାଇଲ୍ ଭିତରୁ ସବାତଳେ ଥିବା ପ୍ରାର୍ଥୀଙ୍କର ଆଉଏକ ଡିସିଏମ୍ ( କୋ ଅପରେଟିଭ୍ ମ୍ୟାନେଜମେଣ୍ଟ ସାର୍ଟିଫିକେଟ୍ )ଟି କୁଆଡେ ଭୁଲ୍ ରେ ତଳେ ପଡିଯାଇଥିଲା ! ଏପରିକି ଉକ୍ତ ପ୍ରାର୍ଥୀଙ୍କ ଆପ୍ଲିକେସନ୍ ର ଏନ୍ କ୍ଲୋଜରରେ ଏହି ପ୍ରମାଣପତ୍ରଟି ଉଲ୍ଲେଖ କରାଯାଇ ନଥିଲେ ହେଁ , ପରେ ସଂଯୁକ୍ତ କରିଦିଆଗଲା ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ପ୍ରକାଶ । ସେତେବେଳେ ଚୟନ କମିଟିରେ ଥିବା ପେକ୍ସ ସଭାପତି ଅରୁଣ ସୁନା , ଉପ- ସଭାପତି ସୁମିତ୍ରା ବିଶ୍ବାଳ , ନିର୍ଦ୍ଦେଶକ ସହଦେବ ନାଗ , ଭାରପ୍ରାପ୍ତ ଏଆରସିଏସ୍ ରବୀନ୍ଦ୍ର ପଣ୍ଡା ଓ ବ୍ୟାଙ୍କର ଜ୍ୟୋତ୍ସ୍ନାରାଣୀ ପ୍ରମୁଖ ତନ୍ନ ତନ୍ନ କରି ସବୁ ପ୍ରମାଣପତ୍ରକୁ ଯାଞ୍ଚ କରିଥିବା ପ୍ରକାଶ ପାଇଥିଲା । ଏପରିକି ଗୋଟିଏ ଗୋଟିଏ ଆବେଦନପତ୍ରକୁ ୪ ଥର ଲେଖାଏଁ ଯାଞ୍ଚ କରାଯାଇ ନୂଆସମ୍ପାଦକ ବଛାଯାଇଥିବା ପ୍ରକାଶ । ଏହି ଫଳାଫଳକୁ ନୋଟିସ୍ ବୋର୍ଡରେ ମଧ୍ୟ ଛପାଯାଇଥିଲା । ଏହି ଘୋଷଣା ଅନୁଯାୟୀ , ସୀତାକାନ୍ତ ମାଝୀ ୩୦ . ୨ ପଏଣ୍ଟ୍ ମାର୍କ ପାଇ ପ୍ରଥମ , ବିରଞ୍ଚି ନାଏକ ୨୭ . ୮୮ ପାଇ ଦ୍ବିତୀୟ , ଜିତ ରଣା ୨୭ .୬୬ ରେ ତୃତୀୟ ଓ ଟୁନା ପ୍ରଧାନ ୨୭ . ୩୮ ପଏଣ୍ଟ୍ ପାଇ ଚତୁର୍ଥସ୍ଥାନରେ ରହିଥିବା ବେଳେ ପରେ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଉକ୍ତ ନିଯୁକ୍ତିକୁ ବାତିଲ୍ କରିଦିଆଗଲା । ଶେଷରେ ପ୍ରାୟ ବର୍ଷେକାଳ ଏହି ପଦରେ ସମ୍ପାଦକ ନିଯୁକ୍ତିକୁ ଝୁଲାଇ ରଖାଯାଇ ସହସମ୍ପାଦକ ଅବସରପ୍ରାପ୍ତ ପୂର୍ବତନ ସମ୍ପାଦକଙ୍କ ପୁଅକୁ ମଧ୍ୟବର୍ତ୍ତୀକାଳୀନ ଭାରପ୍ରାପ୍ତ ସମ୍ପାଦକ ପଦରେ ରଖିଦିଆଗଲା । ଏଥିପାଇଁ ୭ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ଚର୍ଚ୍ଚା ହୋଇଥିଲା । ତେବେ ଏହା ବିରୋଧରେ ନିଯୁକ୍ତି ପାଇ ପଦ ହରାଇଥିବା ସୀତାକାନ୍ତ ମାଝୀ ସେ ହିଁ ଏହି ପଦର ପ୍ରକୃତରେ ହକ୍ ଦାର ଓ ଏଥିପାଇଁ ମଧ୍ୟ ସେ ପେକ୍ସର ସଭାପତି ଅରୁଣ ସୁନା ଓ ଜଣେ
ନିର୍ଦ୍ଦେଶକ ସହଦେବ ନାଗଙ୍କ ବିରୋଧରେ ଛଅମାସ ତଳେ ୧୫ ହଜାର ନଗଧ ଓ ଫୋନ୍ ପେ' ରେ ୬୦ ହଜାର ଟଙ୍କା ଦେଇଥିଲେ । ଏବେ ସେମାନେ ଟଙ୍କା ଫେରାଉ ନଥିବା ଓ ମାଗିଲେ ଗାଳିଗୁଲଜ କରି ହତ୍ୟାଧମକ ଦେଉଛନ୍ତି ବୋଲି ସ୍ଥାନୀୟ ତୁଷୁରାଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ମଧ୍ୟ ଦେଓଗାଁ ଅଞ୍ଚଳର ଜଣେ ଦଲାଲର ମଧ୍ୟସ୍ଥତାରେ ଏକ ଚୁକ୍ତିନାମା କରାଯାଇଥିବା ପ୍ରକାଶ । ସଭାପତି ଏହି ଟଙ୍କା ନେଇଥିବା ସ୍ବୀକାର କରିଥିଲେ । ତେବେ ପୁଲିସ୍ ମାମଲା ଋଜୁ ନକରି ଅଭିଯୋଗକାରୀଙ୍କୁ ଥାନାକୁ ଡାକି ସମାଧାନ କରିଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହା ସହିତ ଟୁନା କୁମାର ପ୍ରଧାନଙ୍କ ଡିସିଏମ୍ ସାର୍ଟିଫିକେଟ୍ ଟି ଜାଲ୍ ଓ ସ୍ଥାନୀୟ ଅଞ୍ଚଳର କୌଣସି ପଣ୍ଡା ଓ ରଣା ନିର୍ଦ୍ଦିଷ୍ଟ ଠିକଣା ଜଣା ପଡୁ ନଥିବା ଦିଲ୍ଲୀର ରାଜୀବ ଗାନ୍ଧୀ ଭୋକେସନାଲ୍ ଟ୍ରେନିଂ ସେଣ୍ଟର୍ ବୋଲି କୁହାଯାଇଥିଲେ ହେଁ , ଏହା ସନ୍ଦେହ ସୃଷ୍ଟି କରିଥିଲା । ଏପରିକି ବ୍ୟାଙ୍କ୍ ପକ୍ଷରୁ ନୋଟିସ୍ ବୋର୍ଡର ଘୋଷଣାକୁ ଚିରିଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ ।
ଏ ସମ୍ପର୍କରେ ଉଭୟ ସୀତାକାନ୍ତ ମାଝୀ ଏବଂ ଟୁନା ପ୍ରଧାନଙ୍କ ପକ୍ଷରୁ ଡିଆରସିଏସ୍ ଙ୍କ ଠାରୁ ତତ୍କାଳୀନ ବିଧାୟକ ନରସିଂହ ମିଶ୍ର ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ - ପ୍ରତ୍ୟଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚାରେ ରହିଥିଲା । କିନ୍ତୁ ତତ୍କାଳୀନ ଡିଆରସିଏସ୍ ଦମୟନ୍ତୀ ସିଂ କିମ୍ବା ପୂର୍ବତନ ଜିଲ୍ଲାପାଳ ଚଞ୍ଚଳ ରାଣା ସର୍ବସାଧାରଣରେ ଏହାର ସମାଧାନ ପ୍ରକାଶ କରି ନଥିଲେ । ଶେଷରେ ଉପରୋକ୍ତ ଜାଲ୍ ସାର୍ଟିଫିକେଟ୍ ର ତଦନ୍ତ ଆଳରେ କିଛିମାସ ଏହି ନିଯୁକ୍ତିକୁ ଝୁଲାଇ ରଖାଯିବା ପରେ ୭/୮ ମାସ ତଳେ ସମ୍ପାଦକ ପଦରେ ଟୁନା କୁମାର ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ବତନ ଭାରପ୍ରାପ୍ତ ସହସମ୍ପାଦକ ଗତବର୍ଷର ଖରିଫ୍ ଓ ରବିଋତୁର ଧାନକିଣା ଓ ଋଣଦେବା / ଆଦାୟର ପିଟିରେ ସେ ଏହି ପଦରେ ପ୍ରାୟ ବର୍ଷଟିଏ ରହିବାର ଉତ୍କୋଚ ଲକ୍ଷାଧିକ ଟଙ୍କାର ମୁନାଫା ଅସୁଲି କରି ସାରିଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ତଦନୁରୂପେ ନୂତନ ସମ୍ପାଦକ ମଧ୍ୟ ଗତ ରବି ଓ ଚଳିତ ଖରିଫ୍ ଋତୁର ଧାନକିଣାରେ ବେଶ୍ ହାତଚିକ୍କଣ କରିଚାଲିଥିବା ଅଭିଯୋଗ ପ୍ରକାଶ ପାଇଛି । ଏହି ପଦ ପାଇଁ ସେ ମଧ୍ୟ ଲକ୍ଷାଧିକ ଟଙ୍କାର ଲାଞ୍ଚ ଦେଇଥିବା କୁହାଯାଉଛି ।
ସର୍ବୋପରି ଏହି ପେକ୍ସର ଏହି ସମ୍ପାଦକ ନିଯୁକ୍ତି ସହିତ ଅନ୍ୟାନ୍ୟ ପେକ୍ସରେ କର୍ମଚାରୀ ନିଯୁକ୍ତି ଏବଂ ଅନ୍ୟାନ୍ୟ ଦୁର୍ନୀତିରେ ଜଣେ ପୁରୁଣାମୂଷା ହିଁ ସର୍ବେସର୍ବା ବୋଲି ସର୍ବଜନବିଦିତ । ଉକ୍ତ ଅଧିକାରୀ ଜଣକ ଦୀର୍ଘ ପ୍ରାୟ ତିରିଶବର୍ଷ ଧରି ଜିଲ୍ଲାର ବିଭିନ୍ନ ପଦରେ ରହି ଏବେ ବଲାଙ୍ଗୀର ଡିଆରସିଏସ୍ ଅଫିସ୍ ରେ ଏକ ପଦ ସୃଷ୍ଟିହେବାରୁ ଅବସ୍ଥାପିତ ରହିଛନ୍ତି । ସେ ହିଁ ଏସବୁର ଖଳନାୟକ ବୋଲି ବହୁଦିନରୁ ଗଣମାଧ୍ୟମରେ ପ୍ରକାଶିତ । ସାଧୁ ସାବଧାନ ! ତେବେ ଅର୍ଜୁନପୁର ପେକ୍ସର ଏହି ସମ୍ପାଦକ ନିଯୁକ୍ତି ପ୍ରକ୍ରିୟା ସହିତ ଜାଲ୍ ସାର୍ଟିଫିକେଟ୍ ର ଖୋଳତାଡ ଜରୁରୀ ବୋଲି ଜନମତ ପ୍ରକାଶ ପାଇଛି ।