-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2024
ବାଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଆଜି ଯୁକ୍ତତିନି (୨୦୨୧-୨୦୨୪) ଓ ସ୍ନାତକୋତ୍ତର (ପିଜି-୨୦୨୨-୨୪) ପରୀକ୍ଷା ରେଜଲ୍ଟ ପ୍ରକାଶିତ ହୋଇଛି । ଯୁକ୍ତତିନିରେ ହାରାହାରି ପାସହାର ମାତ୍ର ୫୫.୮୧% ରହିଥିବା ବେଳେ ପିଜିରେ ୮୧.୬୨% ପାସହାର ରହିଛି । ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ମୋଟ ୬୦ଟି ଡିଗ୍ରୀ କଲେଜର +୩ ରେ ୭୨୫୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୪୦୪୮ଜଣ ପାସ କରିଛନ୍ତି । ଯୁକ୍ତତିନି କଳାରେ ମୋଟ ୫୩୯୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୨୯୫୩ ଜଣ (୫୪.୭୮%), ବିଜ୍ଞାନରେ ମୋଟ ୧୨୬୩ ଜଣରୁ ୭୬୪ ଜଣ (୬୦.୪୯%), ବାଣିଜ୍ୟରେ ୪୫୩ଜଣରୁ ୨୫୬ ଜଣ (୫୬.୫୧%) ଓ କଳା ପାସରେ ୧୪୬ ଜଣରୁ ୭୫ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ବୋଲି ଜଣାପଡିଛି । + ୩ ରେ ରାଜେନ୍ଦ୍ର ବିଶ୍ୱବବିଦ୍ୟାଳୟ କ୍ୟାମ୍ପସ କଲେଜର କମ୍ପ୍ୟୁଟର ସାଇନ୍ସ ଛାତ୍ର ପାର୍ଥପ୍ରତିମ ଖମାରୀ ୯.୩୧ ସିଜିପିଏ ରଖି ବିଜ୍ଞାନ ବିଭାଗ ସହ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେହିପରି +୩ କଳାରେ ସଂସ୍କୃତର ଛାତ୍ରୀ ଜ୍ୟୋତିର୍ମୟୀ ପଧାନ (୯.୧୮ ସିଜିପିଏ) ଓ ବାଣିଜ୍ୟରେ ସିଏନସି କଲେଜର ମୁକେଶ ସାହୁ(୯.୩୧ ସିଜିପିଏ) ଟପ୍ପର ହୋଇଛନ୍ତି ।
ସେହିପରି ସ୍ନାତକୋତ୍ତର(ପିଜି) ବିଭାଗରେ ମୋଟ ୩୭୦ଜଣ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୩୦୨ ଜଣ (୮୧.୬୨%) ପାସ କରିଛନ୍ତି । କଳାରେ ୨୧୯ ଜଣରୁ ୧୮୮ ଜଣ (୮୫.୮୪%), ବିଜ୍ଞାନରେ ୧୧୨ ଜଣରୁ ୮୯ଜଣ (୭୯.୪୬%), ବାଣିଜ୍ୟରେ ୩୯ ଜଣରୁ ୨୫ଜଣ (୬୪.୧୦%) ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ପିଜିରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଅଭିଜିତ ଯୋଷୀ (୯.୫୦ ସିଜିପିଏ) ଓ ଜୁଲୋଜି ବିଭାଗର ପାୟଲ ପଟେଲ (୯.୫୦% ସିଜିପିଏ) ରଖି ବିଜ୍ଞାନ ପିଜି ଓ ବିଶ୍ୱବିଦ୍ୟାଳୟରେ ଯୁଗ୍ମଟପ୍ପର ହୋଇଛନ୍ତି । କଳାବିଭାଗରେ ମଧ୍ୟ ଓଡିଆ ବିଭାଗର ପୂଜା ସାହୁ (୯.୧୧ ସିଜିପିଏ) ଓ ସଂସ୍କୃତ ବିଭାଗର ସ୍ମୃତୀରେଖା ମିଶ୍ର (୯.୧୧ ସିଜିପିଏ) ରଖି ଯୁଗ୍ମଟପ୍ପର ହୋଇଛନ୍ତି । ବାଣିଜ୍ୟ ବିଭାଗରେ ନିବେଦିତା ପଧାନ (୭.୭୮ ସିଜିପିଏ) ରଖି ଟପ୍ପର ହୋଇଥିବା ଜଣା ଯାଇଛି । ଆଜି ଦିନ ୧୧ଟାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ କକ୍ଷରେ ରେଜଲ୍ଟ ପ୍ରକାଶିତ କରାଯାଇଛି । କୁଳପତି ପ୍ରଫେସର ଡ.ଉମାବଲ୍ଲଭ ମହାପାତ୍ର, ବିଶ୍ୱବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ନରେନ୍ଦ୍ର କୁମାର ରାଉତ, ପ୍ରଧ୍ୟାପକ ବିଘ୍ନେଶପ୍ରସାଦ ମିଶ୍ର ପ୍ରମୁଖଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତିରେ ଏହି ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରାଯାଇଥିଲା ।