-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
01-Jul-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଆଜି ରବିବାର ଥିବାରୁ ତାଙ୍କର ଅବସର ଗ୍ରହଣ ପରିପ୍ରେକ୍ଷୀରେ ଗତକାଲି ଶନିବାର ଅପରାହ୍ଣରେ ଲୋକସେବା ଭବନ କାର୍ଯ୍ୟାଳୟରେ ବିଦାୟୀ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି କେ ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥିଭାଥାନନଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ଲୋକସେବା ଭବନ, ଖାରବେଳ ଭବନ ଏବଂ ଅନ୍ୟ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ସାକ୍ଷାତ କରି ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅବସରକାଳୀନ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ମଧ୍ୟ ବିଏମସି କମିଶନର, ବିଡିଏ ଉପାଧ୍ୟକ୍ଷ, ଜିଲ୍ଲାପାଳ, ଖୋର୍ଦ୍ଧା ଏବଂ ଅନ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ସମବେତ ହୋଇ ଶ୍ରୀ ଜେନାଙ୍କୁ ଅବସରକାଳୀନ ଶୁଭେଚ୍ଛା ଜଣାଇଥିଲେ।
ଗତ କାଲି ସନ୍ଧ୍ୟାରେ ସମସ୍ତ ଆଇ ଏ ଏସ ଅଧିକାରୀ ମାନେ ଏକାଠି ହୋଇ ଅବସର ନେଉଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କୁ ପୂର୍ବରୁ ନ ଜଣାଇ ହଠାତ ଏକ କାଳୀନ ସାକ୍ଷାତ କରି ପୁଷ୍ପ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ, ଯାହା ଦେଖି ଶ୍ରୀ ଜେନା ଆଚମ୍ବିତ ଓ ଭାବ ବିହ୍ଵଳ ହୋଇଥିଲେ, ଯାହାକି ସେଠାରେ ଏକ ଭାବ ଗମ୍ଭୀର ପରିବେଶ ସୃଷ୍ଟି ହୋଇଥିଲା।
ଅବସର ଗ୍ରହଣ ପରିପ୍ରେକ୍ଷୀରେ ଶ୍ରୀ ଜେନା ଆଇ ଏସ ଅଧିକାରୀ ମାନଙ୍କୁ ବହୁ ପରାମର୍ଶ ଦେଇଥିଲେ। ତାଙ୍କ ଚାକିରୀ ଜୀବନର ବହୁ ଆହ୍ୱାନ ପୂର୍ଣ୍ଣ ଅନୁଭୂତି ପ୍ରକାଶ କରିଥିଲେ। ଚାକିରୀ ଜୀବନରେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ,ବିଭିନ୍ନ ବିଭାଗର ସଚିବ, ଉନ୍ନୟନ କମିଶନର, ବିଭିନ୍ନ ସଂସ୍ଥାର ପ୍ରଶାସନିକ ମୁଖ୍ୟ ଏବଂ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବା, ୧୯୯୯ ମହାବାତ୍ୟା ପରଠାରୁ ରାଜ୍ୟର ବିକାଶ, ଫାଇଲିନ ବାତ୍ୟା ଏବଂ ବିଭିନ୍ନ ସମୟରେ ବିପର୍ଯ୍ୟୟ ପରିଚାଳନା, କୋଭିଡ ମହାମାରୀ ମୁକାବିଲା ଠାରୁ ବାହାନଗା ଠାରେ ଟ୍ରେନ ଦୁର୍ଘଟଣା ଦୁଃଖଦ ସମୟରେ କାର୍ଯ୍ୟ ପରିଚାଳନା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ତାଙ୍କର ସରକାରୀ କାର୍ଯ୍ୟ ସେ କିପରି ଭାବରେ ଗୁରୁତ୍ୱ ଦେଇ ନିର୍ବାହ କରୁଥିଲେ, ସେ ସମ୍ପର୍କରେ ପ୍ରକାଶ କରିଥିଲେ ।
ଆଇଏଏସ ଅଧିକାରୀମାନଙ୍କୁ ସେ ପ୍ରଶାସନିକ ବ୍ୟବସ୍ଥାର ଆତ୍ମା ବୋଲି ଅଭିହିତ କରିବା ସହିତ ପ୍ରତିକୂଳ ପରିସ୍ଥିତିରେ ଆତ୍ମ ବିଶ୍ୱାସର ସହିତ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଆଗାମୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ପୁରୀ ରଥଯାତ୍ରା ପରିପ୍ରେକ୍ଷୀରେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ଅଧିକ ସମନ୍ୱୟ ରଖି କାର୍ଯ୍ୟ କରି ବାକୁ ସେ ପରାମର୍ଶ ଦେଇଥିଲେ।
ଆଜି ସରକାରୀ ଛୁଟି ଦିନ ସତ୍ତ୍ୱେ ଶ୍ରୀ ଜେନାଙ୍କୁ ଲୋକସେବା ଭବନ ରେ ବହୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ସାକ୍ଷାତ କରି ଅବସରକାଳୀନ ଶୁଭେଚ୍ଛା ଜଣାଇଥିଲେ।
ଆଜି ଅପରାହ୍ଣରେ ଅବସର ପରେ ସେ ନୂତନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ
ଜେନା କହିଛନ୍ତି ଯେ କଳାହାଣ୍ଡି ଅବସ୍ଥାପିତ ସମୟରୁ ୧୯୯୦ ବ୍ୟାଚର ମନୋଜ ମୋର ଭଲ ବନ୍ଧୁ ଓ ମୋ ପରେ ସେ ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିଲେ । ସେହିଭଳି ଆଜି ମୋ ପରେ ସେ ମୁଖ୍ୟ ଶାସନ ସଚିବ ପଦରେ ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ଅତ୍ୟନ୍ତ ଖୁସିବ୍ୟକ୍ତ କରୁଛନ୍ତି ବୋଲି ପ୍ରକାଶ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।