-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
08-Jan-2021
,ବଲାଙ୍ଗିର(ସନ୍ତୋଷ କୁମାର ଠାକୁର): ବଲାଙ୍ଗିର ଜିଲ୍ଲାର ୩୭୫ଟି ସରକାରୀ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ସମ୍ପୁର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସ୍ଓ ବଲାଙ୍ଗିର ଜିଲ୍ଲା କମିଟି ଓ ସ୍କୁଲ ସୁରକ୍ଷା କମିଟିର ଉଦ୍ୟୋଗରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରକାଶ ଯେ ରାଜ୍ୟ ସରକାର ଯୁକ୍ତିଯୁକ୍ତ ଏକିକରଣ ନାଁରେ ଜିଲ୍ଲାର ୩୭୫ଟି ବିଦ୍ୟାଳୟ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ବଲାଙ୍ଗିର ଭଳି ଅତି ଦରିଦ୍ର, ଦାଦନ ପ୍ରବଣ ତଥା ପଛୁଆ ଜିଲ୍ଲାରେ ସ୍କୁଲ ବନ୍ଦ ହେଲେ ହଜାର ହଜାର ଛାତ୍ର ଛାତ୍ରୀ ଶିକ୍ଷା ପାଇବାରୁ ବଂଚିତ ହେବେ ଏବଂ ଅନ୍ୟ ପଟେ ଶିକ୍ଷାର ଘରୋଇକରଣ ଓ ବ୍ୟବସାୟିକରଣର ଦ୍ୱାର ଆହୁରି ପ୍ରସସ୍ତ ହେବ । ଶିକ୍ଷା ଅଧିକାରୀ ଆଇନ ୨୦୦୯ ଅନୁସାରେ ପ୍ରତି ୧ କିମି ପରିଧି ମଧ୍ୟରେ ବିଦ୍ୟାଳୟ ରହିବାର କଥା କୁହାଯାଇଥିଲେ ମଧ୍ୟ ଜିଲ୍ଲାର ଗୁଡଭେଲା, ଖପ୍ରାଖୋଲ, ବେଲପଡା, ତୁରେକେଲା, ମୁରିବାହାଲ ଭଳି ଜଙ୍ଗଲ ପାହାଡ ଘେରା ଅଂଚଳରେ ୫ କିମି ପରିଧି ଭିତରେ ମଧ୍ୟ ବିଦ୍ୟାଳୟ ନାହିଁ, ରାସ୍ତାଘାଟ ମଧ୍ୟ ନାହିଁ । ଏହି ପରିସ୍ଥଳରେ କୁନି କୁନି ପିଲାମାନେ ନିଜ ଗାଁରୁ ଅନ୍ୟତ୍ର ପାଠ ପଢିଯିବା ଅସମ୍ଭବ ବୋଲି ଏଆଇଡିଏସ୍ଓର ସର୍ବ ଭାରତୀୟ କାଉନସିଲ ସଭ୍ୟ ସୁନିଲ ଭୋଇ ନିଜ ବକ୍ତବ୍ୟ ମାଧ୍ୟରେ କ୍ଷୋଭ ପ୍ରକାଶ କରିଥିଲେ । ଏଆଇଡିଏସ୍ଓ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା ଓ ସଂପାଦକ ମଧୁସୁଦନ ବାଗ ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ, ଅପରାଧିସୂଳଭ ମାନସିକତା ଏବଂ ଘରୋଇକରଣ ବ୍ୟବସାୟୀକରଣକୁ ପ୍ରୋତ୍ସାହିତ କରିବା ହୀନ ଚକ୍ରାନ୍ତ ବୋଲି କହିବା ସହିତ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଜିଲ୍ଲାରେ ଦୁର୍ବାର ଛାତ୍ର, ଶିକ୍ଷକ, ଅଭିଭାବକ ଆନ୍ଦୋଳନ ସଂଗଠିତ କରାଯିବ ଏବଂ ଏଥି ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ । ଶେଷରେ ଦୁଇ ଦଫା ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା । ଏହି ବିକ୍ଷୋଭରେ ଛାତ୍ର ନେତା ବିକାଶ ଜେନା, ତାମସ ବେହେରା ଏବଂ ଅଭିଭାବକ ହରିହର ହଂସ, ଲିଙ୍ଗରାଜ ସାହୁ, ସରୋଜ ସାହୁ, ରଂଜିତ ମାଝି, ଅର୍ଜୁନ ମାଝି, ନବ ସାଗର ଭୋଇ, ସତ୍ୟାନନ୍ଦ ପୁଟେଲ, ଶ୍ୟାମ ଧରୁଆ, ଦୟାସାଗର ଭୋଇ, ସୁଧିର ମାଝି, କୌଶଲ୍ୟା ବଗର୍ତ୍ତି ସହ ଶତାଧିକ ଛାତ୍ର ଅଭିଭାବକ ସାମିଲ ଥିଲେ ।